ତୈଳ ଯୋଗୁଁ ଭାରତରେ ଧର୍ମଶଙ୍କଟ ପିରିସ୍ଥିତି
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବ୍ୟକ୍ତିଗତ ଭାବେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ ଭେଟିବାକୁ ଯାଉଛନ୍ତି। ଏହାପରେ ସୋମବାର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମାରିସନ୍ଙ୍କ ସହିତ ଆଭାସିରେ ଆଲୋଚନା କରିବେ। ଏଥିସହିତ ଆମେରିକାର ରାଜନୈତିକ ବ୍ୟାପାର ବିଭାଗର ଅନୁସଚିବ ଭିକ୍ଟୋରିଆ ନୁଲାଣ୍ଡ୍ ମଧ୍ୟ ଆସନ୍ତା ସପ୍ତାହରେ ନୂଆଦିଲ୍ଲୀ ଗସ୍ତରେ ଆସୁଛନ୍ତି। ତାଙ୍କ ପରେ ବ୍ରିଟେନ ବୈଦେଶିକ ସଚିବ ଲିଜ୍ ଟ୍ରସ୍ ମାର୍ଚ୍ଚ ୩୦ ଓ ୩୧ରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହିତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଟ୍ରସ୍ଙ୍କର ଚଳିତ ଗସ୍ତକାଳରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କର ଭାରତ ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହେବ ବୋଲି ଜଣାଯାଇଛି। ଅନ୍ୟପକ୍ଷରେ ନୁଲାଣ୍ଡ୍ଙ୍କ ସହିତ ଆମେରିକାର ଦକ୍ଷିଣ ଓ କେନ୍ଦ୍ର ଏସିଆ ବ୍ୟାପାର ନିମନ୍ତେ ଥିବା ସହକାରୀ ସଚିବ ମଧ୍ୟ ଭାରତ ଗସ୍ତରେ ଆସୁଛନ୍ତି। ସରକାରୀ ସୂତ୍ରରୁ କୁହାଯାଇଛି ଯେ, ଏହି ସମସ୍ତ ବିଦେଶୀ ନେତୃବୃନ୍ଦଙ୍କ ଗସ୍ତ ଦ୍ୱିପାକ୍ଷିକ ରାଜନୈତିକ ଏବଂ ବାଣିଜ୍ୟିକ ପ୍ରସଙ୍ଗ ଆଧାରିତ ଥିବାବେଳେ ଏହା ସୁସ୍ପଷ୍ଟ ଯେ ଭାରତ ଗସ୍ତ କରୁଥିବା ସମସ୍ତ ବିଦେଶୀ ନେତୃବୃନ୍ଦଙ୍କ ସହିତ ଆଲୋଚନାରେ ୟୁକ୍ରେନ୍ ପ୍ରସଙ୍ଗ ଅଗ୍ରାଧିକାର ଲାଭ କରିବ।
ଜାତିସଂଘ ସୁରକ୍ଷା ପରିଷଦ, ଜାତିସଂଘ ସାଧାରଣ ପରିଷଦ, ମାନବାଧିକାର ପରିଷଦ ଏବଂ ଆନ୍ତର୍ଜାତିକ ଆଣବିକ ଶକ୍ତି ସଂସ୍ଥା ଆଦିରେ ୟୁକ୍ରେନ୍ ପ୍ରସଙ୍ଗକୁ ନେଇ ରୁଷ୍ ବିରୋଧରେ ଆଗତ ପ୍ରସ୍ତାବ ଉପରେ ଭୋଟ ନିଆଯିବାବେଳେ ଭାରତ ପ୍ରତିଥର ଅନୁପସ୍ଥିତ ରହିବା ଘଟଣାକୁ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକ ସହଜରେ ଗ୍ରହଣ କରିପାରୁନାହାନ୍ତି। ଭାରତ ତାହାର ଏଭଳି ଆଭିମୁଖ୍ୟ ବଦଳାଇବାକୁ ସେମାନେ ଚାପ ପକାଇବାରେ ଲାଗିଛନ୍ତି। ତେବେ ଭାରତ ତାହାର ନିଷ୍ପତ୍ତି ଅପରିବର୍ତ୍ତିତ ରଖିଛି। ଏବେ ରୁଷ୍ ନିକଟରୁ ରିଆତି ମୂଲ୍ୟରେ ତୈଳ କିଣିବା ବିଷୟ ଭାରତ ବିଚାର କରୁଥିବା ଜାଣିବା ପରେ ବହୁ ୟୁରୋପୀୟ ରାଷ୍ଟ୍ରର କୂଟନୀତିଜ୍ଞ ନୂଆଦିଲ୍ଲୀକୁ ଏଥିରୁ ବିରତ ରହିବାକୁ ପ୍ରବର୍ତ୍ତାଉଛନ୍ତି। ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ର ସଂଘର ବହୁ କୂଟନୀତିଜ୍ଞ କହିଛନ୍ତି ଯେ, ରୁଷ୍ରୁ ତୈଳ କିଣିବାକୁ ଭାରତର ନିଷ୍ପତ୍ତି ଘୋଷିତ କଟକଣାର ଉଲ୍ଲଂଘନ କରୁ ନ ଥିଲେ ମଧ୍ୟ ଏହାକୁ ଏକ ଅଣ ନିରପେକ୍ଷ କାର୍ଯ୍ୟ ଏବଂ ମସ୍କୋକୁ ସମର୍ଥନ ବୋଲି ବିବେଚନା କରାଯିବ। ଇତିମଧ୍ୟରେ ଲିଥୁଆନିଆର ଏକ ପ୍ରତିନିଧିଦଳ ନୂଆଦିଲ୍ଲୀ ଗସ୍ତରେ ଆସି ବୁଧବାର ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀଙ୍କ ସହିତ ଆଲୋଚନା କରିସାରିଛନ୍ତି। ତାହା ସହିତ ଅଷ୍ଟ୍ରିଆ ନ୍ୟାସନାଲ କାଉନ୍ସିଲ ପ୍ରେସିଡେଣ୍ଟ ଓଲ୍ଗ୍ୟାଙ୍ଗ ସୋବୋତ୍କା ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ଭେଟି ୟୁକ୍ରେନ ଏବଂ ଭାରତ-ପ୍ରଶାନ୍ତ ମହାସାଗର ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।ଗୋଟିଏ ପଟେ ଆମେରିକା ଓ ନାଟୋ ରାଷ୍ଟ୍ରଙ୍କ ଚାପ ଓ ଅନ୍ୟପଟେ ପୁରୁଣା ବନ୍ଧୁ ରୁଷ୍, ଏଭଳି ଦ୍ବନ୍ଦ୍ବାତ୍ମକ ସ୍ଥିତିରେ ରହିଛି ଭାରତ। ଭାରତ ପାଇଁ ଏହା ହରଡ଼ଘଣା ତଥା ଧର୍ମସଙ୍କଟ ଭଳି ପରିସ୍ଥିତି ସୃଷ୍ଟି କରିଛି। ରୁଷ୍ଠାରୁ ଅଶୋଧିତ ତୈଳ କିଣିବା ଭାରତ ପାଇଁ କୋଭିଡ୍ ପରବର୍ତ୍ତୀ ଆର୍ଥିକ ବାଧ୍ୟବାଧକତା ବୋଲି ଯୁକ୍ତି ରଖୁଥିବାବେଳେ ଅନ୍ୟପଟେ ଶକ୍ତିଶାଳୀ ନାଟୋ ମେଣ୍ଟର ଚାପ ନୂଆଦିଲ୍ଲୀକୁ ନିଷ୍ପତ୍ତି ନେବାରେ ବିବ୍ରତ କରିଛି।