ବଢିଲା ଓମିକ୍ରନ ଭୟ, ମହାରାଷ୍ଟ୍ର ଓ କେରଳରେ ବାହାରିଲେ ଆଉ ୮ ସଂକ୍ରମିତ

ନୂଆଦିଲ୍ଲୀ, ୧୬|୧୨: ସାରା ଦେଶରେ ଓମିକ୍ରନ ଚିନ୍ତା ବଢାଇ ଦେଇଛି । ମହାରାଷ୍ଟ୍ର, କେରଳରେ ଆଉ ୮ଟି କେସ୍ ସାମ୍ନାକୁ ଆସିଛି । ପ୍ରତିଟି ରାଜ୍ୟରୁ ୪ଟି ଲେଖାଏଁ କେସ୍ ସାମ୍ନାକୁ ଆସିଥିବା ସୂଚନା ମିଳିଛି । ସେହିପରି ତାମିଲନାଡୁରେ ମଧ୍ୟ ଗୋଟିଏ ନୂଆ କେସ୍ ସାମ୍ନାକୁ ଆସିଛି । ଏହାସହ ଦେଶର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୩ରେ ପହଁଚିଛି । ଏଥିରୁ ୩୨ଟି କେସ୍ ହେଉଛି ମହାରାଷ୍ଟ୍ରର ।

ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାୟରୋଲୋଜି ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରରେ ନୂଆ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨ଜଣ ଉସମାନାବାଦର, ଜଣେ ମୁମ୍ବାଇର ଓ ଆଉ ଜଣେ ବୁଲଢାଣାର ଅଟନ୍ତି । ଏଥିରୁ ୩ଜଣ ଟିକା ନେଇ ସାରିଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଜଣେ ମହିଳା ରହିଥିବା ବେଳେ ୧୬ରୁ ୬୭ ବୟସଙ୍କ ମଧ୍ୟରେ ୩ ଜଣ ପୁରୁଷ ରହୁଛନ୍ତି । ସମସ୍ତ ଆକ୍ରାନ୍ତଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ ।

ମିଳିଥିବା ସୂଚନା ଅନୁସାରେ, ଉସମାନାବାଦରେ ଚିହ୍ନଟ ସଂକ୍ରମିତ ଶାରଜାହରୁ ଫେରିଥିଲେ । ଅନ୍ୟମାନେ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ସେହିପରି ଆଉ ଜଣେ ଦୁବାଇରୁ ଫେରିଥିଲେ । ସେହିପରି ଅନ୍ୟଜଣେ ଆୟାରଲାଣ୍ଡରୁ ଭାରତ ଆସିଥିଲେ । ସମସ୍ତଙ୍କୁ ହସ୍ପିଟାଲରେ ଆଇସୋଲେସନରେ ରଖାଯାଇଛି । ଏହାସହ ସେମାନଙ୍କ ସଂପ୍ପର୍ଶରେ କେଉଁମାନେ ଆସିଛନ୍ତି ସେନେଇ ଟ୍ରାକିଂ କରାଯାଉଛି ।

ସୂଚନାଯୋଗ୍ୟ, ସାରା ବିଶ୍ୱରେ ଓମିକ୍ରନ ଭାରିଆଣ୍ଟ ପାଇଁ ଚିନ୍ତା ବଢିଯାଇଛି । ବୈଜ୍ଞାନିକମାନେ ଏହି ଭାରିଆଣ୍ଡ ବାବଦରେ ଅଧିକରୁ ଅଧିକ ତଥ୍ୟ ଖୋଜିବାରେ ଲାଗିଛନ୍ତି । ଦକ୍ଷିଣ ଆଫ୍ରିକା ଓ ୟୁକେର ତଥ୍ୟ ଅନୁସାରେ, ଏହି ଭାରିଆଣ୍ଟ ଶିଶୁଙ୍କୁ ବେଶି ସଂକ୍ରମିତ କରୁଛି । ଆଗାମୀ ଦିନରେ ଏହା ବଡ ସମସ୍ୟା ସୃଷ୍ଟି କରିବ ବୋଲି କୁହାଯାଉଛି।

Spread the love