ନୂଆ ଏମଏସଏମଇ ପଲିସି, ୧୨୧୯ କୋଟି ଟଙ୍କାର ଜଳକର ବକେୟା ପାଇଁ ଓଟିଏସ୍‌

ରାଜ୍ୟରେ ଏମଏସଏମଇ କ୍ଷେତ୍ରରେ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ କ୍ୟାବିନେଟ୍ ଆଜି ନୂଆ ଏମଏସଏମଇ ପଲିସି-୨୦୨୨କୁ ଅନୁମୋଦନ କରିଛନ୍ତି । ଏହି ନୂଆ ଏମଏସଏମଇ ନୀତିରେ ପୁରୁଣା ଏମଏସଏମଇ ଉଦ୍ୟୋଗଗୁଡ଼ିକୁ ମଧ୍ୟ ରାଜ୍ୟ ସରକାର କ୍ୟାପିଟାଲ ଇନଭେଷ୍ଟମେଂଟ ସବସିଡି ପ୍ରଦାନ କରିବେ । ପୂର୍ବରୁ କେବଳ ନୂଆ ଏମଏସଏମଇ ଉଦ୍ୟୋଗକୁ ସବସିଡି ମିଳୁଥିଲା । ସେହିପରି ବିଭିନ୍ନ ଶିଳ୍ପ ସଂସ୍ଥା ଉପରେ ବକେୟା ଥିବା ୧୨୧୯କୋଟି ଟଙ୍କାର ଜଳକର ଆଦାୟ ନିମନ୍ତେ ରାଜ୍ୟ ସରକାର ଓଟିଏସ୍ (ୱାନ୍ ଟାଇମ୍ ସେଟେଲମେଂଟ) କରିବାକୁ ନିଷ୍ପତ୍ତି ନେଇଛନ୍ତି । ଖିଲାପୀ ସଂସ୍ଥାଗୁଡ଼ିକ କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ପାଳନ କରି ଏହି ଓଟିଏସର ସୁବିଧା ନେଇପାରିବେ । ରାଜ୍ୟ କ୍ୟାବିନେଟ୍ ଆଜି ଏହି ପ୍ରସ୍ତାବକୁ ମଧ୍ୟ ସ୍ୱୀକୃତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ନୂଆ ଏମଏସଏମଇ ନୀତିରେ ରାଜ୍ୟ ସରକାର ସମସ୍ତ ନୂଆ ଓ ପୁରୁଣା ଏମଏସଏମଇ ଉଦ୍ୟୋଗକୁ ଟ୍ରେଡ୍ ମାର୍କ ହାସଲ ନିମନ୍ତେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦେବେ । ସେହିପରି ଦେଶ ଓ ବିଦେଶରେ ପେଟେଣ୍ଟ ରେଜିଷ୍ଟ୍ରେସନ ନିମନ୍ତେ ଶତପ୍ରତିଶତ ଖର୍ଚ୍ଚ ଅବା ସର୍ବାଧିକ ୫ଲକ୍ଷ ଟଙ୍କା ସବସିଡି ସରକାର ଦେବେ । କ୍ୱାଲିଟି ସାର୍ଟିଫିକେଟ୍ ହାସଲ, ୱାଟର ଅଡିଟ୍ କଷ୍ଟ, ଏନର୍ଜି ଅଡିଟ୍ କଷ୍ଟ , ଏସଏମଇ ଏକ୍ସଚେଞ୍ଜ ମାଧ୍ୟମରେ କ୍ୟାପିଟାଲ ସହାୟତା ସଂଗ୍ରହ ଆଦି ପାଇଁ ମଧ୍ୟ ସରକାର ୱାନଟାଇମ୍ ଆର୍ଥିକ ସହାୟତା ଯୋଗାଇ ଦେବେ। ସରକାରୀ, ଇଡକୋ ଓ ଘରୋଇ ଜମି ବା ସେଡ୍ କ୍ରୟ ଓ ଲିଜ ଟ୍ରାନ୍ସଫରରେ ଉଭୟ ନୂଆ ଓ ପୁରୁଣା ଏମଏସଏମଇ ଉଦ୍ୟୋଗୀଙ୍କୁ ଷ୍ଟାମ୍ପ ଡ୍ୟୁଟି ଛାଡ, ଶିଳ୍ପାଂଚଳ ନିମନ୍ତେ ଜମି କିସମ ପରିବର୍ତ୍ତନରେ ମଧ୍ୟ ପ୍ରିମିୟମ ପୈଠରେ ସୁବିଧା ମିଳିବ।

Spread the love