ଓମିକ୍ରନରେ ଦେଶରେ ପ୍ରଥମ ମୃତ୍ୟୁ

ନୂଆଦିଲ୍ଲୀ ୦୫।୦୧: ଦେଶରେ କରୋନା ଓମିକ୍ରନ ସଂକ୍ରମଣରେ ପ୍ରଥମ ମୃତ୍ୟୁ। ରାଜସ୍ଥାନର ଉଦୟପୁରରୁ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଜଣେ ୭୨ ବର୍ଷୀୟ ସଂକ୍ରମିତଙ୍କ କରୋନାର ଏହି ନୂତନ ଭାରିଆଣ୍ଟରେ ପ୍ରାଣହାନୀ ଘଟିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବୁଧବାର ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଓମିକ୍ରନ ଭାରିଆଣ୍ଟରେ ପ୍ରାଣ ହରାଇଥିବା ଉଦୟପୁରର ଏହି ବୃଦ୍ଧଙ୍କ ଡିସେମ୍ବର ୧୫ରେ କରୋନା ସଂକ୍ରମଣ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଅନୁଯାୟୀ, ବୃଦ୍ଧ ମଧୁମେହ, ଉଚ୍ଚ ରକ୍ତଚାପ ପରି ଅନେକ ରୋଗରେ ପୂର୍ବରୁ ପୀଡିତ ଥିଲେ।  ଚିକିତ୍ସା ପରେ ଡିସେମ୍ବର ୨୧ରେ ତାଙ୍କ ରିପୋର୍ଟ କରୋନା ନେଗେଟିଭ୍ ଆସିଥିଲା।

ଚିକିତ୍ସା ବିଭାଗ ଅନୁଯାୟୀ, ଜିନୋମ ସିକ୍ୟୁନ୍ସିଂର ପରିଣାମ ଡିସେମ୍ବର ୨୫ରେ ମିଳିଥିଲା। ଏଥିରେ ବୃଦ୍ଧ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେବେ ଏହାର ଛଅ ଦିନ ପରେ ଅର୍ଥାତ ଡିସେମ୍ବର ୩୧ ଭୋର ସକାଳ ପ୍ରାୟ ସାଢେ ୩ଟାରେ ମୃତ୍ୟୁ ଘଟିଥିଲା। ଏହା ମଧ୍ୟ ସୂଚନା ରହିଛି ଯେ, ବୃଦ୍ଧ ଟିକାର ଉଭୟ ଡୋଜ୍ ନେଇ ସାରିଥିଲେ।

ଉଦୟପୁରର ବୃଦ୍ଧଙ୍କ ମୃତ୍ୟୁ ଉପରେ ଉଦୟପୁର ଡିଭିଜନର ସିଏମଏଚଓ ଡ. ଦିନେଶ ଖରାଡି ଏହା ପୂର୍ବରୁ ସୂଚନା ଦେଇଥିଲେ ଯେ, କୋଭିଡ୍ ପରେ ନିମୋନିଆରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବୃଦ୍ଧଙ୍କ କୌଣସି ଯାତ୍ରାକାଳୀନ ଇତିହାସ ବିଷୟରେ ସୂଚନା ମିଳିନାହିଁ।

ଏବେ କରୋନା ମାମଲା ଦ୍ରୁତ ଗତିରେ  ବଢ଼ି ଚାଲିଛି । ୭ ମାସ ପରେ ମଙ୍ଗଳବାର  ୧୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜୟପୁର ପରେ ଯୋଧପୁର ଦ୍ୱିତୀୟ ସହର ଯେଉଁଠି ସଂକ୍ରମଣ ତିନି ଅଙ୍କ ଛୁଇଁଛି। ଯୋଧପୁରରେ ୨୦୨୧ ମସିହା ଜୁନ ମାସ ୧୦୦ ପଜିଟିଭ କେସ ସାମ୍ନାକୁ ଆସିଥିଲା। ଗୋଟିଏ ସପ୍ତାହରେ ରାଜ୍ୟର ରିପୋର୍ଟ ଦେଖିଲେ କରୋନାରେ ୭୮୬ ପ୍ରତିଶତ ବୃଦ୍ଧି ପାଇଛି।

ରାଜସ୍ଥାନ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ମୁତାବକ ଜୟପୁରରେ ୨୮ ଡିସେମ୍ବର ପର୍ଯ୍ୟନ୍ତ କରୋନା ସଂକ୍ରମଣ ସଂଖ୍ୟା ୩୦୦ରୁ କମ ରହୁଥିଲା ଯାହାକି ବଢ଼ି ଏବେ ୨ ହଜାରରେ ପହଞ୍ଚିଛି। ସେହିଭଳି କୋଟା, ଆଜମେର, ଅଲୱରରେ ଆକ୍ଟିଭ କରୋନା ମାମଲା ସଂଖ୍ୟା ୧୦୦ ଅତିକ୍ରମ କରିଛି। ଯାହାକି ଯୋଧପୁରରେ ଏହି ସଂଖ୍ୟା ୩୦୦ରୁ ଅଧିକ ରହିଛି।

Spread the love