ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ଲୋକସେବା ଭବନର ବିଶ୍ଵସ୍ତରୀୟ ସମ୍ମିଳନୀ କକ୍ଷ

ଆଜି ଲୋକସେବା ଭବନରେ ବିଶ୍ଵସ୍ତରୀୟ ସମ୍ମିଳନୀ କକ୍ଷ ଉଦଘାଟନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ୪୦ କୋଟି ଅର୍ଥ ବ୍ୟୟରେ ଏହି ବିଶ୍ଵସ୍ତରୀୟ ସମ୍ମିଳନୀ କକ୍ଷର ନିର୍ମାଣ କରାଯାଇଛି। ଏଥିରେ ଓଡ଼ିଶାର କଳା, ଐତିହ୍ୟ ଓ କାରୁକାର୍ଯ୍ୟର ଝଲକ ଦେଖିବାକୁ ମିଳିବ। ଭିଡ଼ିଓ ଦେଖିବାକୁ କାନ୍ଥରେ ଏଲଇଡ଼ି ସୁବିଧା ମଧ୍ୟ ରଖାଯାଇଛି। ଏତଦ୍ ବ୍ୟତୀତ ଅତ୍ୟାଧୁନିକ ଲାଇବ୍ରେରି ଏବଂ ଏଠାରେ ଥିବା ଫୁଡ଼ ପ୍ଲାଜାରେ ଥରକରେ ୧୦୦ ଜଣ ବସିବା ଭଳି ସୁବିଧା ରହିଛି । ଏହି ସମ୍ମିଳନୀ କକ୍ଷ ଇକୋ ଫ୍ରେଣ୍ଡଲି, ସୌରଶକ୍ତି ଦ୍ୱାରା ପରିଚାଳିତ ହେବା ସହ ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ତେବେ ଲୋକସଭା ସମ୍ମିଳନୀ କକ୍ଷର ଅଭାବ ରହୁଥିବାରୁ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ରାଜଧାନୀରେ ସରକାରୀ ଅଡ଼ିଟୋରିୟମ ଅଭାବ ପଡ଼ୁଥିବାରୁ ଏହାକୁ ନଜରରେ ରଖି ଏହି କନଭେନସନ ହଲର ନିର୍ମାଣ କରାଯାଇଛି ।

ସବୁ ଦୃଷ୍ଟିରୁ ଯେପରି କନଭେନସନ୍ ସେଣ୍ଟର ଆକର୍ଷଣୀୟ ହେବ ସେଥିପ୍ରତି ଧ୍ୟାନ ଦିଆଯାଇଛି। ପଞ୍ଚାୟତିରାଜ ବିଭାଗ ପଛ ପାର୍ଶ୍ୱରେ ୫୧୮୦ ବର୍ଗମିଟର ଅଞ୍ଚଳରେ ଏହି ଅତ୍ୟାଧୁନିକ କନଭେନସନ୍ ସେଣ୍ଟର ନିର୍ମାଣ ହୋଇଛି। ଏହା ଦୁଇ ମହଲା ବିଶିଷ୍ଟ ହୋଇଥିବା ବେଳେ ତଳ ମହଲାରେ ପ୍ରବେଶ ଲବି ସହ ୩୯୦ ସିଟ୍ ବିଶିଷ୍ଟ ସମ୍ମିଳନୀ କକ୍ଷ ରହିଛି। ଏଥିରେ ଗୋଟିଏ କାନ୍ଥରେ ଭିଡିଓ ଦେଖିବା ପାଇଁ ଏଲ୍ଇଡି ଲାଗିଛି। ଏଥିରେ ଲାଇନ୍ ଆରେ ସ୍ପିକର୍ ବ୍ୟବସ୍ଥା ହୋଇଛି। ଏହି ସମ୍ମିଳନୀ କକ୍ଷଟିକୁ ବିଶ୍ଵସ୍ତରୀୟ କରାଯାଇଛି।

ସୂଚନା ଅନୁଯାୟୀ, ଏହି ସମ୍ମିଳନୀ କକ୍ଷ କାର୍ଯ୍ୟକ୍ଷମ ହେଲେ ସରକାର ତାଙ୍କର ସମସ୍ତ ସରକାରୀ କାର୍ଯ୍ୟକ୍ରମ ଏଠାରେ କରିବେ। ଆଉ ତାରକା ହୋଟେଲ ଭଡ଼ା ନେବାକୁ ପଡ଼ିବନି। ଏତଦ୍ ବ୍ୟତୀତ ତଳ ମହଲାରେ ଗୋଟିଏ ୮୦ରୁ ୯୦ ସିଟ୍ ବିଶିଷ୍ଟ ବକ୍ବେଟ୍ ହଲ୍ ରହିଛି। ଗୋଟିଏ ୬୦ଜଣ ବସିବା ଭଳି ଲବି ଏବଂ ସ୍ଵତନ୍ତ୍ର ଭିଆଇପି ଲାଉଞ୍ଜ୍ ରହିଛି। ଏଠାରେ ଗୋଟିଏ ଭିଆଇପି ରୁମ୍, ଦୁଇଟି ଗ୍ରିନ୍ ରୁମ୍, ଗୋଟିଏ ଲେଖାଏ ରେକର୍ଡ ରୁମ୍, କଣ୍ଟ୍ରୋଲ ରୁମ୍, ମେଡିକାଲ ରୁମ୍ ଏବଂ କାର୍ଯ୍ୟାଳୟ ପାଇଁ ସ୍ଵତନ୍ତ୍ର ସ୍ଥାନ ରହିଛି। ଏଠାରେ ବିଭିନ୍ନ ବୈଠକ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ଭଳି ବ୍ୟବସ୍ଥା କରାଯାଉଛି। ସେହିପରି ଉପର ମହଲାରେ ୧୦୩ସିଟ୍ ବିଶିଷ୍ଟ କନଫରେନ୍ସ ହଲ୍ ରହିବ। ଏହାବାଦ୍ ଦୁଇଟି ଛୋଟ ସମ୍ମିଳନୀ କକ୍ଷ ରହିବ। ଏଥିରୁ ଗୋଟିଏ ୩୦ସିଟ୍ ବିଶିଷ୍ଟ ଏବଂ ଆଉ ଗୋଟିଏ ୧୫ସିଟ୍ ବିଶିଷ୍ଟ ରହିବ। ଅତ୍ୟାଧୁନିକ ଲାଇବ୍ରେରି, ଦୁଇଟି ରୁମ୍, ୧୦୦ଜଣ ବସିବା ଭଳି ଫୁଡ୍ ପ୍ଲାଜା, କାର୍ଯ୍ୟାଳୟ ରହିବ। ଏହି ମହଲାଟିକୁ ଓଭାଲ୍ ଆକାରରେ ନିର୍ମାଣ କରାଯାଇଛି।

Spread the love