ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ମୁଖ୍ୟ ଶାସନ ସଚିବ ଓ ଆଇନ ସଚିବଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ଜବାବତଲବ ନୋଟିସ କରିଥିବା ଜଣାଯାଇଛି। ଏହି ପ୍ରସଙ୍ଗରେ ଜବାବ ଦାଖଲ କରିବାକୁ ଓଡ଼ିଶା ମୁଖ୍ୟ ଶାସନ ସଚିବ ଓ ଆଇନ ସଚିବଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି।
ସୂଚନାଯୋଗ୍ୟ, ଇନକ୍ୱାରୀ ଅଫ୍ କମିଶନ ଆକ୍ଟ ଫଲୋ କରିନାହାନ୍ତି ରାଜ୍ୟ ସରକାର। ନଭେମ୍ବର ୨୦୧୮ରୁ ଜଷ୍ଟିସ ରଘୁବୀର ଦାସ କମିଶନ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ସାରି ସରକାରଙ୍କ ଆଇନ ବିଭାଗକୁ ହସ୍ତାନ୍ତର କରିସାରିଥିବା ସତ୍ତ୍ୱେ କାହିଁକି ଏହାକୁ ସାର୍ବଜନୀନ କରୁ ନାହାନ୍ତି ସରକାର। ଏହି ଆବେଦନ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସମାଜସେବୀ ଦିଲ୍ଲୀପ ବରାଳ। ମାମଲାକୁ ଗ୍ରହଣ କରି ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍ତା ଜୁଲାଇ ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଧାର୍ଯ୍ୟ ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନୁପ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।ଉଲ୍ଲେଖଯୋଗ୍ୟ, ୨୦୧୮ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କମିସନ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିଥିଲେ। ଚାବି ହଜିବା ପ୍ରସଙ୍ଗ ନେଇ ଜଷ୍ଟିସ୍‌ ରଘୁବୀର ଦାସ କମିସନଙ୍କ ସଚିବ ଗୃହ ବିଭାଗ ଅନୁ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ତଦନ୍ତ କମିସନ୍‌ ରାଜ୍ୟ ସରକାରଙ୍କ ଆଇନ ବିଭାଗ ଓ ଗୃହ ବିଭାଗକୁ ୩୨୪ ପୃଷ୍ଠାର ଏହି ତଦନ୍ତ ରିପୋର୍ଟ ୨୦୧୮ ନଭେମ୍ବର ୩୦ରେ ପ୍ରଦାନ କରିଥିଲେ। ସେ ସମୟରେ ଏ ବାବଦକୁ ରାଜ୍ୟ ସରକାର ରାଜକୋଷରୁ ୨୨ଲକ୍ଷ ୨୭ହଜାର ୯୧୮ ଟଙ୍କା ଖର୍ଚ୍ଚ କରିଥିଲେ।  ଏହି ରିପୋର୍ଟ ଦାଖଲ ହେବା ଚାରି ବର୍ଷ ପୂରିଯାଇଛି। ତଥାପି ରିପୋର୍ଟ ସାର୍ବଜନୀନ ହୋଇପାରିନି।

Spread the love