ସାଇବର ସୁରକ୍ଷା ଅଭିଯାନ ପାଇଁ ଓଡ଼ିଶା ପୁଲିସ ଦିଲ୍ଲୀରେ ପୁରସ୍କୃତ

ଭୁବନେଶ୍ବର: ସାଇବର ସୁରକ୍ଷା ଅଭିଯାନ-୨୦୨୩ ପାଇଁ ଓଡ଼ିଶା ପୁଲିସ ଦିଲ୍ଲୀରେ ପୁରସ୍କୃତ ହୋଇଛି। କାନପୁର ଆଇଆଇଟିର ଏଆଇଆଇଇ ସେଣ୍ଟର ଫର୍‌ ଏକ୍ସଲେ‌ନ୍‌ସ ସହଯୋଗରେ ଫ୍ୟୁଚର କ୍ରାଇମ୍‌ ରିସର୍ଚ୍ଚ ଫାଉଣ୍ଡେସନ୍‌ (ଏଫ୍‌ସିଆରଏଫ୍‌) ପକ୍ଷରୁ ଦିଲ୍ଲୀରେ ଆୟୋଜିତ ଦୁଇ ଦିନିଆ କାର୍ଯ୍ୟକ୍ରମ ‘ଫ୍ୟୁଚର କ୍ରାଇମ୍‌ ସମ୍ମିଳନୀ-୨୦୨୪’ ରେ ସାଇବର ଇନିସିଏଟିଭ୍‌ ବର୍ଗରେ ଏହି ପୁରସ୍କାର ପ୍ରାପ୍ତ ହୋଇଛି। ଡିଜିପିଙ୍କ ତରଫରୁ କ୍ରାଇମ୍‌ବ୍ରାଞ୍ଚ ଆଇଜି ସଫିନ୍‌ ମହମ୍ମଦ କେ ଏହି ପୁରସ୍କାର ଗ୍ରହଣ କରିଛନ୍ତି।ସୂଚନାଯୋଗ୍ୟ, ଦିନକୁ ଦିନ ସାଇବର କ୍ରାଇମ୍‌ ଘଟଣା ବଢୁଥିବା ବେଳେ ଏହାରି ଉପରେ ଜନସଚେତନା ସୃଷ୍ଟି କରିବା ପାଇଁ ଗତ ସେପ୍ଟେମ୍ବର ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଇବର ସୁରକ୍ଷା ଅଭିଯାନ-୨୦୨୩ର ଶୁଭାରମ୍ଭ କରିଥିଲେ। ୧୫ ଦିନିଆ ଏହି ଅଭିଯାନରେ ସାଇବର କ୍ରାଇମ୍‌ ଉପରେ ଲୋକଙ୍କୁ ସଚେତନ କରାଇବାର ମୂଳ ଉଦ୍ଦେଶ୍ୟ ରହିଥିଲା। ସାଇବର ଠକମାନଙ୍କ ଠାରୁ ବର୍ତ୍ତିବା ପାଇଁ କେଉଁ ଉପାୟ ଅବଲମ୍ବନ କରାଯାଇ ପାରିବ, ସେନେଇ ବାର୍ତ୍ତା ଦିଆଯାଇଥିଲା। ଏହି ପ୍ରକାରର ସଚେତନତାମୂଳକ କାର୍ଯ୍ୟକ୍ରମ ଦେଶରେ ପ୍ରଥମ ଥର ଆୟୋଜନ କରାଯାଇଥିଲା। ଏହା ପୁଣି ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ ମାଧ୍ୟମରେ କରାଯାଇଥିଲା। ସେହିଭଳି ଓଡ଼ିଓ, ଭିଡିଓ ଓ ପ୍ରିଣ୍ଟ ମାଧ୍ୟମରେ ସଚେତନ କରାଯାଇଥିଲା।

Spread the love