ଓମିକ୍ରନ୍ ଭୟ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ସିରିଜକୁ ନେଇ ଆସିଲା ବଡ ନିଷ୍ପତ୍ତି, କ୍ରିକେଟପ୍ରେମୀ ନିରାଶ

ନୂଆଦିଲ୍ଲୀ ୨୦/୧୨ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ୍‌ ଏବଂ ଦିନିକିଆ ସିରିଜ ଖେଳିବା ପାଇଁ ଗସ୍ତରେ ଅଛି ଟିମ ଇଣ୍ଡିଆ । ଓମିକ୍ରନ୍‌ ଭୟ ମଧ୍ୟରେ ଭାରତୀୟ ଦଳ ସାଉଥ ଆଫ୍ରିକା ଗସ୍ତ କରିଛି । ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଟେଷ୍ଟ । ପୂର୍ବରୁ ହିଁ କ୍ରିକେଟ ସାଉଥ ଆଫ୍ରିକା (CSA) ଘୋଷଣା କରିଥିଲା ଯେ, ବିନା ଦର୍ଶକରେ ଖେଲାଯିବ ପ୍ରଥମ ଟେଷ୍ଟ । କିନ୍ତୁ ଏବେ କ୍ରିକେଟପ୍ରେମୀଙ୍କ ପାଇଁ ଆଉ ଏକ ଦୁଃଖଦ ଖବର ପହଞ୍ଚିଛି ।

ଓମିକ୍ରନ୍‌ ଭ୍ୟାରିଆଣ୍ଟ ବୃଦ୍ଧିପାଉଥିବାରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ସିଏସ୍‌ଏ । କ୍ରିକେଟ ସାଉଥ ଆଫ୍ରିକା ଏବଂ ବିସିସିଆଇ ମିଶି ନିଷ୍ପତ୍ତି ନେଇଛନ୍ତି ଯେ, କେବଳ ପ୍ରଥମ ଟେଷ୍ଟ ନୁହେଁ ବରଂ ପୁରା ଟେଷ୍ଟ ସିରିଜ୍‌ ଏବଂ ଦିନିକିଆ ସିରିଜ୍‌ ବିନା ଦର୍ଶକରେ ଖେଳାଯିବ । CSA ବୟାନ ଜାରିକରି କହିଛି, ‘ଆମେ ସମସ୍ତ ଦର୍ଶକଙ୍କ କହିବାକୁ ଚାହୁଁଛୁ ଯେ ସାରା ବିଶ୍ବରେ ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣ ଏବଂ ସାଉଥ ଆଫ୍ରିକାରେ ଚତୁର୍ଥ ଲହର କାରଣରୁ ଉଭୟ ଦେଶର କ୍ରିକେଟ ବୋର୍ଡ ଖେଳାଳିଙ୍କ ସୁରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ବିନା ଦର୍ଶକରେ ସିରିଜ୍‌ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି । ଉଭୟ କ୍ରିକେଟପ୍ରେମୀ ଟିଭି କିମ୍ବା ମୋବାଇଲ ମାଧ୍ୟମରେ ଖେଳ ଦେଖିପାରିବେ।’

ସୂଚନାଯୋଗ୍ୟ, ଗତ କିଛି ଦିନହେଲା ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧିପାଇବାରେ ଲାଗିଛି । ଏଥିପାଇଁ ଘରୋଇ ଟୁର୍ଣ୍ଣାମେଣ୍ଟ ଏବଂ ଅନ୍ୟ ଫ୍ରାଞ୍ଚାଇଜ୍‌ ସିରିଜର ମ୍ୟାଚଗୁଡିକୁ ମଧ୍ୟ ସ୍ଥଗିତ କରିଦିଆଯାଇଛି । ଏହି ମ୍ୟାଚ ଡିସେମ୍ବର ୧୬ରୁ ୧୯ ଏବଂ ଡିସେମ୍ବର ୧୯ ରୁ ୨୨ ମଧ୍ୟରେ ହେବାର ଥିଲା ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଦ୍ବିତୀୟ ଟେଷ୍ଟ ମ୍ୟାଚ ଜାନୁଆରୀ ୩ ତାରିଖରୁ ଏବଂ ତୃତୀୟ ଟେଷ୍ଟ ମ୍ୟାଚ ଜାନୁଆରୀ ୧୧ ତାରିଖରୁ ଖେଳାଯିବ । ଏହା ବାଦ୍‌ ସାଉଥ ଆଫ୍ରିକା ବିପକ୍ଷରେ ୩ଟିକିଆ ଦିନିକିଆ ସିରିଜ ଖେଳାଯିବ । ଜାନୁୟାରୀ ୧୯ ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହେବ । ସମସ୍ତ ମ୍ୟାଚ ବିନା ଦର୍ଶକରେ ଖେଳାଯିବ ।

Spread the love