ଡେଙ୍ଗୁ: ଖୋର୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଶହ ଟପିଲା

ଭୁବନେଶ୍ବର: ଗତବର୍ଷ ସେପ୍ଟେମ୍ବର ବେଳକୁ ଯେଉଁ ଜିଲ୍ଲାରେ ହାତଗଣତି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ, ଏବର୍ଷ ସେସବୁ ଜିଲ୍ଲା ଡେଙ୍ଗୁରେ ଥରୁଛନ୍ତି। ରୋଗୀଙ୍କ ସଂଖ୍ୟା ୪ଶହ ଟପିଲାଣି। ଏବେ ପ୍ରତ୍ୟେକ ଦିନ ଯେଉଁଭଳି ଭାବେ ରୋଗୀଙ୍କ ସଂଖ୍ୟା ବଢ଼ୁଛି, ଖୁବ୍‌ଶୀଘ୍ର ଏସବୁ ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ହଜାର ଛୁଇଁବା ନେଇ ଆଶଙ୍କା ସୃଷ୍ଟି ହେଲାଣି।

ଖୋର୍ଧା ଜିଲ୍ଲାରେ ଡେଙ୍ଗୁ ନିୟନ୍ତ୍ରଣରେ ନାହିଁ। ଭୁବନେଶ୍ବର ହଟ୍‌ସ୍ପଟ୍‌ ପାଲଟିଛି। ଅନେକ ଅଞ୍ଚଳ ଡେଙ୍ଗୁର ନିୟନ୍ତ୍ରଣରେ ରହିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଳିତ ମାସ ଶେଷ ସୁଦ୍ଧା ଡେଙ୍ଗୁ ନିୟନ୍ତ୍ରଣକୁ ଆସିବ ବୋଲି କୁହାଯାଉଛି। ହେଲେ ଏବେ ଯେଉଁଭଳି ଭାବେ ବର୍ଷା ଲାଗି ରହିଛି, ତାହା ସମ୍ଭବ ହୋଇନପାରେ।
ଡେଙ୍ଗୁ ମୁଖ୍ୟତଃ ସହରାଞ୍ଚଳରେ ଦେଖିବାକୁ ମିଳିଥାଏ। ହେଲେ ଏବେ ଗ୍ରାମାଞ୍ଚଳରେ ମଧ୍ୟ ବ୍ୟାପିଗଲାଣି। ଯଦିଓ ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି, ଅନ୍ୟ ଜିଲ୍ଲାମାନେ ମଧ୍ୟ ଏଥିରେ ପଛରେ ନାହାନ୍ତି। ଗତବର୍ଷ କଟକ, ବାଲେଶ୍ବର, ଜଗତସିଂହପୁର, ପୁରୀ, ନୟାଗଡ଼, ସୁନ୍ଦରଗଡ଼ ଜିଲ୍ଲାରେ ସେପ୍ଟେମର ୩ ତାରିଖ ସୁଦ୍ଧା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୦ଟପି ନ ଥିଲା। ହେଲେ ଚଳିତ ବର୍ଷ ଏସବୁ ଜିଲ୍ଲାରେ ବହୁ ସଂଖ୍ୟାରେ ରୋଗୀ ଚିହ୍ନଟ ହେଲେଣି।
ବାଲେଶ୍ବରରେ ୪୧୩, କଟକ ୪୦୭, ପୁରୀ ୪୪୪, ଜଗତସିଂହପୁର ୨୧୬, ନୟାଗଡ଼ ୧୬୩ ଓ ସୁନ୍ଦରଗଡ଼ରେ ୯୩ ରୋଗୀ ବାହାରିଛନ୍ତି। ଖୋର୍ଧା ଜିଲ୍ଲା ଡେଙ୍ଗୁ ସଂକ୍ରମଣରେ ଆଗରେ ଥିବା ବେଳେ ଜିଲ୍ଲାରୁ ବର୍ତ୍ତମାନ ସୁଦ୍ଧା ୧୫୦୩ ଆକ୍ରାନ୍ତ ଚିହ୍ନଟ ହେଲେଣି। ରାଜ୍ୟରେ ସମୁଦାୟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩୮୨୫କୁ ବୃଦ୍ଧି ପାଇଛି। ଗତବର୍ଷ ଏହି ସମୟରେ ରାଜ୍ୟରେ ୨୩୬୭ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ଗତବର୍ଷ ତୁଳନାରେ ଚଳିତବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା ୬୧% ବୃଦ୍ଧି ହୋଇଛି।

କ୍ୟାପିଟାଲ ହସ୍ପିଟାଲରେ ଏବେ ଦୈନିକ ୩୦୦-୪୦୦ ନମୁନା ପରୀକ୍ଷା ହେଉଛି। ପରୀକ୍ଷା ନମୁନାରୁ ୫% ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ହସ୍ପିଟାଲରେ ଏବେ ପ୍ରାୟ ୫୦ ରୋଗୀ ଚିକିତ୍ସିତ ହେଉଛନ୍ତି। ମାତ୍ର କ୍ୟାପିଟାଲ ହସ୍ପିଟାଲରୁ ଚାପ କମାଇବା ପାଇଁ ଯେଉଁ ଅନ୍ୟ ୪ଟି ୟୁସିଏଚ୍‌ସିରେ ଶଯ୍ୟାର ବ୍ୟବସ୍ଥା ହୋଇଛି, ତହିଁରେ ରୋଗୀଙ୍କୁ ଦେଖିବାକୁ ମିଳୁନାହିଁ। ଚଳିତବର୍ଷ ‌ଜୁଲାଇ ସୁଦ୍ଧା ଦେଶରେ ୩୬ ଜଣଙ୍କ ଡେଙ୍ଗୁରେ ମୃତ୍ୟୁ ହେଲାଣି। ମାତ୍ର ରାଜ୍ୟରେ ଡେଙ୍ଗୁ ମୃତ୍ୟୁ ଶୂନ ରହିଛି। ବେସରକାରୀ ଭାବେ ରାଜ୍ୟରେ ଚଳିତ ବର୍ଷ ୧୦ଜଣ ଡେଙ୍ଗୁରେ ପ୍ରାଣ ହରାଉଥିବା କୁହାଯାଉଥିଲେ ହେଁ ସ୍ବାସ୍ଥ୍ୟ ବିଭାଗ ଗୋଟିଏ ହେଲେ ଘୋଷଣା କରିନାହିଁ। ବିଭିନ୍ନ ବାହାନା କରି ଚାପି ଦିଆଯାଉଛି। ୨୦୨୦ ମସିହାରୁ ସ୍ବାସ୍ଥ୍ୟ ବିଭାଗ ଏହି ପରମ୍ପରା ଜାରି ରଖିଛି। ମ୍ୟାଲେରିଆପ୍ରବଣ କନ୍ଧମାଳ ଜିଲ୍ଲାରେ ଗତ ଦୁଇମାସ ମଧ୍ୟରେ ୧୧ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମୋଟ ୪୫୦ ରକ୍ତ ନମୁନା ପରୀକ୍ଷଣ ପରେ ଏହି ରୋଗୀ ଚିହ୍ନଟ ହୋଇଛନ୍ତି। ବିଶେଷକରି ଫୁଲବାଣୀ ପୌରପାଳିକା, ଘୁ.ଉଦୟଗିରି ଏବଂ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ପରିମଳ ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ିଛି।

Spread the love