ରାଜ୍ୟ ଅତିରିକ୍ତ ବଜେଟରେ ୧୯ହଜାର ୮୩୩କୋଟିର ପାଣ୍ଠି ବରାଦ

ଭୁବନେଶ୍ୱର: ବିଧାନସଭରେ ଆଗତ ହେଲା ୨୦୨୧-୨୨ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ । ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିଛନ୍ତି ବଜେଟ । ଚଳିତ ଅତିରିକ୍ତ ବଜେଟରେ ୧୯ହଜାର ୮୩୩ କୋଟିର ପାଣ୍ଠି ବରାଦ ହୋଇଛି । ଏଥର ୫ଟି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଥିରେ ରାଜ୍ୟ ସରକାର ପ୍ରଶାସନିକ ବ୍ୟୟ ବରାଦ ୪୫୭୭ କୋଟି ରଖିଥିବାବେଳେ କାର୍ଯ୍ୟକ୍ରମ ବ୍ୟୟ ରଖିଛନ୍ତି ୧୩ ୫୬୮ କୋଟି ।

ସେହିପରି ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ସରକାର ବଜେଟରେ ୧୬୮୨ କୋଟି ବରାଦ କରିଛନ୍ତି । ଚଳିତ ବଜେଟରେ ଏଥର ଫୋକସରେ ରହିଛି ପଞ୍ଚାୟତରାଜ ଓ ଶକ୍ତି ବିଭାଗ । ଅତିରିକ୍ତ ବଜେଟରେ ରାସ୍ତା ଓ ସେତୁ ମରାମତି ରକ୍ଷଣାବେକ୍ଷଣ ପାଇଁ ୨୪୧.୩୫ କୋଟି ବରାଦ ହୋଇଛି । ସେହିଭଳି କୃଷକ କଲ୍ୟାଣ, ଖାଦ୍ୟ ନିରାପତ୍ତା ଓ ଜଳ ସେଚନ ପାଇଁ ୨୧୪୭ କୋଟି ବରାଦ କରିଛନ୍ତି । ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମକୁ ସରକାର ଅଗ୍ରାଧିକାର ଦେଇ ୫୮୪.୯୨ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି । କୋଭିଡକୁ ଆଖି ଆଗରେ ରଖି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଜନସ୍ୱାସ୍ଥ୍ୟ ପାଇଁ ଭଣ୍ଡାର ଖୋଲିଛନ୍ତି ।

ଜନସ୍ୱାସ୍ଥ୍ୟରେ ସରକାର ଖର୍ଚ୍ଚ କରିବେ ୨୦୩୮ କୋଟି । ଏଥିରୁ BSKYରେ ୪୯୮.୫୧ କୋଟି ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ବିକାଶରେ ଖର୍ଚ୍ଚ ହେବ ୧୭୬. ୨୬ କୋଟି । ସେହିପରି ମହିଳା ସଶକ୍ତିକରଣ ଓ ଶିଶୁ ବିକାଶକୁ ଅତିରିକ୍ତ ବଜେଟରେ ବେଶ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ୨୫୩.୦୨ କୋଟି ବରାଦ କରାଯାଇଛି । ଆଦିବାସୀ ବିକାଶ ପାଇଁ ୧୭୪.୫୧ କୋଟି, ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶରେ ୧୩ଶହ ୧୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ଲକ୍ଷ୍ୟ ରଖି ପାଣ୍ଠି ବରାଦ କରିଛନ୍ତି । ସେହିପରି କୃଷକ କଲ୍ୟାଣକୁ ମଧ୍ୟ ଫୋକସ କରି ୨୧ ଶହ ୪୭ କୋଟି ବରାଦ କରାୟାଇଛି ।

Spread the love