ଇଣ୍ଡିଆଟୁଡ଼େ ସର୍ଭେ: ସବୁଥିରେ ଓଡ଼ିଶା ପଛୁଆ

ଗଭର୍ଣ୍ଣାନ୍ସଠୁ ଆରମ୍ଭ କରି ଶିକ୍ଷା,ସ୍ୱାସ୍ଥ୍ୟ, ଉଦ୍ୟୋଗୀ, ଆଇନଶୃଙ୍ଖଳା, ମୌଳିକ ଭିତ୍ତିଭୂମି ତଥା ସାମଗ୍ରିକ ବିକାଶରେ ଓଡ଼ିଶାର ବିକଟାଳ ସ୍ଥିତି ଓ ନିକୃଷ୍ଟ ପ୍ରଦର୍ଶନର ଚିତ୍ରକୁ ଦେଶର ପ୍ରତିଷ୍ଠିତ ପତ୍ରିକା ‘ଇଣ୍ଡିଆ ଟୁଡେ’ର ୨୦ତମ ବାର୍ଷିକ ସର୍ଭେ ରିପୋର୍ଟ ପଦାରେ ପକାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ଅନ୍ୟମାନଙ୍କ ପାଇଁ ମଡେଲ ବୋଲି କଥା କଥାରେ ଦମ୍ଭୋକ୍ତି ଦେଖାଉଥିବା ଶାସକ ବିଜେଡିର ନେତା-ମନ୍ତ୍ରୀଙ୍କ ପାଇଁ ‘ଇଣ୍ଡିଆ ଟୁଡେ’ର ଏହି ସର୍ଭେ ରିପୋର୍ଟ ଚକିତ କରିଦେବା ଭଳି ହୋଇଛି । ଆଉ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ଚାଲିଥିବା ୨୨ବର୍ଷର ସରକାରର ସଫଳତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

‘ଇଣ୍ଡିଆଟୁଡ଼େ’ ନିଜର ୨୦ତମ ବାର୍ଷିକ ସର୍ଭେରେ ୧୨ଟି କ୍ଷେତ୍ରର ବର୍ତ୍ତମାନର ତଥ୍ୟ ଏବଂ ଗତ ୫ବର୍ଷର ତଥ୍ୟକୁ ବିଶ୍ଲେଷଣ କରି ରାଜ୍ୟଗୁଡ଼ିକର ସଫଳତାକୁ ଆକଳନ କରିଛି । ଆଉ ଏହି ୧୨ଟି କ୍ଷେତ୍ର(ବର୍ଗ) ମଧ୍ୟରୁ କୌଣସି ଗୋଟିଏରେ ବି ପ୍ରଥମ ୫ଟି ସ୍ଥାନ ମଧ୍ୟରେ ରହିବାରେ ଓଡ଼ିଶା ସକ୍ଷମ ହୋଇପାରିନି ।ଦିଲ୍ଲୀର ଥିଙ୍କଟ୍ୟାଙ୍କ ସଂସ୍ଥା ମାର୍କେଟିଂ ଆଣ୍ଡ ଡେଭଲପମେଂଟ ରିସର୍ଚ୍ଚ ଆସୋସିଏଟ(ଏମଡିଆରଏ)ର ସହଯୋଗରେ ଇଣ୍ଡିଆ ଟୁଡେର ଉକ୍ତ ସର୍ଭେ ୨୦୨୨ ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ବିଭିନ୍ନ ତଥ୍ୟ ଓ ଦସ୍ତାବିଜର ସହଯୋଗରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ଇଣ୍ଡିଆ ଟୁଡେ ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁସାରେ, ୫୦ଲକ୍ଷରୁ ଅଧିକ ଜନସଂଖ୍ୟା ଓ ୩୫ହଜାର ବର୍ଗକିମି ଅଂଚଳ ଥିବା ୨୦ଟି ରାଜ୍ୟକୁ ବୃହତ୍ ରାଜ୍ୟ ଏବଂ ଅନ୍ୟଗୁଡ଼ିକ କ୍ଷୁଦ୍ର ରାଜ୍ୟ ଭାବେ ବର୍ଗୀକୃତ କରାଯାଇଛି । ୧୨ଟି ମାନଦଣ୍ଡ ଆଧାରରେ ଦେଶର ସମସ୍ତ ରାଜ୍ୟ ମଧ୍ୟରେ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ’ ଓ ‘ସର୍ବାଧିକ ସଂସ୍କାର ଆଣିଥିବା ରାଜ୍ୟ’ ଭାବେ ରେଖାଙ୍କିତ କରାଯାଇଛି । ଯେଉଁ ୧୨ଟି କ୍ଷେତ୍ରରେ ରାଜ୍ୟଗୁଡ଼ିକର ର‌୍ୟାଙ୍କ୍ ଅବା ତାଲିକା ପ୍ରସ୍ତୁତ ହୋଇଛି ସେଗୁଡ଼ିକ ହେଲା ଭିତ୍ତିଭୂମି, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା, ଗଭର୍ଣ୍ଣାନ୍ସ (ଶାସନ), ସାମଗ୍ରିକ ବିକାଶ, ଉଦ୍ୟୋଗୀ, ପର୍ଯ୍ୟଟନ, ପରିବେଶ, ସ୍ୱଚ୍ଛତା ଓ ଅର୍ଥନୀତି । ଏସବୁ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ବର୍ଗ ପାଇଁ ୨୦୮୦ ପଏଂଟ ଓ ସର୍ବାଧିକ ସଂସ୍କାର ବର୍ଗ ପାଇଁ ୨ହଜାର ପଏଂଟ ରଖାଯାଇଥିଲା । ତେବେ ଶ୍ରେଷ୍ଟ ପ୍ରଦର୍ଶନକାରୀ ରାଜ୍ୟ ଭାବେ ତାମିଲନାଡୁ ଶୀର୍ଷରେ ରହିଥିବାବେଳେ ସର୍ବାଧିକ ସଂସ୍କାର ବା ସୁଧାର ଆଣିଥିବା ରାଜ୍ୟ ବର୍ଗରେ ଆସାମ ଶୀର୍ଷରେ ଅଛି । ତେବେ ଶ୍ରେଷ୍ଠ ପ୍ରଦର୍ଶନକାରୀ ବଡ଼ ରାଜ୍ୟ ତାଲିକାରେ ଓଡ଼ିଶାର ସ୍ଥାନ ୨୦ରୁ ୧୫ ନମ୍ବରରେ ଥିବାବେଳେ ସର୍ବାଧିକ ସୁଧାର ଆଣିଥିବା ରାଜ୍ୟ ତାଲିକାରେ ଓଡ଼ିଶା ୧୨ ନମ୍ବରରେ ରହିଛି । ସବୁଠୁ ଉଦବେଗର ବିଷୟ ହେଉଛି, ନବୀନଙ୍କ ଶାସନ ମଡେଲକୁ ‘ସୁଶାସନ’ ବୋଲି ଶାସକ ବିଜେଡି ଦାବି କରୁଥିବାବେଳେ ‘ଗଭର୍ଣ୍ଣାନ୍ସ’ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ବୃହତ ରାଜ୍ୟ ତାଲିକାରେ ଓଡ଼ିଶା ତଳଆଡ଼ୁ ଦ୍ୱିତୀୟରେ ରହିଛି । ଅର୍ଥାତ ୨୦ଟି ବୃହତ୍ ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ଗଭର୍ଣ୍ଣାନ୍ସ କ୍ଷେତ୍ରରେ ୧୯ ନମ୍ବରରେ ରହିଛି । ମହାରାଷ୍ଟ୍ର ୧ ନମ୍ବରରେ ରହିଥିବାବେଳେ ପଞ୍ଜାବ ୨୦ରେ ଅଛି । ତେବେ ଗଭର୍ଣ୍ଣାନ୍ସରେ ସର୍ବାଧିକ ସଂସ୍କାର ଆଣିବା ରାଜ୍ୟ ମଧ୍ୟରେ ଶୀର୍ଷରେ ପଞ୍ଜାବ ଥିବାବେଳେ ଓଡ଼ିଶାର ସ୍ଥାନ ଅଷ୍ଟମରେ ରହିଛି । ଯଦିଓ ଓଡ଼ିଶା ସରକାର ‘ଫାଇଭ-ଟି’ ଓ ‘ମୋ ସରକାର’ ମଡେଲ କଥାର ଦ୍ୱାହି ଦେଉଛନ୍ତି।

ସେହିପରି ନିଜର ସ୍ୱାସ୍ଥ୍ୟ ଚିକିତ୍ସା ମଡେଲକୁ ଶ୍ରେଷ୍ଠ ବୋଲି ଓଡ଼ିଶା ଦାବି କରୁଥିଲେ ମଧ୍ୟ ଇଣ୍ଡିଆ ଟୁଡେର ସର୍ଭେ ରିପୋର୍ଟ ଅନୁସାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ତାଲିକାରେ କେରଳ ଶୀର୍ଷରେ ରହିଛି ଓ ଓଡ଼ିଶାର ସ୍ଥାନ ୧୩ରେ ଅଛି । ବିହାର ତଳଆଡ଼ୁ ପ୍ରଥମରେ ଅଛି । ତେବେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଂସ୍କାର ଆଣିଥିବା ପ୍ରମୁଖ ରାଜ୍ୟ ତାଲିକାର ଶୀର୍ଷରେ ହିମାଚଳ ପ୍ରଦେଶ ଓ ସର୍ବନିମ୍ନରେ ଛତିଶଗଡ଼ ରହିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ସଂସ୍କାର ଆଣିଥିବା ରାଜ୍ୟ ତାଲିକାରେ ଓଡ଼ିଶାର ସ୍ଥାନ ୧୧ରେ ରହିଛି । କେବଳ ସେତିକି ନୁହେଁ ଆଇନଶୃଙ୍ଖଳା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ତାଲିକାରେ ଗୁଜୁରାଟ ଶୀର୍ଷରେ ଥିବାବେଳେ ଓଡ଼ିଶାର ସ୍ଥାନ ତଳଆଡ଼ୁ ତୃତୀୟରେ ଅଛି ।ଅର୍ଥାତ ଓଡ଼ିଶାର ସ୍ଥାନ ୨୦ଟି ରାଜ୍ୟ ମଧ୍ୟରେ ୧୮ରେ ରହଛି । ଆସାମ ସର୍ବନିମ୍ନରେ ରହିଛି । ସେହିପରି ସର୍ବାଧିକ ସଂସ୍କାର ଆଣିବା ରାଜ୍ୟ ତାଲିକାର ଶୀର୍ଷରେ ଉତ୍ତରପ୍ରଦେଶ ଥିବାବେଳେ ରାଜସ୍ଥାନ ସର୍ବନିମ୍ନରେ ଅଛି । ଓଡ଼ିଶାର ସ୍ଥାନ ୧୪ରେ ଅଛି ।

ସେହିପରି ସାମଗ୍ରିକ ବିକାଶ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ତାଲିକାରେ ତାମିଲନାଡୁ ଶୀର୍ଷରେ ଥିବାବେଳେ ଓଡ଼ିଶାର ସ୍ଥାନ ଗତବର୍ଷ ତୁଳନାରେ ୬ରୁ ୧୬କୁ ଖସି ଆସିଛି । ସେହିପରି ସାମଗ୍ରିକ ବିକାଶ କ୍ଷେତ୍ରରେ ସଂସ୍କାର ଆଣିବାରେ ଓଡ଼ିଶାର ପ୍ରଦର୍ଶନ ୩ରୁ ୬କୁ ଖସିଛି । ବିହାର ଶୀର୍ଷରେ ରହିଛି ।
ଉଦ୍ୟୋଗୀ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ତାଲିକାରେ ହରିଆଣା ଶୀର୍ଷରେ ଥିବାବେଳେ ବିହାର ନିମ୍ନରେ ରହିଛି । ତେବେ ଓଡ଼ିଶାର ସ୍ଥାନ ୨୦ରୁ ୧୫ରେ ରହିଛି । ସେହିପରି ଏହି କ୍ଷେତ୍ରରେ ସଂସ୍କାର ଆଣିବାରେ ପ୍ରମୁଖ ରାଜ୍ୟ ତାଲିକାରେ ଉତ୍ତରପ୍ରଦେଶ ଶୀର୍ଷରେ ଥିବାବେଳେ କର୍ଣ୍ଣାଟକ ନିମ୍ନରେ ଓ ଓଡ଼ିଶା ତଳଆଡ଼ୁ ଚତୁର୍ଥ ସ୍ଥାନ(୧୭ତମ) ରହିଛି ।

ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ତାଲିକାରେ ଓଡ଼ିଶାର ସ୍ଥାନ ୧୧ ଓ ସଂସ୍କାର ତାଲିକାରେ ୧୦ରେ ଥିବାବେଳେ, ପର୍ଯ୍ୟଟନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ତାଲିକାରେ ଓଡ଼ିଶା ୬ରେ ଓ ସଂସ୍କାର ରାଜ୍ୟ ତାଲିକାରେ ୧୮ରେ ରହିଛି । ଭିତ୍ତିଭୂମି କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ତାଳିକାରେ ଓଡ଼ିଶା ୧୪ ନମ୍ବରରେ ଓ ସୁଧାର ଆଣିଥିବା ରାଜ୍ୟ ତାଲିକାରେ ଓଡ଼ିଶା ୧୦ନମ୍ବରରେ ରହିଛି । କୃଷି କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ତାଲିକାରେ ଓଡ଼ିଶାର ସ୍ଥାନ ତଳଆଡ଼ୁ ତୃତୀୟରେ ରହିଛି । ଅର୍ଥାତ ୨୦ରୁ ୧୮ ନମ୍ବର ସ୍ଥାନରେ ଓଡ଼ିଶା ଥିବାବେଳେ ସର୍ବାଧିକ ସୁଧାର ଆଣିଥିବା ରାଜ୍ୟ ତାଳିକାରେ ଓଡ଼ିଶାର ସ୍ଥାନ ୧୫ରେ ଅଛି । ସୂଚନାଯୋଗ୍ୟ, ଏହି ଇଣ୍ଡିଆ ଟୁଡେ ପତ୍ରିକାର ମୁଡ୍ ଅଫ ନେସନରେ ଚଳିତବର୍ଷ ନବୀନ ପଟ୍ଟନାୟକ ନିଜ ରାଜ୍ୟରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାରେ ଶୀର୍ଷରେ ରହିଥିଲେ ।

Spread the love