ନଭେମ୍ବର ୧୫ରୁ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ପାଠପଢା ଆରମ୍ଭ
ଭୁବନେଶ୍ଵର ୧୦।୧୧: କରୋନା ପ୍ରକୋପ କମୁଥିବାରୁ ରାଜ୍ୟ ଶିକ୍ଷା ବ୍ୟବସ୍ଥା ଧିରେ ଧିରେ ସ୍ଵାଭାବିକ ସ୍ଥିତିକୁ ଫେରିବାକୁ ଲାଗିଛି। ଏବେ ନଭେମ୍ବର ୧୫ରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ। ପିଲାମାନେ ସ୍କୁଲ ଯାଇ ପାଠପଢିବେ। ଏ ନେଇ ବୁଧବାର ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। କୋଭିଡ୍ ଗାଇଡ୍ଲାଇନ୍ ଭିତରେ ପାଠପଢା ହେବ ବୋଲି ସେ କହିଛନ୍ତି।
ଏହା ପୂର୍ବରୁ ଅକ୍ଟୋବର ୨୫ରେ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପାଠପଢା ଆରମ୍ଭ ହୋଇଥିଲା। ସେହିପରି ଅକ୍ଟୋବର ୨୧ରୁ ଏକାଦଶ ଶ୍ରେଣୀ ପାଠପଢା ଆରମ୍ଭ ହୋଇଛି। ଏହି କ୍ରମରେ ପାଖାପାଖି ୨୦ ମାସ ପରେ ବିଦ୍ୟାଳୟରେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ପାଠପଢା ଆରମ୍ଭ ହେବାକୁ ଯାଉଛି। କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ବିଦ୍ୟାଳୟରେ ପାଠପଢା ଯିବ।
୨୦୨୦ ଜାନୁଆରୀରୁ କରୋନା ପ୍ରକୋପ ଆରମ୍ଭ ହେବା ପରେ ମାର୍ଚ୍ଚ ମାସରୁ ବିଦ୍ୟାଳୟରେ ତାଲା ଝୁଲିଥିଲା। ପ୍ରଥମ ଲହର କମିବା ପରେ ଦ୍ଵାଦଶ ଏବଂ ଦଶମ ଶ୍ରେଣୀ ପାଠପଢା କିଛିଟା ଆରମ୍ଭ ହୋଇଥିଲା। ହେଲେ ଦ୍ଵିତୀୟ ଲହର କାରଣରୁ ପ୍ରଥମରୁ ନବମ ଯାଏଁ ସ୍କୁଲ ବନ୍ଦ ରହିଥିଲା। ଏବେ ସ୍ଥିତିରେ ସୁଧାର ଆସୁଥିବାରୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଶ୍ରେଣୀର ପାଠପଢା ଆରମ୍ଭ ହୋଇଛି। ପ୍ରଥମରୁ ପଞ୍ଚମ ଯାଏଁ ଶ୍ରେଣୀ ଗୃହ କେବେ ଖୋଲିବ ତା ଉପରେ ଏବେ ସଭିଙ୍କ ନଜର।