ଏପ୍ରିଲ ୨ରେ ଭାରତ ଗସ୍ତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଏପ୍ରିଲ ୨ ରେ ଭାରତ ଗସ୍ତରେ ଆସିବେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନଫତାଲୀ ବେନେଟ । ପ୍ରଥମ ଥର ପାଇଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନଫତାଲୀ ବେନେଟ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସୁଛନ୍ତି ବୋଲି ଇସ୍ରାଏଲ ସରକାରଙ୍କ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି । ସୂଚନା ଅନୁଯାୟୀ, ଇସ୍ରାଏଲ୍ ଏବଂ ଭାରତ ମଧ୍ୟରେ ସମ୍ପର୍କ ସ୍ଥାପନ ହେବାର ୩୦ତମ ବାର୍ଷିକୀ ପାଳନ କରିବା ନିମନ୍ତେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଗସ୍ତ କରୁଥିବା ଜଣାପଡ଼ିଛି ।

ଏହି ଦୁଇ ନେତାଙ୍କ ଭେଟ ଶେଷଥର ପାଇଁ ଅକ୍ଟୋବରରେ ଗ୍ଲାସଗୋରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (COP26) ସମୟରେ ହୋଇଥିଲା । ତା’ପରେ ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନେଟଙ୍କୁ ଦେଶ ଗସ୍ତରେ ଆସିବାକୁ ନିମନ୍ତ୍ରଣ କରିଥିଲେ। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ଦୃଢ କରିବ । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନେଟଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ମଧ୍ୟରେ ରଣନୈତିକ ସହଯୋଗକୁ ଆଗକୁ ବଢାଇବା ଏବଂ ଦୃଢ କରିବା। ଏହାସହ ଦ୍ୱିପାକ୍ଷିକ ସମ୍ପର୍କ ବିସ୍ତାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଏହା ବ୍ୟତୀତ ଉଭୟ ଦେଶର ପ୍ରଧାନମନ୍ତ୍ରୀମାନେ ଅର୍ଥନୀତି, ଅନୁସନ୍ଧାନ, ବିକାଶ, କୃଷି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗକୁ ମଜବୁତ କରିବା ଉପରେ ଆଲୋଚନା କରିବେ।ଏହି ଗସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବେନେଟ ଏକ ବିବୃତ୍ତିରେ କହିଛନ୍ତି ଯେ ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ କ୍ରମେ ମୁଁ ଭାରତକୁ ପ୍ରଥମ ସରକାରୀ ଗସ୍ତ କରି ଅତ୍ୟନ୍ତ ଆନନ୍ଦିତ । ମୋଦି ଭାରତ ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କ ପୁନଃ ଆରମ୍ଭ କରିଛନ୍ତି ଏବଂ ଏହାର ଐତିହାସିକ ମହତ୍ତ୍ଵ ରହିଛି।

 

Spread the love