ଅଷ୍ଟ୍ରେଲିଆରେ ଓମିକ୍ରନ ନେଲା ପ୍ରଥମ ମୁଣ୍ଡ

ନୂଆଦିଲ୍ଲୀ,୨୭/୧୨ :   ସାରା ବିଶ୍ୱରେ କରୋନାର ଆତଙ୍କ ଜାରି ରହିଛି । ଏହାମଧ୍ୟରେ ନୂଆ ଭାରିଆଣ୍ଟ ଓମିକ୍ରନ ଅନେକ ଦେଶରେ ତାଣ୍ଡବ ରଚିଛି । ବ୍ରିଟେନ୍ ଓ ଆମେରିକା ପରେ ଅଷ୍ଟ୍ରେଲିଆରେ ବି ଜୀବନ ନେବା ଆରମ୍ଭ କରିଛି ଓମିକ୍ରନ ।

କୁହାଯାଉଛି ଯେ, ଅଷ୍ଟ୍ରେଲିଆରେ ଯେଉଁ ବ୍ୟକ୍ତି ଓମିକ୍ରନରେ ପ୍ରାଣ ହରାଇଛନ୍ତି ତାଙ୍କ ବୟସ ୮୦ । ସେ ବିଭିନ୍ନ ରୋଗରେ ପୀଡିତ ଥିଲେ । ମୃତ୍ୟୁ ପରେ ସରକାର କଟକଣା କୋହଳ ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି ।

ନିକଟରେ ଅଷ୍ଟ୍ରେଲିଆ ସରକାର କଟକଣାରେ କିଛିଟା କୋହଳ କରିବା ସହ ଘରୋଇ ସୀମାକୁ ଖୋଲି ଦେଇଥିଲେ । ଫଳରେ ସ୍ଥାନୀୟ ଲୋକଙ୍କୁ ଆଉ କ୍ୱାରେଣ୍ଟାଇନର ଆବଶ୍ୟକତା ରହିନଥିଲା । ଆଉ କିଛି କଟକଣା କୋହଳ କରିବାକୁ ସରକାରଙ୍କ ଯୋଜନା ଥିଲା । କିନ୍ତୁ କୋହଳ ପରେ ମାମଲା ବଢିବାରେ ଲାଗିଥିଲା । ଫଳରେ ସରକାର ଅଧିକ କୋହଳ କରିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି ।

ସୂଚନାଯୋଗ୍ୟ, ଓମିକ୍ରନ ଭାରିଆଣ୍ଟରେ ପ୍ରାଣ ହରାଇଥିବା ବ୍ୟକ୍ତି ସିଡନୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହା ହେଉଛି ନ୍ୟୁ ସାଉଥ ଓ୍ୱେଲସ୍ ପ୍ରାନ୍ତର ପ୍ରଥମ ମୃତ୍ୟୁ । ଭିକ୍ଟୋରିଆ, ନ୍ୟୁ ସାଉଥ ଓ୍ୱେଲସ ଓ କ୍ୱିନ୍ସଲାଣ୍ଡରେ ସୋମବାର ଦୈନିକ ୯୧୦୭ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସମୁଦାୟ ଦେଶରେ ସୋମବାର ୧୦,୦୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ କରୋନା ଆରମ୍ଭ ହେଲା ଦିନଠୁ ଏଠାରେ କେବେ ଏତେ ସଂଖ୍ୟକ ଦୈନିକ ଆକ୍ରନ୍ତ ଚିହ୍ନଟ ହୋଇନଥିଲେ ।

Spread the love