ଆଜିଠୁ ସମୂହ ଛୁଟିରେ ଯିବେ ରାଜ୍ୟର ୧ ଲକ୍ଷ ୩୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ

ତୀବ୍ର ହେଉଛି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । ଗତ ଦିନ ଦିନ ହେବ ଆନ୍ଦୋଳନ କରୁଛନ୍ତି ରାଜ୍ୟର ଏକ ଲକ୍ଷ ୩୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ । ୪ ଦିନ ହେଲାଣି ଏମାନେ କାର୍ଯ୍ୟରେ ଯୋଗଦେଇନାହାନ୍ତି । ଫଳରେ ସ୍କୁଲରେ ପାଠପଢା ଏକପ୍ରକାର ଠପ୍ ହୋଇଯାଇଛି । ଶିକ୍ଷକଙ୍କୁ ଆନ୍ଦୋଳନରୁ ହଟିବା ପାଇଁ ବିଭାଗ ଅପିଲ କରିଥିଲେ ମଧ୍ୟ ନିଜ ଜିଦ୍ରେ ଅଟଳ ରହିଛନ୍ତି ଶିକ୍ଷକ । ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ଓ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ଦାବି କରିଛନ୍ତି । ନହେଲେ ଆଜିଠୁ ରାଜ୍ୟର ୧ ଲକ୍ଷ ୩୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ସମୂହ ଛୁଟିରେ ଯିବେ । ସ୍କୁଲ ଆସିବେ ନାହିଁ କି ତାଲା ଖୋଲିବେ ନାହିଁ ।

ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ । ଏହା ଦ୍ୱାରା ୪୦ ଲକ୍ଷ ପିଲାଙ୍କ ପାଠପଢା ପ୍ରଭାବିତ ହେବ । ପିଲାଙ୍କ ଯେଉଁ କ୍ଷତି ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି କହିଛନ୍ତି । ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା, କଳା ଓ କ୍ରୀଡ଼ା ଶିକ୍ଷକଙ୍କ କ୍ଷେତ୍ର କ୍ୟାରିଅର ଆଡଭାନ୍ସମେଂଟ ପଲିସି ଲାଗୁ, ଜୁନିଅର ଶିକ୍ଷକଙ୍କୁ ନିୟମିତ ମାନ୍ୟତା ଆଦି ଦାବି ନେଇ ଆନ୍ଦୋଳନ କରୁଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ବିଭିନ୍ନ ଦାବି ନେଇ ଗତବର୍ଷ ଡିସେମ୍ବର ମାସରେ ତିନି ଦିନ ଧରି ଲୋୟର ପିଏମ୍ଜିରେ ଧାରଣା ଦେଇଥିଲା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ । ଏହା ପରେ ସେମାନଙ୍କ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ମିଳିଥିଲା ।

ସେପଟେ ପିପିଲିରେ ଚାଲିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରେ ସାମିଲ ହୋଇଛି ବିଜେପି ଓ କଂଗ୍ରେସ । ଧାରଣାରେ ରହି ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମରେ ସାମିଲ ହୋଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ପବିତ୍ର ମାଟି ପ୍ରଦାନ କରିଛନ୍ତି । ଶିକ୍ଷକଙ୍କ ଦାବି ବିଧାନସଭାରେ ଉପସ୍ଥାପନ କରିବା ପାଇଁ ସେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସହ ଆଲୋଚନା କରିବା ବୋଲି କହିଥିଲେ । ସେହିପରି ଆନ୍ଦୋଳନରେ ସାମିଲ ହୋଇ ଶିକ୍ଷକଙ୍କ ଦାବି ଯଥାର୍ଥ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ।

Spread the love