ଓରଟେଲ୍‌ ବିକ୍ରି : କିଣିବା ଦୌଡ଼ରେ 12ଟି ସଂସ୍ଥା

ଓଡ଼ିଶାରେ ପଣ୍ଡା ପରିବାର ଦ୍ବାରା ପରିଚାଳିତ କେବୁଲ ଟିଭି ଓ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ପ୍ରଦାନକାରୀ ସଂସ୍ଥା ‘ଓର୍‌ଟେଲ୍ କମ୍ୟୁନିକେସନ ଲିମିଟେଡ୍’କୁ ନେଇ ଦେବାଳିଆ ଘୋଷଣା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାକୁ ବିକ୍ରି କରିବା ପ୍ରକ୍ରିୟା ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍ (ଏନ୍‌ସିଏଲ୍‌ଟି), ନୂଆଦିଲ୍ଲୀ ଦ୍ବାରା ଆରମ୍ଭ ହୋଇଛି। ବ୍ୟାଙ୍କ, ପ୍ରସାରଣକାରୀ ଏବଂ ଆହୁରି ଅନେକ ସଂସ୍ଥାକୁ ପେମେଣ୍ଟ୍ ଦେଇପାରୁନଥିବାରୁ ଏହା ଦେବାଳିଆ ପଥେ ଅଗ୍ରସର ହୋଇଛି। ଖୁବଶୀଘ୍ର କଂପାନିକୁ ବିକ୍ରି କରାଯିବ। ସେଥିରୁ ଯେଉଁ ଟଙ୍କା ମିଳିବ ତାହାକୁ ପ୍ରାପ୍ୟ ପାଇବାକୁ ଥିବା ସଂସ୍ଥାଗୁଡ଼ିକ ମଧ୍ୟରେ ବଣ୍ଟନ କରାଯିବ।
ଓର୍‌ଟେଲ୍‌କୁ କିଣିବା ପାଇଁ ସମ୍ଭାବ୍ୟ ନିବେଶକମାନଙ୍କ ଠାରୁ ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ୍ (ଇଓଆଇ) ଆହ୍ବାନ କରାଯାଇଥିଲା। ଚଳିତ ବର୍ଷ ମାର୍ଚ 20 ରୁ ଏପ୍ରିଲ୍ 4 ତାରିଖ ପର୍ଯ୍ୟନ୍ତ ସେଥିପାଇଁ ମହଲତ ପ୍ରଦାନ କରାଯାଇଥିଲା। ମୋଟ 12ଟି କଂପାନି ଓରଟେଲ୍‌କୁ କିଣିବାକୁ ଆବେଦନ କରିଛନ୍ତି। ସେଥିରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଦ୍ବାରା ପରିଚାଳିତ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ମଧ୍ୟ ରହିଛି।
ମୁମ୍ବାଇର ସୋନି ପିକ୍‌ଚର୍ସ ନେଟ୍‌ୱର୍କ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ନିଜର ପାଖାପାଖି 12 କୋଟି ଟଙ୍କାର ପ୍ରାପ୍ୟକୁ ଓରଟେଲ୍ ଠାରୁ ପାଇବା ପାଇଁ କଂପାନିକୁ ଦେବାଳିଆ ଘୋଷଣା କରିବା ନିମନ୍ତେ ଏନ୍‌ସିଏଲ୍‌ଟିରେ ଆବେଦନ କରିଥିଲା। ଗତବର୍ଷ ନଭେମ୍ବରରେ ଉକ୍ତ ଆବେଦନକୁ ଏନ୍‌ସିଏଲ୍‌ଟି, ନୂଆଦିଲ୍ଲୀ ଗ୍ରହଣ କରିବା ସହ ବିଚାର ପ୍ରକ୍ରିୟା ଆରମ୍ଭ କରିଥିଲେ। ଚଳିତ ବର୍ଷ ଜାନୁଆରି ୭ରେ କମିଟି ଅଫ୍ କ୍ରେଡିଟର୍ସ (ସିଇସି)ଙ୍କ ବୈଠକ ବସିଥିଲା ଏବଂ ଇଓଆଇ ଆହ୍ବାନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

Spread the love