ଏବେ କ୍ଷତିଗ୍ରସ୍ତ ଜମାକାରୀ ଅନଲାଇନ୍‌ରେ କରି ପାରିବେ ଆବେଦନ , ଉନ୍ମୋଚନ ହେଲା ଓ୍ଵେବସାଇଟ୍‌

ଭୁବନେଶ୍ଵର ୦୪।୦୬: ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନରେ ଅର୍ଥ ଜମାକରି କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀଙ୍କୁ ଚିହ୍ନଟ ଏବଂ ସେମାନଙ୍କର ଜମା ରାଶିର ପରିଣାମ ନିରୂପଣ ପାଇଁ ରାଜ୍ୟ ସରକାର ଶୁକ୍ରବାର ଏକ ଓ୍ଵେବ୍‌ସାଇଟ୍‌ର ଉନ୍ମୋଚନ କରିଛନ୍ତି। ଏହି ଓ୍ଵେବସାଇଟ୍‌ ଜରିଆରେ କ୍ଷତିଗ୍ରସ୍ତ ଜମାକାରୀଙ୍କଠୁ  ଅନଲାଇନ୍ ଦାବି ଦରଖାସ୍ତ ଆହ୍ଵାନ କରାଯିବ। କ୍ଷତିଗ୍ରସ୍ତ ଜମାକାରୀମାନେ ଓଡିଶା ସରକାରଙ୍କ  ଓ୍ଵେବସାଇଟ୍‌ www.opid.odisha.gov.inରେ ଅନଲାଇନ୍ ଆବେଦନ କରି ପାରିବେ।

ପୂର୍ବରୁ ମେସର୍ସ ରୋଜ ଭ୍ୟାଲି ଗ୍ରୁପ ଅଫ କମ୍ପାନୀ ସମୂହର କ୍ଷତିଗ୍ରସ୍ତ ଜମାକାରୀଙ୍କଠୁ ଅଫଲାଇନ୍‌ରେ ଦାବି ଆବେଦନ ଆହ୍ଵାନ କରାଯାଇଥିଲା। ଏହି ସବୁ ଦାବି ଆବେଦନ ପତ୍ର ଗ୍ରହଣ, ତାହାର  ଡିଜିଟାଇଜେସନ, ଡିଜିଟାଇଜ ଡାଟା ଅନୁସାରେ କ୍ଷେତ୍ରୀୟ ତଦନ୍ତ ଏବଂ କ୍ଷେତ୍ରୀୟ ତଦନ୍ତର ରିପୋର୍ଟ ଡିଜିଟାଇଜେସନ ଆଦିକାର୍ଯ୍ୟ ସମୟ ସାପେକ୍ଷ, କଷ୍ଟକର ଓ ବ୍ୟୟବହୁଳ ଥିଲା। ଏହାକୁ ଦୃଷ୍ଟିରେ ରଖି କ୍ଷତିଗ୍ରସ୍ତ ଜମାକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏକ ସହଜ ଏବଂ ସରଳ ଓ୍ଵେବସାଇଟ୍‌ ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓସିଏସି) ଜରିଆରେ ଡିଜାଇନ କରିଛନ୍ତି। ଏହି ନୂତନ ଓ୍ଵେବସାଟଇ୍‌କୁ ଶୁକ୍ରବାର ମାନ୍ୟବର ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉନ୍ମୋଚନ କରିଛନ୍ତି।

ବର୍ତ୍ତମାନ ଏହି ଓ୍ଵେବସାଇଟ୍‌ ପ୍ରଚଳନ ପରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଆଉ ଦରଖାସ୍ତ ଦେବାପ ପାଇଁ ତହସିଲ ଅଫିସ୍ ଯିବାକୁ ପଡିବ ନାହିଁ। ଏଣିକି ସେମାନେ ନିଜ ଘରୁ କିମ୍ବା ନିକଟସ୍ଥ ସେବା କେନ୍ଦ୍ରର ସହାୟତା ନେଇ ଅନଲାଇନରେ ସେମାନଙ୍କ ଦାବି ଦରଖାସ୍ତ ଦାଖଲ କରି ପାରିବେ। ନିକଟସ୍ଥ ମୋ ସେବା କେନ୍ଦ୍ରର ଠିକଣା ରାଜ୍ୟ ସରକାରଙ୍କ www.odishaone.gov.inରେ ଉପଲବ୍ଧ।

Spread the love