24ରେ ଜଣାପଡ଼ିବ ଲୋକସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ !

ଆସନ୍ତା କାଲି ଅର୍ଥାତ ମେ’ 23ରେ ଲୋକସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ହେବ। 542 ଲୋକସଭା ଆସନ ପାଇଁ ମତଦାନର ଗଣତି ଗୁରୁବାର ସକାଳ 8ଟାରୁ ଆରମ୍ଭ ହେବ। ପ୍ରଥମ ଥର ପ୍ରତି ବିଧାନସଭା ଆସନର ୫ଟି ବୁଥ ଇଭିଏମ ସହ ଭିଭିପାଟ ସ୍ଲିପ୍‍ ମିଳା ଯିବ। ତେଣୁ ଗୁରୁବାର ରାତି 12ଟା ସୁଦ୍ଧା ମତ ଗଣନା ସମ୍ପୂର୍ଣ୍ଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଯଦି ରାତି 12ଟା ସୁଦ୍ଧା ଫଳାଫଳର ଚିତ୍ର ସ୍ପଷ୍ଟ ନହୁଏ ତେବେ 23 ରେ ନୁହେଁ 24ରେ ଫଳାଫଳ ପ୍ରକାଶ ପାଇବ।

ଚଳିତ ଥର 542 ଲୋକସଭା ଆସନରେ 8000ରୁ ଅଧିକ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। 7ଟି ପର୍ଯ୍ୟାୟରେ ହୋଇଥିବା ମତଦାନରେ 90.99 କୋଟି ଭୋଟରଙ୍କ ମଧ୍ୟରୁ ପାଖାପାଖି 67.11% ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି। ଭାରତର ଲୋକସଭା ନିର୍ବାଚନ ଇତିହାସରେ ଏହି ନିର୍ବାଚନରେ ସବୁଠୁ ଅଧିକ ମତଦାନ ହୋଇଛି। ଲୋକସଭା ନିର୍ବାଚନରେ ପ୍ରଥମ ଥର ଇଲେକ୍ଟ୍ରୋନିକ ଭୋଟିଂ ମେସିନ ସହ ଭିଭିପାଟ ସ୍ଲିପ୍‍ ମିଳା ଯାଉଛି। ଚଳିତ ଥର ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀର ୫ଟି ବୁଥ ଇଭିଏମ ସହ ଭିଭିପାଟ ସ୍ଲିପ୍‍ ମିଳା ଯିବ। ପ୍ରତି ଲୋକସଭା ଆସନରେ ୫ରୁ 6ଟି ଲେଖାଏଁ ବିଧାନସଭା ଆସନ ରହିଛି। ତେଣୁ ପ୍ରତି ଲୋକସଭା ଆସନ ପାଇଁ ଅନ୍ୟୁନ୍‍ 30 ରୁ 35ଟି ବୁଥ ଇଭିଏମ ସହ ଭିଭିପାଟ ସ୍ଲିପ୍‍ ମିଳାଯିବ। ଏହି ଆଧାରରେ ଦେଖାଗଲେ 542 ଲୋକସଭା ଆସନ ପାଇଁ 16 ରୁ 19 ହଜାର ବୁଥ୍‍ର ଇଭିଭିଏମ ସହ ଭିଭିପାଟ ସ୍ଲିପ୍‍ ମିଳାଯିବ। ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀର 5ଟି ବୁଥ୍‍ ଇଭିଏମ ସହ ଭିଭିପାଟ ସ୍ଲିପ୍‍ ମିଳାଯିବାରେ ଅନ୍ୟୁନ୍‍ 4 ରୁ 5 ଘଣ୍ଟା ସମୟ ଲାଗିବ। ଏଭଳି ଦେଖିଲେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାରେ ବହୁ ବିଳମ୍ବ ହେବ।

Spread the love