ଅଜିତଙ୍କ ଗୋଷ୍ଠୀରେ ସାମିଲ ହେଲେ ଶରଦଙ୍କ କାର୍ଯ୍ୟକ୍ରମରେ ସାମିଲ ଥିବା ବିଧାୟକ

କମୁଛି ଶରଦଙ୍କ ପାୱାର । ଶରଦଙ୍କ ଗୋଷ୍ଠୀର ଜଣେ ପରେ ଜଣେ ନେତା ଏବେ ଅଜିତଙ୍କ କ୍ୟାମ୍ପରେ ସାମିଲ ହେଉଛନ୍ତି । ଯାହା ଏବେ ଶରଦଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏବେସୁଦ୍ଧା ଏନସିପି କାହା ଅକ୍ତିଆରକୁ ଯିବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଶରଦଙ୍କ ହାତ ଦଳର ବିଧାୟକ ଛାଡିବା ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ ଆଣିବାକୁ ଯାଉଛି । ଶରଦଙ୍କ କ୍ୟାମ୍ପର ବିଧାୟକ ମର୍କନ୍ଦ ପାଟିଲ ସୋମବାର ଅଜିତ ପାୱାରଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି । ମର୍କନ୍ଦଙ୍କ କହିବା ଅନୁଯାୟୀ, ଏହି ନିଷ୍ପତ୍ତି ନେବା ବେଶ କଠିନ ଥିଲା । କିନ୍ତୁ ନିଜ ନିର୍ବାଚନମଣ୍ଡଳୀରେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୨ଟି ଚିନିକଳକୁ ବଞ୍ଚାଇବା ପାଇଁ ଅଜିତଙ୍କ ଗୋଷ୍ଠୀକୁ ଆସିଥିବା କହିଛନ୍ତି ମର୍କନ୍ଦ । ଏହାପୂର୍ବରୁ ଶରଦ ପାୱାରଙ୍କ କାର୍ଯ୍ୟକ୍ରମରେ ମର୍କନ୍ଦଙ୍କୁ ଦେଖିବାକୁ ମିଳିଥିଲା ।ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଶରଦ ପାୱାର ସତାରା ସହରକୁ ଗସ୍ତ କରିଥିଲେ ।

ସେହି ସମୟରେ ମର୍କନ୍ଦଙ୍କୁ ଶରଦଙ୍କ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ଏପରିକି ଅଜିତଙ୍କ ମନ୍ତ୍ରୀମଣ୍ଡଳ ସୂଚୀରେ ମର୍କନ୍ଦଙ୍କ ନାଁ ଥିଲା । କିନ୍ତୁ ନିର୍ବାଚନମଣ୍ଡଳୀରେ ସମର୍ଥକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବି ବୋଲି କହିଥିଲେ ମର୍କନ୍ଦ ।ସତାରା ଜିଲ୍ଲାରୁ ଅନେକ କାର୍ଯ୍ୟକର୍ତ୍ତା ଅଜିତ୍ ପାୱାରଙ୍କୁ ଭେଟିଥିଲେ । ଏପରିକି ଅନେକ କାର୍ଯ୍ୟକର୍ତ୍ତା ମର୍କନ୍ଦଙ୍କୁ ମନ୍ତ୍ରୀ କରିବାକୁ ଅଜିତଙ୍କୁ କହିଥିଲେ । ଏହାପରେ ଆଜି ଅଜିତଙ୍କ କ୍ୟାମ୍ପରେ ସାମିଲ ହୋଇଛନ୍ତି ମର୍କନ୍ଦ । ଅଜିତଙ୍କ ଗୋଷ୍ଠୀରେ ସାମିଲ ହେବା ପରେ, ଏଭଳି ଏକ ନିଷ୍ପତ୍ତି ନେବା ବହୁତ କଷ୍ଟକର ଥିଲା କାରଣ ଉଭୟ ଅଜିତ ପାୱାର ଓ ଶରଦ ପାୱାର ତାଙ୍କର ପ୍ରିୟ ନେତା ଥିଲେ । କିନ୍ତୁ ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ମର୍କନ୍ଦ ।

Spread the love