ଡଂଗରିଆ ମହିଳାଙ୍କ ଟଙ୍କା ନେବା ଘଟଣା: ଖବର ପ୍ରକାଶ ପରେ ସକାଳୁ ଟିମିଙ୍କୁ ଟଙ୍କା ଫେରାଇଲେ କର୍ତ୍ତୃପକ୍ଷ

ରାୟଗଡା: ଶେଷରେ ଖବର ପ୍ରକାଶ ପାଇବା ପରେ ଟିମିଙ୍କଠାରୁ ଲାଞ୍ଚ ବାବଦରେ ନେଇଥିବା ଟଙ୍କା ଫେରାଇଛନ୍ତି ଓପିଲିପି କର୍ମଚାରୀ । ଅତିରିକ୍ତ ଜିଲ୍ଲାପାଳଙ୍କୁ ବାବୁ ଟଙ୍କା ମିଳିଲା କି, ବୋଲି ଟିମି ପଚାରିବାର ୨୪ ଘଣ୍ଟା ନ ପୂରୁଣୁ ତାଙ୍କ ନିକଟରେ ଆଜି ସକାଳୁ ସକାଳୁ ଟଙ୍କା ପହଞ୍ଚିଯାଇଛି । ଲାଞ୍ଚ ବାବଦକୁ ନେଇଥିବା ଟଙ୍କା ଯେଉଁ ଦୁଇ ଜଣଙ୍କ ନାମ ଧରିଥିଲା ଟିମି ସେହି ଦୁଇ ଜଣ ସହ ଜଣେ ମହିଳା କର୍ମଚାରୀ ଆସି ଆଜି ସକାଳୁ ସକାଳୁ ତାଙ୍କ ଘର ଆଗରେ ତାଙ୍କୁ ୧୧ହଜାର ୫ଶହ ଟଙ୍କା ଫେରାଇଛନ୍ତି।ଏ ନେଇ କାହାକୁ ପ୍ରଘଟ ନକରିବାକୁ ପାଇଁ ମଧ୍ୟ କହିଥିବା ଗଣମାଧ୍ୟମକୁ ନିଜେ ଟିମି ସୂଚନା ଦେଇଛନ୍ତି। ଅନ୍ୟଦିଗରେ ଏହି ଘଟଣାକୁ ନେଇ ରାୟଗଡ଼ା ଜିଲ୍ଲା ସାରା ଉଠୁଛି ଆଉ ପଡ଼ୁଛି। କିଛି ଲୋକ ଏନେଇ ଗାଁକୁ ଦୁଇ ଭାଗ ମଧ୍ୟ କରିଦେଇଛନ୍ତି। ଧରାପଡିବା ପରେ ସଂପୃକ୍ତ ଅଧିକାରୀମାନେ ଏଥିରୁ ବର୍ତ୍ତିବା ପାଇଁ ଟିମିଙ୍କୁ କ୍ଷମା କରିଦେବାକୁ କହୁଥିବାବେଳେ ସେ ଏହା ମିଥ୍ୟା ବୋଲି କହିବାକୁ ମଧ୍ୟ ବାଧ୍ୟ କରୁଥିବା ଜଣାପଡିଛି ।

ଅତିରିକ୍ତ ଜିଲ୍ଲାପାଳ ବିଷମକଟକ ବିଡ଼ିଓଙ୍କୁ ତଦନ୍ତ ଭାର ଦେଇଥିବାବେଳେ ବର୍ତ୍ତମାନ ଯାଏଁ ତଦନ୍ତ ରିପୋର୍ଟ ପହଞ୍ଚି ନାହିଁ। ତେବେ ପ୍ରଥମେ ଟଙ୍କା ନେବା ପରେ ଟଙ୍କା ଫେରାଇବା ସୂଚାଇ ଦେଉଛି ଯେ ଡିକେଡିଏରେ କେତେ ଦୁର୍ନୀତି ହେଉଛି।ଏନେଇ ଜିଲ୍ଲାରେ ଖାଲି ଡଙ୍ଗରିଆ ମହିଳାଙ୍କ ସାହସକୁ ନେଇ ଚର୍ଚ୍ଚା ଚାଲିଛି। ଏହି ଟଙ୍କାକୁ ଯେଉଁ ବାବୁମାନେ ଫେରାଇଲେ ତାଙ୍କ ବିରୋଧରେ କାହିଁକି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ପ୍ରଶ୍ନ ଉଠିଛି । ପାହାଡ ଭିତରର ମାତ୍ର ଗୋଟିଏ ଗାଁ ବାଲାପାଇର ଏହା ହେଉଛି ବିକଳ ଚିତ୍ର। କେବଳ ୬୫୦୦ ଟଙ୍କା ବାବୁମାନେ ଛାଡିଲେ ନାହିଁ। ବାବୁମାନେ ବାଣ୍ଟିନେବେ କହି ନିରୀହ ଡଙ୍ଗରିଆ ମହିଳାଙ୍କଠାରୁ ଠକି ନେଇଗଲେ। ତେବେ ପ୍ରଶ୍ନ ଉଠୁଛି ଯେ ଡିକେଡିଏ ଚାଟିକଣା ଅଧିନରେ ଆସୁଥିବା ବିଷମକଟକ ଓ ମୁନିଗୁଡା ବ୍ଲକର ୧୦୦ ରୁ ଅଧିକ ଗାଁମାନଙ୍କରେ ଆଦିମ ଜନଜାତିଙ୍କ ବିକାଶର ଅର୍ଥ କେତେ ସୁରକ୍ଷିତ ?ନିୟମଗିରି ପାହାଡରେ ଡିକେଡିଏ ଦ୍ଵାରା ୧୧କୋଟି ୧୧ଲକ୍ଷ ଟଙ୍କା କେବଳ ୨୦୨୨-୨୦୨୩ ବର୍ଷ ପାଇଁ ପ୍ରକଳ୍ପ ଅଟକଳ କରି ଖର୍ଚ୍ଚ କରାଯାଇଛି।

ଏହି ଅର୍ଥକୁ ଠିକ ଭାବରେ ବିନିଯୋଗ କରିବା ପାଇଁ ଲୋକଙ୍କ ଟିକସରୁ ବେତନ ଦେଇ ସରକାର ଜଣେ ସ୍ୱତନ୍ତ୍ର ଅଧିକାରୀ, ପ୍ରକଳ୍ପ ପରିଚାଳକଙ୍କ ସମେତ ୧୨ଜଣ କର୍ମଚାରୀ ନିୟୋଜିତ କରିଛନ୍ତି। ଏହାର ସଫଳ ରୁପାୟନ ପାଇଁ ଆକସୁସ ନାମକ ଏକ ବେସରକାରୀ ଅନୁଷ୍ଠାନର ସହାୟତା ନିଆଯାଇଛି । ସେମାନେ ମଧ୍ୟ ୩୦ରୁ ଅଧିକା କର୍ମଚାରୀ ନିୟୋଜିତ କରିଛନ୍ତି। ତେବେ ବାଡ ଯଦି ଫସଲ ଖାଇଯିବ, ତେବେ ଗୁହାରି କରିବା କାହାକୁ ? ଟିମି ପୁଷିକାର ଅଭିଯୋଗ ପରେ ଏହା ଏକ ବଡ ପ୍ରଶ୍ନ ହୋଇ ଠିଆହୋଇଛି। ଡଙ୍ଗରିଆ ମହିଳାଙ୍କର ବିକଳ ସ୍ୱର ଶୁଣିବା ପରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ବିଷମକଟକ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ତୁରନ୍ତ ତଦନ୍ତ ଭାର ଦେଇଥିଲେ।

Spread the love