ସଙ୍ଗୀତ ଜଗତରେ ଅନନ୍ୟ ପ୍ରତିଭାଧାରୀ ପବିତ୍ର ପଟ୍ଟନାୟକ

ଜୀବନୀ ସଂକ୍ଷେପରେ…
ଭୁବନେଶ୍ୱର : ଓଡିଶା ସଙ୍ଗୀତ ଜଗତରେ  ପବିତ୍ର ପଟ୍ଟନାୟକ ହେଉଛନ୍ତି ଓଡ଼ିଶାର ଜଣେ ଅନନ୍ୟ  ପ୍ରତିଭାଧରି ବିନ୍ଧାଣି। ତାଙ୍କ ଜନ୍ମ ୧୯୬୨ ମସିହା ମାର୍ଚ୍ଚ ୮ ତାରିଖ ଅବିଭକ୍ତ କଟକ ଜିଲ୍ଲା (ଅଧୁନା ଜଗତସିଂହପୁର ଜିଲ୍ଲା) ରଘୁନାଥପୁର ଥାନା ଓ ବ୍ଲକ୍‌ ଅଧିନସ୍ଥ ତଅଁରା ଗ୍ରାମ ପଞ୍ଚାୟତର ‘କରଡ଼ା’ ଗ୍ରାମରେ। ସାରସ୍ୱତ ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ବାସିନୀ ମା’ ସାରଳା ଓ ଆଦି କବି ସାରଳା ଦାସଙ୍କ ପୀଠର ଅନତି ଦୂରରେ ତାଙ୍କର ଗାଁ ଅବସ୍ଥିତ । ପିତା ସ୍ୱର୍ଗତ ଦୁର୍ଯ୍ୟୋଧନ ନାୟକ ଓ ମାତା ସ୍ୱର୍ଗତ ସାରଳା ଦେବୀଙ୍କର ସେ ଜ୍ୟେଷ୍ଠ ପୁତ୍ର । ବାଲ୍ୟକାଳରୁ ସେ ସଂଗୀତ ଅନୁରାଗୀ ଓ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ହାରମୋନିୟମ ବଜାଇ ଗୀତ ଗାଇବା ଆରମ୍ଭ କରିଥିଲେ । ରେଡ଼ୁଆ ସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ସ୍କୁଲ ଡ୍ରାମା ଓ ଗୀତନାଟ୍ୟରେ ଗୀତ ଗାଇ, ସଂଗୀତ ସଂଯୋଜନା କରି ପ୍ରଚଣ୍ଡ ପ୍ରତିଭାର ପରିଚୟ ଦେଇଥିଲେ । ମାଟ୍ରିକ୍ୟୁଲେସନ ପରେ କଟକ କଳା ବିକାଶ କେନ୍ଦ୍ରରେ ଓଡ଼ିଶୀ ଗୁରୁ ନିରୋଜ ନିଳନୀ କୁଆଁରଙ୍କଠାରୁ କିଛି ଓଡ଼ିଶୀ ସଂଗୀତ ଶିକ୍ଷା କରିଥିଲେ ଓ ପରବର୍ତ୍ତୀ ସମୟରେ ଗୁରୁ ସ୍ୱର୍ଗତ ବାଇଧର ନାୟକଙ୍କ ଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ଶିକ୍ଷା କରି ଅଖିଳ ଭାରତ ଗାନ୍ଧର୍ବ ମହାବିଦ୍ୟାଳୟ ଅଧୀନରେ ସଂଗୀତ ବିଶାରଦ ଡିଗ୍ରୀ ହାସଲ କରିଥିଲେ । ସେ ଶିକ୍ଷାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଅଧୁନା ଏ.ଜି. (ଅଡିଟ) କାର୍ଯ୍ୟାଳୟ, ଭୁବନେଶ୍ୱରରେ ଆସିଷ୍ଟାଣ୍ଟ ଅଡିଟ୍‌ ଅଫିସର ଭାବରେ କାର୍ଯ୍ୟରତ ।

ଜଗତସିଂହପୁରର ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ଏବଂ କଲେଜ ଜୀବନଠାରୁ ଆରମ୍ଭ କରି ସରକାରୀ ଚାକିରୀରେ ବ୍ୟସ୍ତ ବହୁଳ ଜୀବନ ଭିତରେ ଛୁଟି ଓ ଅବସର ସମୟରେ ଅଦ୍ୟାବଧି ଯାତ୍ରା, ଡ୍ରାମା, ଥିଏଟର, ଲଘୁ ସଂଗୀତ ଠାରୁ ଆରମ୍ଭ କରି ଓଡ଼ିଆ ଚଳଚ୍ଚିତ୍ର ପର୍ଯ୍ୟନ୍ତ ତିନି ହଜାରରୁ ଊର୍ଦ୍ଧ୍ୱ ଗୀତରେ ସଂଗୀତ ନିର୍ଦ୍ଦେଶନା ଦେବା ସଙ୍ଗେ ସଙ୍ଗେ କଣ୍ଠଦାନ ମଧ୍ୟ କରିଛନ୍ତି । ସୁଗମ ସଂଗୀତ (ଲଘୁ ସଂଗୀତ) କ୍ଷେତ୍ରରେ ତାଙ୍କର ଦାନ ଅତୁଳନୀୟ ଓ ସାରା ଓଡ଼ିଶାରେ ଏକ ପରିଚିତ ଚେହେରା । ଅଡିଟ ଚାକିରୀର ବ୍ୟସ୍ତବହୁଳ ଜୀବନ ଭିତରେ ଦୀର୍ଘ ୩୦ବର୍ଷ ଧରି ଲଘୁ ସଂଗୀତ ଜରିଆରେ ଓଡ଼ିଶାର ଲୋକଙ୍କର ମନୋରଞ୍ଜନ କରିବାରେ ସେ ଏକ ବିରଳ ବ୍ୟକ୍ତିତ୍ତ୍ୱ । ପଶ୍ଚିମ ଓଡ଼ିଶାରେ ଯାତ୍ରା ଓ ନାଟକ ମାଧ୍ୟମରେ ପୂ୍ର୍ବ ଓଡ଼ିଶାର ଲଘୁ ସଂଗୀତକୁ ପରିଚିତ ଓ ଲୋକପ୍ରିୟ କରାଇବାରେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି । ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲା, ବରପାଲୀ ବ୍ଲକ୍‌ ଅଧୀନସ୍ଥ ‘ସତଲମା’ ଗ୍ରାମରେ ସେ ସୁଜନୀ ନାମକ ଏକ ଅନୁଷ୍ଠାନ ଗଢିଛନ୍ତି ଓ ଅବସର ପରେ ପଶ୍ଚିମ ଓଡ଼ିଶାର ଲୋକ ସଂଗୀତ ଓ ପୂର୍ବ ଓଡ଼ିଶାର ଲଘୁ ସଂଗୀତ ମାଧ୍ୟମରେ ସମନ୍ୱୟ ସମ୍ୱନ୍ଧରେ ସେ ଗବେଷଣା ଜାରି ରଖିବା ସହିତ ଦେଶ ବିଦେଶରେ ଏହାର ଲୋକପ୍ରିୟତା କରାଇବା ପାଇଁ ସେ ଦୃଢ ପରିକର ।

Spread the love