ସହରାଞ୍ଚଳ ବିକାଶରେ ଓଡିଶା ହେବ ରୋଲ ମଡେଲ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଗୁରୁବାର ଭୁବନେଶ୍ୱର ଉପକଣ୍ଠର ସହଜପୁର, ନାରଗୋଦା, ସିଜୁପୁଟ ଓ ପାଇକରାପୁରର ଗ୍ରାମବାସୀଙ୍କୁ ବିକଶିତ ଅଞ୍ଚଳର ଜମିପଟ୍ଟା ଆବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନଫରେନସିଂ ଜରିଆରେ ଏହି ପଟ୍ଟା ଆବଣ୍ଟନ କରିଛନ୍ତି।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସହରାଞ୍ଚଳ ବିକାଶରେ ନାଗରିକ ଓ ଗୋଷ୍ଠୀଗତ ଭାଗିଦାରୀ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା। ଲୋକଙ୍କ ସହଯୋଗରେ ସହରାଞ୍ଚଳରେ ଏହିଭଳି ଯୋଜନାବଦ୍ଧ ବିକାଶ କାର୍ଯ୍ୟକ୍ରମ ଜରିଆରେ ଓଡିଶାକୁ ଦେଶର ରୋଲମଡେଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଥିଲେ। ସେ ଆହୁରି କହିଥିଲେ ଯେ ଭୁବନେଶ୍ୱର କେବଳ ରାଜ୍ୟ ନୁହେଁ, ସାରା ଦେଶର ଏକ ଆକର୍ଷଣୀୟ ସହର। ଏହାର ଲୋକସଂଖ୍ୟା ଓ ପରିସୀମା କ୍ରମାଗତଭାବେ ବୃଦ୍ଧି ପାଉଛି ।

ଏ ଦୃଷ୍ଟିରୁ ଏହାର ସାମଗ୍ରିକ (holistic) ବିକାଶ ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ସହରର ଉପକଣ୍ଠରେ ଜନସାଧାରଣଙ୍କ ଭାଗିଦାରୀରେ ଟାଉନ ପ୍ଲାନିଂ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ସେ ଗାଁର ଲୋକ ମାନଙ୍କୁ ଧନ୍ୟବାଦ ଦେଇଥିଲେ। କ୍ରମବର୍ଦ୍ଧିଷ୍ଣୁ ସହର ଗୁଡିକର ଯୋଜନାବଦ୍ଧ ବିକାଶ ପାଇଁ ଏହା ସଂପୂର୍ଣ୍ଣ ଭାବେ ଏକ ସ୍ୱଚ୍ଛ ଓ ବାସ୍ତବବାଦୀ ଉପାୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ ଯେ, ଟାଉନ ପ୍ଲାନିଂ କାର୍ଯ୍ୟକ୍ରମରେ ଯୋଜନା ଅଞ୍ଚଳର ୪୦ ପ୍ରତିଶତ ଜମିକୁ ରାସ୍ତାଘାଟ ଆଦି ବିଭିନ୍ନ ଭିତ୍ତିଭୂମିର ବିକାଶ ପାଇଁ ରଖାଯାଏ। ଭିତ୍ତିଭୂମି ବିକାଶ ସହିତ ଜମିର ଦର ବୃଦ୍ଧି ଯୋଗୁ ଜମି ମାଲିକମାନେ ଉପକୃତ ହୁଅନ୍ତି। ରାଜ୍ୟରେ ବର୍ତ୍ତମାନ ୫୮ଟି ରାଜସ୍ୱ ଗ୍ରାମରେ ୪୫ଟି ଟାଉନ ପ୍ଲାନିଂ କରାଯାଇଛି ? ପ୍ରାଥମିକଭାବେ ୪ଟି ଗାଁର ଯୋଜନା ଅନୁମୋଦିତ ହୋଇଛି। ଏଥିରେ ସମୁଦାୟ ୭୪୬ ଏକର ଜମିରେ ଭିତ୍ତିଭୂମିର ବିକାଶ କରାଯାଉଛି। ଯୋଜନାବଦ୍ଧ ବିକାଶ କ୍ଷେତ୍ରରେ ରାଜ୍ୟରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ ହେବ ଏବଂ ଅନ୍ୟ ସହରମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ। ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ରାଜ୍ୟରେ ପ୍ରଥମ ଥର ପାଇଁ ବିଡିଏ ପକ୍ଷରୁ ଭୁବନେଶ୍ୱରରେ ଏଭଳି ଅଭନବ ଯୋଜନା କାର୍ଯ୍ୟକାରୀ କରାଯାଇଛି।

ଏଥିରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ୍, ରାଜସ୍ୱ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଓ ପୂର୍ତ୍ତ ବିଭାଗର ସଚିବ କିଶନ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ। (୫-ଟି) ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିଲେ।

Spread the love