ଲୁଟ୍‌ର ନୂଆ ତରିକା ତନ୍ତ୍ରମନ୍ତ୍ର; ମହିଳାଙ୍କଠୁ ଲୁଟିନେଲେ ସୁନା ଅଳଙ୍କାର

ରାଉରକେଲା: ଲୁଟେରାଙ୍କ ଲୁଟ୍‌ର ନୂଆ ତରିକା ଏବେ ତନ୍ତ୍ରମନ୍ତ୍ର। ଏମିତି ତନ୍ତ୍ରମନ୍ତ୍ର ଆଳରେ ଜଣେ ମହିଳାଙ୍କ ଠାରୁ ପ୍ରାୟ ୨ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟିନେଇଛନ୍ତି। ଲୁଟ୍‌ର ଶିକାର ହୋଇଛନ୍ତି ଛେଣ୍ଡ କଲୋନି ଏମ୍‌ (ଫେଜ୍‌ -୧) ବ୍ଲକର ମହିଳା ଅଭିସ୍ମିତା ସାହୁ। ସିସି ଟିଭି ଫୁଟେଜ୍‌ ଓ ତାଙ୍କ ଲିଖିତ ଅଭିଯୋଗ ଆଧାରରେ ଛେଣ୍ଡ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଛେଣ୍ଡ କଲୋନି ଏମ୍‌ ବ୍ଲକ (ଫେଜ୍‌-୧)ରେ ଅଭିସ୍ମିତା ସାହୁ ପରିବାର ସହ ଭଡ଼ାରେ ରହନ୍ତି। ପ୍ରତିଦିନ ପରି ଗତକାଲି ସକାଳ ପ୍ରାୟ ୮ଟାରେ ପୁଅକୁ ସ୍କୁଲ ଛାଡିବାକୁ ଯାଇଥିଲେ। ପୁଅକୁ ଛାଡି ସ୍କୁଲରୁ ଘରକୁ ଫେରୁଥିବାବେଳେ ଦୁଇ ଅଜ୍ଞାତ ଯୁବକ ଅଭିସ୍ମିତାଙ୍କୁ ବାଟରେ ଅଟକାଇଥିଲେ। ପରିଚିତ ଲୋକଙ୍କ ପରି ଘର କିଛି ସମସ୍ୟା କି ବୋଲି ପଚାରିଥିଲେ।
ଅଭିସ୍ମିତା ହଠାତ୍‌ କିଛି ନ ଜାଣିପାରି ପୁଅର ଦେହ ଟିକେ ଖରାପ ରହୁଛି ବୋଲି ଦୁଇ ଅଜ୍ଞାତ ଯୁବକଙ୍କୁ କହିଥିଲେ। ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଅଭିସ୍ମିତାଙ୍କୁ ତନ୍ତ୍ରମନ୍ତ୍ର କଥା କହି ଜାଲରେ ପକାଇଥିଲେ। ଅଭିସ୍ମିତା କ’ଣ କରିବାକୁ ପଡ଼ିବ ବୋଲି କହିବାରୁ ଯୁବକ ଜଣକ ଅତି ଚତୁରତାର ସହ ମା’ ଲକ୍ଷ୍ମୀ ତୁମ ପାଖକୁ ଆସିବାକୁ ଚାହୁଁ ନାହାନ୍ତି। ତୁମର ଯଦି ମୋ ଉପରେ ବିଶ୍ବାସ ଅଛି, ଏହି କଥା ମାନିବାକୁ ପଡ଼ିବ। ଅଭିସ୍ମିତା କିଛି ଉପାୟ ନ ପାଇ ରାଜି ହୋଇଯାଇଥିଲେ। ପରେ ଯୁବକ ଜଣକ ନିଜ ପକେଟରୁ ରୁମାଲ ବାହାରି ଅଭିସ୍ମିତାକୁ ଦେଖାଇଥିଲେ। କହିଥିଲେ, ବେକର ସୁନା ଚେନା, ହାତ ସୁନା ମୁଦି ଓ କାନଫୁଲ ବାହାର କରି ଏହି ରୁମାଲ ଉପରେ ରଖନ୍ତୁ।

ଆଗ ଦୋକାନରୁ କର୍ପୁର କିଣି ଆଣନ୍ତୁ। କର୍ପୁର ଆଣିବା ପୂର୍ବରୁ ସୁନା ଅଳଙ୍କାରଗୁଡ଼ିକୁ ମନ୍ତ୍ରପାଣିରେ ଧୋଇ ଦେଇଥିବି, ଆସି ନେଇଯିବେ। କର୍ପୁର ଆଣିବାକୁ ଯିବାବେଳେ ଆଦୌ ପଛକୁ ଚାହିଁବେ ନାହିଁ। ଯୁବକଙ୍କ କହିବା ମୁତାବକ ମହିଳା ଜଣକ ସୁନା ଅଳଙ୍କାର ବାହାର କରି ରୁମାଲରେ ରଖିଥିଲେ। କର୍ପୁର ଆଣିବାକୁ ଆଗକୁ କିଛି ବାଟ ଯାଇଥିଲେ। ସନ୍ଦେହ ହେବାରୁ ପଛକୁ ବୁଲି ଦେଖିଥିଲେ। ସେତେବେଳକୁ ଦୁଇ ଯୁବକ ସୁନା ଅଳଙ୍କାର ଧରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଉଲ୍ଲେଖଯୋଗ୍ୟ, ଗତ କିଛି ମାସ ପୂର୍ବରୁ ଏଭଳି ନିଆରା ଢ଼ଙ୍ଗରେ ଲୁଟ୍‌ ହୋଇଥିଲା। ସେକ୍ଟର-୨୧ ଦିପ୍ତୀ ହୋଟେଲ ନିକଟରେ ଜଣେ ଯୁବକ ସିଆର୍‌ଏଫ୍‌ ଯବାନ ପରିଚୟ ଦେଇ ସୁନା ଗହଣା ଲୁଟି ନେଇଥିଲେ। ସେମିତି ଡେଲିମାର୍କେଟରେ ପୁଲିସ ପରିଚୟ ଜଣେ ଯୁବକ ମହିଳାଙ୍କ ଠାରୁ ସୁନା ଚେନ୍‌ ଲୁଟି ନେଇଥିଲେ। ଲୁଟେରମାନେ ଲୁଟ୍‌ର ତରିକା ବଦଳାଉଥିବା, ସେମାନଙ୍କୁ ଧରିବା ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି।

Spread the love