ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଜଣଙ୍କୁ ମିଳିବ ଚାକିରି

ସରକାରୀ ଚାକିରିରେ ଥାଇ ମୃତ୍ୟୁବରଣ କରୁଥିବା କର୍ମଚାରୀଙ୍କ ପରିବାରର ଜଣଙ୍କୁ ତୃତୀୟ କିମ୍ବା ଚତୁର୍ଥ ଶ୍ରେଣୀ ପଦବୀରେ ଅନୁକମ୍ପାମୂଳକ ନିଯୁକ୍ତି ଦେବାକୁ ଓଡ଼ିଶା ସିଭିଲ୍ ସର୍ଭିସ୍ (ରିହାବିଲିଟେସନ୍ ଆସିଷ୍ଟାଣ୍ଟ)ରୁଲ୍, ୧୯୯୦ରେ ବ୍ୟବସ୍ଥା ରହିଛି । ମାତ୍ର ମୂଳ ପଦବୀର ଖାଲି ଥିବା ୧୦ ପ୍ରତିଶତ ପଦବୀରେ ଏହି ନିଯୁକ୍ତି ବ୍ୟବସ୍ଥା ଥିବାରୁ ବହୁ ଆବେଦନକାରୀ ଚାକିରି ପାଇବାରୁ ବଞ୍ଚିତ ହେଉଥିଲେ । ରାଜ୍ୟ ସରକାର ଏହି ପ୍ରତିବନ୍ଧକୁ ଉଠାଇ ଦେଇଛନ୍ତି । ଏଣିକି ତୃତୀୟ ଓ ଚତୁର୍ଥ ଶ୍ରେଣୀ ମୂଳ ପଦବୀର ଖାଲି ଥିବା ୫୦ ପ୍ରତିଶତ ପଦବୀରେ ଅନୁକମ୍ପା ନିଯୁକ୍ତି ଦିଆଯିବ । ଏଥି ନିମନ୍ତେ ଆଇନରେ ସଂଶୋଧନ କରାଯାଇ ଓଡ଼ିଶା ସର୍ଭିସ୍ ରୁଲ୍ (ରିହାବିଲିଟେସନ୍ ଆସିଷ୍ଟାଣ୍ଟ) ରୁଲ୍ ,୨୦୨୦ ପ୍ରଣୟନ କରାଯାଇଛି ।
ଆଜି ରାଜ୍ୟ କ୍ୟବିନେଟ୍ ବୈଠକରେ ଏହା ଅନୁମୋଦିତ ହୋଇଛି । ଅନ୍ୟ ଏକ ନିଷ୍ପତ୍ତିରେ ଓଡ଼ିଶା ସର୍ଭିସ୍ ରୁଲ୍,୨୦୦୩ କୁ ସଂଶୋଧନ କରାଯାଇ ଓଡ଼ିଶା ସିଭିଲ୍ ସର୍ଭିସ୍ (ନିଯୁକ୍ତି ଏବଂ ପଦୋନ୍ନତି ଚୟନର ମାନଦଣ୍ଡ) ସଂଶୋଧିତ ନିୟମାବଳୀ,୨୦୦୯ ର ପ୍ରଣୟନ କରାଯାଇଛି । ଏହି ନୂତନ ବ୍ୟବସ୍ଥାରେ ନିୟମ-୪ର ଉପନିୟମ-୨ ଅନୁଯାୟୀ ସେହି ବର୍ଷର ପ୍ରତ୍ୟାଶାମୂଳକ ଖାଲି ପଡ଼ିଥିବା ପଦୋନ୍ନତି ପଦବୀର ସମାନ ବ୍ୟକ୍ତିଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରାଯିବ । ପୂର୍ବରୁ ୧.୨୫ ଗୁଣା ବ୍ୟକ୍ତିଙ୍କୁ ତାଲିକାରେ ଅର୍ନ୍ତଭୁକ୍ତ କରିବାର ବ୍ୟବସ୍ଥା ଥିଲା ।
ଉପରୋକ୍ତ ପ୍ରସ୍ତାବ ସହ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟବିନେଟ୍ ବୈଠକରେ ସମୁଦାୟ ୯ଟି ପ୍ରସ୍ତାବକୁ ମଂଜୁର ମିଳିଛି । ସେଥିମଧ୍ୟରେ ଓଡ଼ିଶା ଖଣି ନିଗମର ଯାନ୍ତ୍ରିକ ଖଣିଜ ଉତ୍ତୋଳନ ବ୍ୟବସ୍ଥାରେ ଥିବା ଦୀର୍ଘ କାଳୀନ ଲିଙ୍କେଜ୍ ପଲିସି ରେ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରହିଛି ।
– ଓଡ଼ିଶା ଖଣି ନିଗମ ଲିଃ ସହ ଦୀର୍ଘ ମିଆଦି ସଂଯୋଗରେ ଥିବା ଯେଉଁ କ୍ରେତାମାନେ ଯାନ୍ତ୍ରିକ ଖଣିଜ ଉତ୍ତୋଳନ ବ୍ୟବସ୍ଥାରେ ପୁଞ୍ଜି ବିନିଯୋଗ କରିବା ପାଇଁ ଇଚ୍ଛୁକ, ସେହିମାନେ ୫ ବର୍ଷରୁ ଉଦ୍ଦ୍ୱର୍ ଦୀର୍ଘ ମିଆଦୀ ଖଣିଜ ଯୋଗାଣ ଚୁକ୍ତି କରିବା ପାଇଁ ଉପଯୁକ୍ତ ବିବେଚିତ ହେବେ । ଏହାଦ୍ୱାରା ଓଡ଼ିଶା ଖଣି ନିଗମ ଜରିଆରେ ଅଧିକ ଖଣିଜ ଉତ୍ତୋଳନ ହେବ । ଅନ୍ୟପକ୍ଷରେ, ଯେଉଁ ଖଣି ପଟ୍ଟାଧାରୀମାନଙ୍କର କ୍ରୋମ ଖଣିପଟ୍ଟା ଅଛି, ସେମାନଙ୍କୁ ଜାତୀୟ ଇ-ଖଣି ନିଲାମରେ ଭାଗ ନେବା ପାଇଁ ଅନୁମତି ଦିଆଯିବ ନାହିଁ । ଏହାଦ୍ୱାରା କ୍ରୋମ ଭଳି ଦୁଷ୍ପା୍ର୍ର୍ରପ୍ୟ କଞ୍ଚାମାଲର ଉପଯୁକ୍ତ ବଜାର ଦର ନିର୍ଦ୍ଧାରଣ କରିହେବ ।
– ରାଜ୍ୟର ଯେ କୌଣସି ସ୍ଥାନରେ ସଫ୍ଟୱେୟାର୍ ଟେକ୍ନଲୋଜି ପାର୍କସ୍ ଅଫ ଇଣ୍ଡିଆ(ଏସଟିପିଆଇ) କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ୩ ଏକର ପର୍ଯ୍ୟନ୍ତ ସରକାରୀ ଜମି ବିନା ପ୍ରିମିୟମ ଓ ବିନା ଇନସିଡଣ୍ଟାଲ୍ ଚାର୍ଜରେ ଲିଜ୍ ସୂତ୍ରରେ ଯୋଗାଇ ଦିଆଯିବ । ତେବେ ଲିଜ୍ ରେ ପ୍ରଦାନ କରାଯିବାକୁ ଥିବା ଏହି ସରକାରୀ ଜମି ନିମନ୍ତେ ଏସଟିପିଆଇ କର୍ତ୍ତୃପକ୍ଷଙ୍କୁ ଜମିର ବଜାର ଦରର ୧ ପ୍ରତିଶତ ହିସାବରେ ବାର୍ଷିକ ଖଜଣା ଓ ବାର୍ଷିକ ଖଜଣାର ୭୫ ପ୍ରତିଶତ ହିସାବରେ ସେସ୍ ଦେବାକୁ ପଡ଼ିବ ।
– ସୁନ୍ଦରଗଡ଼ ଜିଲ୍ଲାର ୨ଟି ବ୍ଲକ୍ (କୁଆଁରମୁଣ୍ଡା, ନୂଆଗାଁ) ର ୩୮ଟି ପଞ୍ଚାୟତ ଅଧୀନରେ ଥିବା ୨୧୯ ଗ୍ରାମକୁ ବିଶୁଦ୍ଧ ଜଳ ଯୋଗାଇବା ନିମନ୍ତେ ଦୁଇଟି ପ୍ରକଳ୍ପ କାର୍ଯ୍ୟ ମେସର୍ସ ଭୋଲଟାସ୍ ଲିମିଟେଡ଼, ଥାନେ କରିବ । ଏଥିପାଇଁ ୩୪୦ କୋଟି ୩୯ ଲକ୍ଷ ଟଙ୍କାର ସର୍ବନିମ୍ନ ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ୨୪ ମାସ ମଧ୍ୟରେ ଏହା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି ।
– ସେହିଭଳି ଜିଲ୍ଲାର ୩ଟି ବ୍ଲକ୍( ଗୁରୁଣ୍ଡିଆ, କୋଇରା, ଲହୁଣୀପଡ଼ା) ଅନ୍ତର୍ଗତ ୨୫ଟି ପଞ୍ଚାୟତ ଅଧୀନରେ ଥିବା ୨୬୨ ଗ୍ରାମକୁ ବିଶୁଦ୍ଧ ଜଳ ଯୋଗାଇ ଦେବା ପାଇଁ ଅନ୍ୟ ତିନୋଟି ବୃହତ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ୩୨୦ କୋଟି ୧୧ ଲକ୍ଷ ୨୦ ହଜାର ଟଙ୍କାର ସର୍ବନିମ୍ନ ଟେଣ୍ଡର ପକାଇଥିବା ମେସର୍ସ ଭୋଲଟାସ୍ ଲିମିଟେଡ଼କୁ ବି ଏହି କାର୍ଯ୍ୟ ଦିଆଯାଇଛି । ୨୪ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।
କ୍ୟାବିନେଟ୍ ବୈଠକରେ ପଞ୍ଚମ ଅର୍ଥ କମିଶନ ଆକ୍ସନ୍ ଟେକେନ୍ ରିପୋର୍ଟ ଉପସ୍ଥାପିତ ହୋଇଥିଲା ବେଳେ ବିଧାନସଭା ତୃତୀୟ ଅଧିବେସନକୁ ମଂଜୁର ଦିଆଯାଇଥିଲା ।
Spread the love