ବୈଶାଖୀ ମେଳା ସମୟରେ ଭୁଶୁଡିଲା ବ୍ରିଜ୍, ୨୦ଆହତ

ଉଧମପୁର(ଜମ୍ମୁ-କଶ୍ମୀର): ବୈଶାଖୀ ମେଳା ସମୟରେ ଭୁଶୁଡିଲା ବ୍ରିଜ୍। ଆହତ ହେଲେ ମେଳାକୁ ଆସିଥିବା ଲୋକେ। ଜମ୍ମୁ କଶ୍ମୀରର ଉଧମପୁର ଜିଲ୍ଲାରେ ହେଉଥିବା ବୈଶାଖୀ ମେଳାରେ ଏହି ଦୁର୍ଘଟଣା ଘଟିଛି। ନଦୀ ଉପରେ ନିର୍ମାଣ ହୋଇଥିବା ଲୁହା ବ୍ରିଜ ଭାଙ୍ଗିବା କାରଣରୁ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ପୁଲିସ-ପ୍ରଶାସନକୁ ସୂଚନା ଦେବା ପରେ ତରବରିଆ ଭାବେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିବା କୁହାଯାଉଛି। ସ୍ଥାନୀୟ ଲୋକଙ୍କ ସହ ମିଶି ପୁଲିସ ଆହତ ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିବା ନେଇ ସୂଚନା ମିଳିଛି। ଆହତମାନଙ୍କୁ ଚେନାନିର ନଗର ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ସାମ୍ନାକୁ ଆସିଛି।

ସୂଚନା ମୁତାବକ, ଏହି ଘଟଣା ଘଟିଛି ଚେନାନି ପୁଲିସ ଷ୍ଟେସନ ଅଧୀନରେ ଥିବା ବେନି ସଙ୍ଗମ ମନ୍ଦିର ନିକଟରେ। ଏଠାରେ ବୈଶାଖୀ ମେଳା ଆୟୋଜିତ ହୋଇଥିଲା। ଏହି ମେଳାରେ ଯୋଗ ଦେବା ପାଇଁ  ବହୁ ସଂଖ୍ୟକ ଲୋକ ପହଞ୍ଚିଥିଲେ। ମନ୍ଦିରରେ ପହଞ୍ଚିବା ପାଇଁ ନଦୀ ଉପରେ ଥିବା ଏକ ପୁରୁଣା ଲୁହା ବ୍ରିଜ୍ ଦେଇ ଲୋକଙ୍କୁ ଯିବାକୁ ପଡ଼ିଥିଲା। ହେଲେ ମେଳା ପାଇଁ ଅଧିକ ଲୋକ ବ୍ରିଜ୍ ଉପରକୁ ଚାଲିଆସିବାରୁ ଭାର ସହିନପାରି ବ୍ରିଜଟି ଭୁଶୁଡି ପଡ଼ିଥିଲା। ଏହା ପରେ ବ୍ରିଜ୍ ଉପରେ ଥିବା ଲୋକେ ନଦୀକୁ ଖସିପଡ଼ିଥିଲେ।  ଅଧିକାରୀଙ୍କ କହିବାନୁସାରେ, ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୨୦ଜଣ ଆହତଙ୍କୁ ଡାକ୍ତରଖାନା ନିଆଯାଇଛି।

Spread the love