ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ
ଯୋଡ଼ା: ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ନାତି ଓ ଦିଅର ଗୁରୁତର । ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ରାମଚନ୍ଦ୍ରପୁର ଗାଁରେ । ମହୁମାଛି ଆକ୍ରମଣରେ ମୃତକ ହେଉଛନ୍ତି ନିରାଶ ମୁଣ୍ଡା । ସେ ଆଜି ନିଜ ନାତି, ସଂପର୍କୀୟ ଦିଅର ଓ ଅନ୍ୟ ୨ ଜଣଙ୍କ ସହ ଗାଁ ପାଖ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ । ଜଙ୍ଗଲରୁ ସମସ୍ତେ ଫେରୁଥିବା ସମୟରେ ହଠାତ୍ ମହୁମାଛି ଆକ୍ରମଣ କରିଥିଲା ।
୨ ଜଣ ଦୌଡ଼ି ନିଜକୁ ରକ୍ଷା କରିଥିବା ବେଳେ, ଆଈ, ନାତି ଓ ସମ୍ପର୍କୀୟ ଦିଅର ଆକ୍ରମଣରୁ ବର୍ତ୍ତିପାରିନଥିଲେ । ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ନିରାଶ ମୁଣ୍ଡାଙ୍କୁ ମୃତ ଘୋଷଣା କରିଥିଲେ । ନାତି ରାଜା ମୁଣ୍ଡା ଓ ଦିଅର ମାର୍କଣ୍ଡ ମୁଣ୍ଡାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଚମ୍ପୁଆ ଥାନା ପୋଲିସ୍ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି ।
