‘ଓଡ଼ିଶା ମୋ ପରିବାର’ ସହାୟତାରେ ଅହମ୍ମଦାବାଦରୁ ଯାଜପୁର ଫେରିଲା ୩ ମୃତଦେହ

‘ଓଡ଼ିଶା- ମୋ ପରିବାର’ ସହାୟତାରେ ଅହମ୍ମଦାବାଦରୁ ଯାଜପୁର ଫେରିଲା ୩ ଶ୍ରମିକଙ୍କ ମୃତଦେହ । ସୂଚନାଯୋଗ୍ୟ, ୨୦ ତାରିଖ ଦିନ ଗୁଜୁରାଟର ଅହମ୍ମଦାବାଦ ଲୋଟସ ସୂତା କଳରେ କାମ କରୁଥିବା ସମୟରେ ଗ୍ୟାସ୍ ଟାଙ୍କରେ ନିଆଁ ଲାଗିବା ଫଳରେ ଯାଜପୁର ଜିଲ୍ଲାର ୩ ଜଣ ଶ୍ରମିକଙ୍କ ପ୍ରାଣ ଯାଇଥିଲା । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକ ମାନେ ହେଲେ ରେକାବୀ ବଜାର ଅଞ୍ଚଳର ଦୟାନିଧି ଖୁଣ୍ଟିଆ, ଚିନ୍ମୟ ଖୁଣ୍ଟିଆ ଓ କାମେଶ ସିଂ । ମୃତଦେହ ଗୁଡିକୁ ଅହମ୍ମଦାବାଦରୁ ଓଡ଼ିଶା ଫେରାଇ ଆଣିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ପରିବାର ଲୋକ । ଏଥିରେ ସହଯୋଗର ହାତ ବଢାଇଥିଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ପ୍ରକାଶ ଦାସ ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା-ମୋ ପରିବାରର ସଂଯୋଜକ ଅରୂପ ପଟ୍ଟନାୟକଙ୍କ ଦୃଷ୍ଟି ଗୋଚର କରାଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ‘ଓଏସଡି’ ଡ଼. ଗୋପବନ୍ଧୁ ଦାଶ ଓଡ଼ିଶାର ଶ୍ରମ ଆୟୁକ୍ତଙ୍କ ସହାୟତାରେ ଗୁଜୁରାଟର ଶ୍ରମ ଆୟୁକ୍ତଙ୍କ ସହ ସମ୍ପର୍କ କରି ମୃତ ଯୁବକ ମାନଙ୍କ ପରିବାରକୁ ଲୋଟସ ସୂତା କଳ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରିବାକୁ ଜଣାଇଥିଲେ । ଏହି ଘଟଣାରେ ଶ୍ରମ ଆୟୁକ୍ତଙ୍କ ହସ୍ତକ୍ଷେପ ପରେ ଶବ ପରୀକ୍ଷା କରାଯାଇ ସୋମବାର ଅପରାହ୍ନରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିଦିଆଯାଇଛି । ମୃତଦେହକୁ ଅହମ୍ମଦାବାଦରୁ ଜନ୍ମମାଟି ଯାଏଁ ଆଣି ଆସୁଥିବା ଆମ୍ବୁଲାନ୍ସର ଭଡା ଖର୍ଚ୍ଚ ବହନ କରିଛନ୍ତି । ଓଡିଆ ଶ୍ରମିକଙ୍କ ମର ଶରୀର ମଙ୍ଗଳବାର ଅପରାହ୍ନରେ ନିଜ ଜନ୍ମମାଟିରେ ପହଞ୍ଚିଛି । ମର ଶରୀର ଗାଁ ମୁଣ୍ଡରେ ପହଂଚିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମର ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗାଁ ଶ୍ମଶାନରେ ଶେଷ କୃତ୍ୟ ସଂପନ୍ନ କରାଯାଇଛି।

Spread the love