‘ଅଲିମ୍ପିକ୍ସ’ ଉଦଘାଟନୀ ସମାରୋହରେ ଯୋଗଦେଲେ ୨୦ ଭାରତୀୟ ଆଥଲେଟ୍
ଟୋକିଓ : ଆରମ୍ଭ ହୋଇଛି ବିଶ୍ବ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ । ଟୋକିଓଠାରେ ଏକ ସ୍ବତନ୍ତ୍ର ସମାରୋହରେ ଏହାର ଉଦଘାଟନ କରାଯାଇଛି । ତେବେ କରୋନା ମହାମାରୀ ଯୋଗୁଁ ବିନା ଦର୍ଶକରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଉଛି । ଭାରତୀୟ ଦଳର ୨୦ ଜଣ ଆଥଲେଟ୍ ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିଲେ । କିମ୍ବଦନ୍ତି ପାଲଟିଥିବା ଭାରତୀୟ ବକ୍ସର ମେରୀ କମ୍ ଓ ଭାରତୀୟ ହକିଦଳର ଅଧିନାୟକ ମନପ୍ରିତ ସିଂ ତ୍ରିରଙ୍ଗା ଧରି ଭାରତୀୟ ଦଳର ନେତୃତ୍ବ କରିଥିଲେ । ଅଲିମ୍ପିକ୍ସର ପରମ୍ପରା ଅନୁସାରେ ଗ୍ରୀସର ଆଥଲେଟ ଦଳ ପ୍ରଥମେ ଶୋଭାଯାତ୍ରାରେ ବାହାରି ଥିଲେ ।
ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ କରୋନା ମହାମାରୀ ବ୍ୟାପିବା ପରେ ତାହାକୁ ୨୦୨୧କୁ ଘୁଞ୍ଚାଇଦିଆଯାଇଥିଲା । ମହାମାରୀ ବ୍ୟାପିବାର ଆଶଙ୍କା ଥିବାରୁ ଜାପାନରେ ଏହି କ୍ରୀଡ଼ା ସମାରୋହକୁ ବିରୋଧ କରାଯାଉଥିଲା । ତେବେ ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ବେ ଆୟୋଜକମାନେ ଏହାକୁ ଆୟୋଜନ କରିବାରେ ସଫଳ ହୋଇଛନ୍ତି । କରୋନା ସଂକ୍ରମଣରୁ ଖେଳାଳୀମାନଙ୍କୁ ସୁରକ୍ଷିତ ରଖିବାକୁ କ୍ରୀଡ଼ାଗ୍ରାମରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି ।