ସମ୍ମିଳନୀ କେନ୍ଦ୍ରରେ ବିସ୍ଫୋରଣ: ଜଣେ ମହିଳା ମୃତ, ୨୦ରୁ ଅଧିକ ଆହତ

କଲମସ୍ସେରୀ: ଆଜି ସକାଳ ପ୍ରାୟ ୯.୩୦ରେ କେରଳର ଏର୍ଣ୍ଣାକୁଲମ୍‌ ଅନ୍ତର୍ଗତ କଲମସ୍ସେରୀସ୍ଥିତ ଏକ ସମ୍ମିଳନୀ କେନ୍ଦ୍ରରେ ବିସ୍ଫୋରଣ ଘଟିବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ଓ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ‘ଅନ୍‌ମନୋରମା’ ରିପୋର୍ଟ କରିଛି।ସମ୍ମିଳନୀ କେନ୍ଦ୍ରରେ ‘ଜିହୋବାସ୍‌ ୱିଟ୍‌ନେସ୍‌’ ପ୍ରାର୍ଥନା ସଭା ଚାଲିଥିବା ବେଳେ ବିସ୍ଫୋରଣ ଘଟିଥିଲା। ଏଥିରେ ଆହତ ହୋଇଥିବା ୨୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ତୁରନ୍ତ ‘ସରକାରୀ ଡାକ୍ତରୀ ମହାବିଦ୍ୟାଳୟ ଓ ଚିକିତ୍ସାଳୟ’ରେ ଭର୍ତ୍ତି କରାଯାଇଛି।

ଦମକଳ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରୁ ଜଣଙ୍କର ଦଗ୍ଧ ଶବ ଉଦ୍ଧାର କରିଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଘଟଣା ସଂକ୍ରାନ୍ତରେ ପୁଲିସ ଏଯାବତ୍‌ କିଛି କହି ନ ଥିବା ବ‌େଳେ ଶୁଣାଯାଉଛି କି, ପ୍ରାର୍ଥନା ସଭା ଚାଲିଥିବା ବେଳେ ଘଟଣାସ୍ଥଳରେ ଏକାଧିକ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଯୋଗୁଁ କେତେକ ଆହତ ହୋଇଥିବା ବେଳେ ଭୟରେ ସମ୍ମଳନୀ କେନ୍ଦ୍ରରୁ ଧାଇଁ ପଳାଉଥିବା ବେଳେ ଆଉ କେତେ ଜଣ ପଡ଼ିଯିବାରୁ ବା ଅନ୍ୟ କ‌ୌଣସି କାରଣରୁ ଆହତ ହୋଇଛନ୍ତି। ସଂଗୃହୀତ ସୂଚନା ଅନୁସାରେ, କଲମସ୍ସେରୀସ୍ଥିତ ‘ଜମ୍‌ରା ଇଣ୍ଟର୍‌ନ୍ୟାସ୍‌ନାଲ୍‌ କନ୍‌ଭେନ୍‌ସନ୍‌ ଆଣ୍ଡ୍‌ ଏକ୍ଜିବିସନ୍‌ ସେଣ୍ଟର୍‌’ରେ ଆୟୋଜିତ ୩ ଦିନିଆ ‘ଜିହୋଭାସ୍‌ ୱିଟ୍‌ନେସେସ୍‌’ରେ ୨୦୦୦ ଲୋକ ଯୋଗ ଦେଇଥିଲେ। ହଲ୍‌ ଭିତରେ ୩ଟି ବିସ୍ଫୋରଣ ଘଟିଥିବା କଥା ଜଣେ ପ୍ରତ୍ୟକ୍ଷଦର୍ଶୀ ଗଣମାଧ୍ୟମକୁ କହିଛନ୍ତି।

Spread the love