ଆସନ୍ତାକାଲିଠାରୁ ଅଫିସ ଯିବେ ସମସ୍ତ କର୍ମଚାରୀ

ଭୁବନେଶ୍ୱର:  ଏଣିକି ଆଉ ୩୦ ପ୍ରତିଶତଙ୍କୁ ନେଇ କାମ ହେବନାହିଁ ବରଂ ସମସ୍ତ ସରକାରୀ  କର୍ମଚାରୀ ଅଫିସ ଯିବେ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ଚିଠିରେ କୁହାଯାଇଛି ଯେ ଆସନ୍ତାକାଲିଠାରୁ ଅର୍ଥାତ ମେ ୧୯ଠାରୁ ସମସ୍ତ କର୍ମଚାରୀ ଅଫିସ ଯିବେ । ତେବେ କର୍ମଚାରୀମାନେ ସାମାଜିକ ଦୂରତାକୁ କିଭଳି ପାଳନ କରିବେ ସେ ନେଇ ଯତ୍ନବାନ ହେବାକୁ ଚିଠିରେ କୁହାଯାଇଛି।

ତେବେ ସମସ୍ତ ବିଭାଗ ପାଇଁ କିଛି ନିୟମ ମଧ୍ୟ ଜାରି କରାଯାଇଛି। ନିୟମ ମୁତାବକ ଯଦି କେହି କର୍ମଚାରୀଙ୍କର ଥଣ୍ଡା ଜନିତ ସମସ୍ୟା ଥିବ ବା ଶ୍ୱାସକ୍ରିୟାରେ ସମସ୍ୟା ଥିବ ତେବେ ସେମାନେ ଅଫିସ ନ ଆସି ଛୁଟିରେ ରହିବେ । ସେହିପରି କଣ୍ଟେନମେଣ୍ଟ ଜୋନରେ ରହୁଥିବା ସରକାରୀ କର୍ମଚାରୀମାନେ ଅଫିସ ଆସିବେ ନାହିଁ ।

ସେହିପରି ଅଫିସରେ ସାମାଜିକ ଦୂରତ୍ବକୁ ଗୁରୁତ୍ୱ ଦିଆଯିବ। ଅଫିସର ସର୍ବୋଚ୍ଚ ଅଧିକାରୀ ସାମାଜିକ ଦୂରତ୍ୱ କିଭଳି ବଜାୟ ରଖାଯିବ ସେଥିପ୍ରତି ଦୃଷ୍ଟି ଦେବେ । ଯଦି ଅଫିସ ପରିସର ଛୋଟ ଥିବ ତେବେ ରୋସ୍ତର ଭାବେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ସୂଚନା ଥାଉ କି ଏହା ପୂର୍ବରୁ କିଛି ବିଭାଗ ପାଇଁ ସବୁ କର୍ମଚାରୀ ନ ଆସି ପର୍ଯ୍ୟାୟ କ୍ରମେ କର୍ମଚାରୀ ଆସିବାକୁ କୁହାଯାଇଥିଲା ।

Spread the love