ନାଇଟ୍ କର୍ଫ୍ୟୁରୁ ଆରମ୍ଭ କରି ପର୍ବ ପର୍ବାଣୀ ରୋକ.. ଓମିକ୍ରନ ମୁକାବିଲା ଲାଗି ଜାଣନ୍ତୁ ରାଜ୍ୟଙ୍କୁ କ’ଣ ସବୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ ୨୩।୧୨: ଭାରତରେ କରୋନାର ଓମିକ୍ରନ ଭାରିଏଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢି ବଢି ଚାଲିଛି। ଗୁରୁବାର ସୁଦ୍ଧା ଦେଶରେ ମୋଟ ୨୬୯ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ସଂକ୍ରମଣକୁ ଏବେ ଗୁରୁତର ସହ ଗ୍ରହଣ କରିଛନ୍ତି। ଏ ବାବଦେ ରାଜ୍ୟ ସରକାରମାନଙ୍କ ପ୍ରସ୍ତୁତି ସମୀକ୍ଷା କରିଛନ୍ତି କେନ୍ଦ୍ର ସରକାର। ଏଥିରେ ରାଜ୍ୟ ସରକାରମାନଙ୍କୁ ଜିଲ୍ଲାମାନଙ୍କର ପଜିଟିଭ କେସ୍ ଡବଲିଂ ହାର ଓ କ୍ଲଷ୍ଟର ଉପରେ ନଜର ରଖିବା ଲାଗି କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ସେହିପରି ସମସ୍ତ ସତର୍କତା କଡ଼ାକ଼ି ପାଳନ ନିମନ୍ତେ ମଧ୍ୟ ଚେତାଇ ଦେଇଛନ୍ତି।

ଏଥିରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ  ବିଭିନ୍ନ ପର୍ବ ପର୍ବାଣୀ ଉପରେ ସ୍ଥାନୀୟ ସ୍ତରରେ କଟକଣା ଲାଗୁ କରିବା ନିମନ୍ତେ କହିଛନ୍ତି।  ସମ୍ପୂର୍ଣ୍ଣ ଟିକାକରଣ ସ୍ୱାସ୍ଥ୍ୟଗତ ଜଟିଳତା ଏପରିକି ହସ୍ପିଟାଲାଇଜେସନରୁ ଲୋକଙ୍କୁ ରକ୍ଷା କରିପାରେ । ଏଣୁ ଦ୍ୱାରକୁ ଦ୍ୱାର ଟିକାକରଣ ଲାଗି  ନିର୍ଦ୍ଦେଶ ଦେଇଛନ୍ତି।  ଏହା ଛଡା ନାଇଟ୍‌ କର୍ଫ୍ୟୁ ଲାଗୁ କରିବା ସହ ଜନଗହଳି ନିୟନ୍ତ୍ରଣ ସହ ଆଗାମୀ ପୂର୍ବପର୍ବାଣୀ  ନିମନ୍ତେ ବଢିବାକୁ ଥିବା କରୋନା ମାମଲାରେ କଣ୍ଟେନମେଣ୍ଟ ଓ ବଫର ଜୋନ ନିର୍ଧାରଣ କରିବାକୁ କହିଛନ୍ତି।

ସେହିପରି ପରୀକ୍ଷଣ ଓ କଣ୍ଟାକ୍ଟ ଟ୍ରେସିଂ ଉପରେ ଅଧିକ ନଜର ରଖିବାକୁ, ଡୋର ଟୁ ଡୋର କେସ୍ ସର୍ଚ୍ଚ ଓ ଆରଟି ପିସିଆର ଟେଷ୍ଟିଂ ବଢାଇବାକୁ ମଧ୍ୟ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏହା ଛଡା ହସ୍ପିଟାଲରେ ବେଡ, ଆମ୍ବୁଲାନ୍ସ ଓ ଅନ୍ୟ ସ୍ୱାସ୍ଥ୍ୟ ଉପକରଣ ବଢାଇବାକୁ ମଧ୍ୟ କୁହାଯାଇଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୩୦ ଦିନ ପର୍ଯ୍ୟନ୍ତ ଔଷଧ ଷ୍ଟକ୍ ରଖିବାକୁ କୁହାଯାଇଛି। ଯେପରି ଗୁଜବ ପ୍ରସାରିତ ନ ହୁଏ ଓମିକ୍ରନ ସଂକ୍ରାନ୍ତରେ ଲଗାତାର ସୂଚନାର ଆଦାନ ପ୍ରଦାନ ଜାରି ରଖିବାକୁ ଓ ନିୟମିତ ସାମ୍ବାଦିକ ସମ୍ମିଳନୀ କରିବାକୁ ମଧ୍ୟ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି।

ତେବେ ରାଜଧାନୀ ଦିଲ୍ଲୀରେ ବଡ଼ ଦିନ ଲାଗି ଧାର୍ମିକ ସ୍ଥଳ ସବୁ ଖୋଲା ରହିବ ବୋଲି ଗୁରୁବାର ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି (ଡିଡିଏମଏ) କହିଛନ୍ତି। ଏହି ସମୟରେ କରୋନା ଗାଇଡ ଲାଇନ କଡାକଡି ପାଳନ ହେବ ବୋଲି କୁହାଯାଇଛି। ଏବେଠାରୁ ଦିଲ୍ଲୀରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଲାଣି। ଏଣୁ ଡିଡିଏମଏ ବଡଦିନ ଓ ନୂଆ ବର୍ଷ ବେଳେ ରାଜଧାନୀରେ କୌଣସି ପ୍ରକାର ଆୟୋଜନ ଉପରେ କଟକଣା ଜାରି କରିଛନ୍ତି।

Spread the love