ଅଲିଭ୍ ରିଡ୍‌ଲେ: ଏଥର ଆସିଲେ ୧୧.୬୪ ଲକ୍ଷ

ଭୁବନେଶ୍ବର : କୁହାଯାଏ ଅଲିଭ୍ ରିଡ୍‌ଲେଙ୍କ ଭୂସ୍ବର୍ଗ ହେଉଛି ଓଡ଼ିଶା ଉପକୂଳ। ବିଶ୍ବର ସମୁଦାୟ ଅଲିଭ୍ ରିଡ୍‌ଲେଙ୍କ ମଧ୍ୟରୁ ୫୦%ରୁ ଅଧିକ କେବଳ ଓଡ଼ିଶା ଉପକୂଳରେ ଦେଖିବାକୁ ମିଳିଥା’ନ୍ତି। ନଭେମ୍ବରରୁ ମାର୍ଚ୍ଚ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ସେମା‌ନେ ଅଣ୍ଡା ଦେଇଥା’ନ୍ତି। ସେହିପରି ଏପ୍ରିଲ ଓ ମେ’ ମାସରେ ଅଣ୍ଡାରୁ ଛୁଆ ବାହାରି ସମୁଦ୍ରକୁ ଚାଲି ଯାଇଥା’ନ୍ତି। ପ୍ରତିଥର ପରି ଏବର୍ଷ ମଧ୍ୟ ଅଲିଭ୍-ରିଡ୍‌ଲେଙ୍କ ବାସସ୍ଥାନ ଭାବେ ପରିଚିତ ଧାମରା ମୁହାଣ ତଥା ଗହୀରମଥା ନାସୀ-୨, ଦେବୀ ଓ ଋଷିକୁଲ୍ୟା ନଦୀ ମୁହାଣରେ ରେକର୍ଡ ସଂଖ୍ୟକ ଅଲିଭ୍ ରିଡ୍‌ଲେ ଅଣ୍ଡା ଦେଇ ଫେରିଛନ୍ତି। ଏବେ ଛୁଆ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ମେ’ ମାସ ପର୍ଯ୍ୟନ୍ତ ଜାରି ରହିବ।
ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତବର୍ଷ ଓଡ଼ିଶା ଉପକୂଳକୁ ୧୧ଲକ୍ଷ ୬୪ ହଜାର ଅଲିଭ୍ ରିଡ୍‌ଲେ ଅଣ୍ଡା ଦେବାକୁ ଆସିଥିଲେ।

ସେମାନଙ୍କ ମଧ୍ୟରୁ ଋଷିକୁଲ୍ୟା ମୁହାଣକୁ ରେକର୍ଡ ସଂଖ୍ୟକ ୬ ଲକ୍ଷ ୩୭ ହଜାର ଏବଂ ଗହୀରମଥା ନାସୀ-୨କୁ ୫ ଲକ୍ଷ ୨୬ ହଜାର ଆସିଥିଲେ। ବିଗତ ବର୍ଷଗୁଡ଼ିକ ତୁଳନାରେ ଚଳିତବର୍ଷ ଉକ୍ତ ଦୁଇ ସ୍ଥାନରେ ଅଲିଭ୍ ରିଡ୍‌ଲେଙ୍କ ସଂଖ୍ୟା ବହୁ ପରିମାଣରେ ବଢ଼ିଥିବାରୁ ଛୁଆଁଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ବନ ବିଭାଗ ଆଶାବାଦୀ ହୋଇଛି। ଆଜି ସୁଦ୍ଧା ୧ କୋଟିରୁ ଅଧିକ ଅଲିଭ୍ ରିଡ୍‌ଲେ ଛୁଆ ସମୁଦ୍ର ମଧ୍ୟକୁ ଫେରିସାରିଛନ୍ତି। ଅଣ୍ଡା ଫୁଟିବା ପ୍ରକ୍ରିୟା ଜାରି ରହିଥିବାରୁ ଆଗକୁ ଆଉ ୨ କୋଟି ପର୍ଯ୍ୟନ୍ତ ଛୁଆ ଫୁଟିବା ନେଇ ଆକଳନ କରାଯାଇଛି।

ଦେବୀ ମୁହାଣକୁ ଅଲିଭ୍ ରିଡ୍‌ଲେଙ୍କ ଆଗମନ କମିବାରେ ଲାଗିଛି। ଏଥର ମାତ୍ର ୮୦୭ଟି ଅଲିଭ୍ ରିଡ୍‌ଲେ ଆସି ଅଣ୍ଡା ଦେଇଥିଲେ। ଦେବୀ ମୁହାଣକୁ ୧୬୨ଟି ଅଲିଭ୍ ରିଡ୍‌ଲେ ଆସିଥିବା ବେଳେ ବାକିଗୁଡ଼ିକ ଅନ୍ୟାନ୍ୟ ସ୍ଥାନରେ ଚିହ୍ନଟ ହୋଇଥିଲେ। ସଂଗୃହୀତ ହୋଇଥିବା ୬୩ ହଜାର ୭୧୧ ଅଣ୍ଡାରୁ ଏବେ ସୁଦ୍ଧା ୧୧୧୭ଟି ଛୁଆ ବାହାରି ସାରିଛନ୍ତି। ବାକିଗୁଡ଼ିକର ପ୍ରକ୍ରିୟା ଜାରି ରହିଛି।

ପରିବେଶବିତ୍‌ଙ୍କ ମତରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅଲିଭ୍ ରିଡ୍‌ଲେଙ୍କ ଉପରେ ପଡ଼ୁଛି। ଯେଉଁଥିପାଇଁ ଦେବୀ ମୁହାଣରେ ପ୍ରତିବର୍ଷ ଅଲିଭ୍ ରିଡ୍‌ଲେଙ୍କ ସଂଖ୍ୟା କମୁଛି। ସେମାନଙ୍କୁ ସୁରକ୍ଷା‌ ଦିଆଯାଉଥିବା କୁହାଯାଉଥିଲେ ମଧ୍ୟ ସେତେଟା ଫଳପ୍ରଦ ହେଉନାହିଁ। ସମୁଦ୍ର ଉପକୂଳରୁ ୨୦ କିମି ପର୍ଯ୍ୟନ୍ତ ଅଞ୍ଚଳରେ ମାଛଧରା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ହେଲେ ଅଧିକାଂଶ ସ୍ଥାନରେ କଟକଣା ପାଳନ ହେଉନି। ଯେଉଁଥିପାଇଁ ଅଲିଭ୍ ରିଡ୍‌ଲେଙ୍କ ଆଗମନଠାରୁ ଫେରିବା ପର୍ଯ୍ୟନ୍ତ ବିପଦ ସୃଷ୍ଟି ହେଉଛି। ଗୋଟିଏ ପଟେ ପ୍ରବଳ ତାତି ଯୋଗୁଁ ଅଣ୍ଡାଗୁଡ଼ିକ ନଷ୍ଟ ହେଉଥିବା ବେଳେ ଅନ୍ୟପଟେ ପର୍ଯ୍ୟଟକଙ୍କ ଅବାଧ ପ୍ରବେଶ ଏବେ ଋଷିକୂଲ୍ୟା ମୁହାଣରେ କଇଁଛଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବନ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ୨୦୨୧-୨୨ ତୁଳନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ଦେଢ଼ ଲକ୍ଷରୁ ଅଧିକ ଅଲିଭ୍ ରିଡ୍‌ଲେ ଓଡ଼ିଶା ଉପକୂଳକୁ ଆସିଥିଲେ। ଗତବର୍ଷ ଋଷିକୂଲ୍ୟା ମୁହାଣକୁ ପ୍ରାୟ ୫ ଲକ୍ଷ ଏବଂ ଗହୀରମଥାକୁ ୫ ଲକ୍ଷ ୨୩ ହଜାର ଆସିଥିଲେ। ଏଥର ୧୧ଲକ୍ଷ ୬୪ ହଜାର ଅଲିଭ୍ ରିଡ୍‌ଲେ ଅଣ୍ଡା ଦେଇଥିବାରୁ ଅଧିକ ସଂଖ୍ୟକ ଛୁଆ ସମୁଦ୍ରକୁ ଯିବା ନେଇ ଆମେ ଆଶାବାଦୀ ରହିଛୁ। ପାଟ୍ରୋଲିଂ କ୍ୟାମ୍ପ୍, ଭଦ୍ରକ, ରାଜନଗର, ପୁରୀ ଓ ବ୍ରହ୍ମପୁର ବନ୍ୟଜନ୍ତୁ ବନଖଣ୍ଡକୁ ତୀବ୍ରଗତି ସଂପନ୍ନ ବୋଟ୍, ଟ୍ରଲର୍ ଓ ସହାୟକ ବୋଟ୍ ଯୋଗାଇ ଦିଆଯାଇଛି। ସଚେତନତା ଓ ସୁରକ୍ଷା କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ସଙ୍ଗଠନ ଓ ସ୍ଥାନୀୟ ଜନପ୍ରତିନିଧି ସାମିଲ ହୋଇଛନ୍ତି।

Spread the love