ଓଡିଶାର ପଦକ୍ଷେପକୁ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା

ଭୁବନେଶ୍ୱର: କରୋନା ଯୁଦ୍ଧକୁ ଏକ ମାସ ପୂରଣ ହୋଇଛି । ସେପଟେ ଏହି ସମୟରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି। ସେହିପରି ଆଗାମୀ ଦିନରେ ମଧ୍ୟ ରାଜ୍ୟରେ କରୋନା ମୁକାବିଲା ପାଇଁ ଅଧିକରୁ ଅଧିକ ପଦକ୍ଷେପ ନିଆଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ।

ରାଜ୍ୟରେ ମାର୍ଚ୍ଚ୧୫ ରୁ କରୋନା ମହାମାରୀ ପାଇଁ ସରକାର ବିଭିନ୍ନ ପଦକ୍ଷପ ନେଇଥିଲେ। ପ୍ରଥମ ଦିନ ରୁ ୨୫୦ ରୁ ୩୦୦ ଟେଷ୍ଟ କରାଯାଉଥିବା ବେଳେ ବର୍ତମାନ ସମୟରେ ୭୦୦ ଟେଷ୍ଟ କରାଯାଉଛି। ବର୍ତ୍ତମାନ ସମୟରେ ରାଜ୍ୟରେ ୬୦ ଟି ପଜେଟିଭ କେସ ବାହାରିଛି।

ସେହିପରି ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ କୋଭିଡ ୧୯ ଉପରେ ସମୀକ୍ଷା କରିଛନ୍ତି। ଏକ ସପ୍ତାହ ମଧ୍ୟରେ ୩୫ ଟି କୋଭିଡ ୧୯ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତମାନ ରାଜ୍ୟରେ ୨୦ ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଗଲାଣି। ୧୮ ଜିଲ୍ଲା ଏଥିରେ ସାମିଲ ହୋଇଛନ୍ତି ।

ଏହି କୋଭିଡ ୧୯ ହସ୍ପିଟାଲରେ ୩୪୪୬ ଟି ବେଡ୍ ଥିବାବେଳେ ୧୯୭ ଟି ଆଇସିୟୁ ବେଡ୍ ରହିଛି। ଅନ୍ୟ ଜିଲ୍ଲାରେ ବାକି ୧୫ ଟି ହସ୍ପିଟାଲ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ୨ ହଜାର ୨୮୨ ଟି ଶଯ୍ୟା ଏବଂ ୩୮ ଟି ଆଇସିୟୁ ସୁବିଧା ରହିବ ବୋଲି ସେ କହିଛନ୍ତି ।

ସେହିପରି ରାଜ୍ୟରେ ୫୫୦୦ ଗ୍ରାମ ପଂଚାୟତରେ ୩ ଲକ୍ଷ ୪୪ ହଜାର ୯୪୪ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ୪୪ ଟି ପୌରାଂଚଳରେ ୩୩ ହଜାର ୬୮୮ ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି ବୋଲି ସେ ଦର୍ଶାଇଛନ୍ତି ।

Spread the love