ଓଡ଼ିଶାର ‘ପ୍ୟାଡ୍‌ ଗାର୍ଲ’ ପାୟଲ : ପରିବାରର ଖର୍ଚ୍ଚ ତୁଲାଇବାକୁ ପ୍ରସ୍ତୁତ କଲେ ‘ପୁନଃ ବ୍ୟବହାରଯୋଗ୍ୟ ସାନିଟାରି ନାପ୍‌କିନ୍’

ଝାରସୁଗୁଡ଼ା : ବାପାଙ୍କ ଦେହାନ୍ତ ପରେ ପରିବାରର ଖର୍ଚ୍ଚ ତୁଲାଇବା ସାଙ୍ଗକୁ ସାମାଜିକ ଦାୟିତ୍ବବୋଧକୁ ପୂରଣ କରିବା ଲକ୍ଷ୍ୟ ନେଇ ବ୍ୟବସାୟ ଆରମ୍ଭ କରିଥିବା ଝାରସୁଗୁଡ଼ା ଗୌରପଡ଼ାର ପାୟଲ ପଟେଲ ଆଜି ପ୍ୟାଡ୍ ଗର୍ଲ ଭାବେ ବେଶ୍ ପରିଚିତି ସୃଷ୍ଟି କରିପାରିଛନ୍ତି। ଏଥିରୁ ସେ ଘର ଖର୍ଚ୍ଚ ବାହାର କରିପାରିବା ସାଙ୍ଗକୁ କିଛି ଲୋକଙ୍କୁ ବି ରୋଜଗାର ଦେଇ ପାରିଛନ୍ତି। ଏବେ ପାୟଲଙ୍କ ପ୍ରସ୍ତୁତ ‘ପୁନଃ ବ୍ୟବହାର ଯୋଗ୍ୟ ସାନିଟାରି ନାପ୍‌କିନ୍’କୁ ଲୋକେ ବେଶ୍ ଗ୍ରହଣ କରୁଥିବା ବେଳେ ଆଗାମୀ ଦିନରେ ଏହା ଏକ କ୍ରାନ୍ତିର ରୂପ ନେବ ବୋଲି ପାୟଲ କହିଛନ୍ତି। ଚିରାଚରିତ ପ୍ୟାଡ୍ ଯୋଗୁ ଝିଅ, ମହିଳାଙ୍କର ଗର୍ଭାଶୟ କ୍ୟାନସରର ଆଶଙ୍କା ରହୁଥିବା ବେଳେ ରସାୟନିକ ପଦାର୍ଥର ବ୍ୟବହାର ଯୋଗୁ ତାହା ପୋଡ଼ିଲେ କି ପୋତିଲେ ପ୍ରଦୂଷଣ ହେଉଛି। ତେଣୁ ପୁନଃ ବ୍ୟବହାରଯୋଗ୍ୟ ସାନିଟାରି ନାପ୍‌କିନ କନସେପ୍ଟ ଏବେ ବିଦେଶରେ ବେଶ୍ ଆଦୃତ ହୋଇପାରିଥିବା ବେଳେ ଖୁବ୍‌ଶୀଘ୍ର ଆମ ଦେଶରେ ବି ଏହାକୁ ମହିଳାମାନେ ଗ୍ରହଣ କରିବେ ବୋଲି ସେ କହିଛନ୍ତି।

ପାୟଲଙ୍କ କହିବାନୁସାରେ, ୨୦୧୪ ମସିହାରେ ତାଙ୍କ ବାପାଙ୍କର ଦେହାନ୍ତ ହେଲା। ସେତେବେଳେ ସେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ। ଏହି ସମୟରୁ ହିଁ ସେ ସାନିଟାରି ନାପ୍‌କିନ୍ ଉଦ୍ୟୋଗ ପ୍ରତିଷ୍ଠା କରିବା ନେଇ ଆର୍‌ସେଟିରୁ ତାଲିମ୍ ନେବା ଆରମ୍ଭ କରିଥିଲେ। ୨୦୧୭ ମସିହାରେ ଘରୁ ୪୦ ହଜାର ଟଙ୍କା ନେଇ ସେ ଏହି ଉଦ୍ୟୋଗ ଆରମ୍ଭ କରିଥିଲେ। ପରେ ପରେ ବ୍ୟାଙ୍କରୁ ଋଣ ନେଇ ‘ପାୟଲ ପ୍ୟାଡ୍’ ଆରମ୍ଭ କଲେ। ଯାହା ଏବେ ବେଶ୍ ଭଲରେ ଚାଲିଛି। କିନ୍ତୁ କେବଳ ଯେ ବ୍ୟବସାୟ ନୁହେଁ ବରଂ ସାମାଜିକ ମୂଲ୍ୟବୋଧକୁ ଆଖି ଆଗରେ ରଖି ସେ ନିୟମିତ ସଚେତନତା କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ୍ ହୋଇ ମହିଳାଙ୍କୁ ଅପରିଷ୍କାର କପଡ଼ା ବ୍ୟବହାର ନକରିବାକୁ ପରାମର୍ଶ ଦେବା ସହ ସେମାନେ କିଭଳି ସାନିଟାରି ନାପ୍‌କିନ ବ୍ୟବହାର କରିବେ ସେନେଇ ମଧ୍ୟ ସଚେତନ କରାଉଛନ୍ତି। ନିକଟରେ ଜେଏସ୍‌ଡବ୍ଲୁ କମ୍ପାନି ସହାୟତାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ନିକଟସ୍ଥ ଅଞ୍ଚଳର ୩୫୦୦ ମହିଳାଙ୍କୁ ନିଜ ପ୍ରସ୍ତୁତ ପୁନଃ ବ୍ୟବହାରଯୋଗ୍ୟ ସାନିଟାରି ନାପ୍‌କିନ୍ ବିକ୍ରି କରିଥିବା କହିଛନ୍ତି। ଏହି କାର୍ଯ୍ୟ ପାଇଁ ପାୟଲ ଉଚ୍ଚ ପ୍ରଶଂସିତ ହେବା ସହ ବିଭିନ୍ନ ସ୍ଥାନରୁ ସମ୍ବର୍ଦ୍ଧିତ ବି ହୋଇଛନ୍ତି।

Spread the love