କାଶ୍ମୀରର ସୋପିଆନରେ ସିଆରପିଏଫ ଯବାନଙ୍କୁ ହତ୍ୟା ଘଟଣା; ଲସ୍କର-ଇ-ତୋଏବାର ଜଣେ ଆତଙ୍କବାଦୀ ଗିରଫ

ଶ୍ରୀନଗର ୧୩/୦୩ : ଶନିବାର ଦକ୍ଷିଣ କାଶ୍ମୀରରେ ଡ୍ୟୁଟିରେ ନଥିବା ବେଳେ ଜଣେ କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବାହିନୀ(ସିଆରପିଏଫ)ର ଯବାନଙ୍କୁ ହତ୍ୟା କରିବା ଘଟଣାରେ ଜଣେ ଆତଙ୍କବାଦୀକୁ ପୋଲିସ ଗିରଫ କରିଛି। ଏନେଇ କଶ୍ମୀରର ପୋଲିସ ମହା ନିରିକ୍ଷକ (ଆଇଜିପି) ବିଜୟ କୁମାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଅପରାଧରେ ବ୍ୟବହାର ହୋଇଥିବା ପିସ୍ତଲକୁ ମଧ୍ୟ ସନ୍ଦିଗ୍ଧ ଠାରୁ ପୋଲିସ ଜବତ କରି ଏକ ମାମଲା ରୁଜୁ କରାଯାଇଛି ।

କଶ୍ମୀରର ଆଇଜିପି କହିଛନ୍ତି ଅପରାଧ ସମୟରେ ଆତଙ୍କବାଦୀ ସହିତ ଯାଇଥିବା ଜଣେ ଓଭର ଗ୍ରାଉଣ୍ଡ ୱାର୍କରକୁ ମଧ୍ୟ ଗିରଫ କରାଯାଇଛି । ଲସ୍କର-ଇ-ତୋଏବାର କମାଣ୍ଡର ଆବିଦ ରମଜାନ ସେଖ୍ର ନିର୍ଦ୍ଦେଶରେ ଆତଙ୍କବାଦୀ ଏହି ଅପରାଧ ଘଟାଇଥିଲା ବୋଲି ପୋଲିସ କହିଛି ।

ସୂଚନା ଥାଉକି, ଆତଙ୍କବାଦୀ ମାନେ ଶନିବାର ସନ୍ଧ୍ୟାରେ ସିଆରପିଏଫ ଯବାନ ମୁକ୍ତାର ଅହମ୍ମଦଙ୍କୁ ସୋପିଆନର ଚେକ ଚୋରିପୁଟା ଅଞ୍ଚଳରେ ଥିବା ତାଙ୍କ ଘରେ ଗୁଳି କରି ହତ୍ୟା କରିଥିଲେ। ଆଇଜିପି ଟୁଇଟ କରି କହିଛନ୍ତି “ଆମେ ସିଆରପିଏଫ ଯବାନଙ୍କ ହତ୍ୟାକାରୀକୁ ଗିରଫ କରିଛୁ। ଅପରାଧରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ଘଟଣା ସ୍ଥଳରୁ ଜବତ କରାଯାଇଛି। ଜଣେ ଓଭର ଗ୍ରାଉଣ୍ଡ ୱାର୍କର ଯିଏକି ଆତଙ୍କ ବାଦର ଏହି ଅପରାଧରେ ଅପରାଧିକୁ ସହଯୋଗ କରୁଥିଲା ତାକୁ ମଧ୍ୟ ଗିରଫ କରାଯାଇଛି “।

Spread the love