ପଦମପୁରର ଲୋକେ ଠକ ମାନଙ୍କୁ ଚିହ୍ନିସାରିଲେଣି, ଉପନିର୍ବାଚନରେ ସେମାନଙ୍କୁ ଉଚିତ୍ ଜବାବ ଦେବେ : ସମୀର ମହାନ୍ତି

ପଦମପୁର / ଭୁବନେଶ୍ୱର, ତା.୨୬/୧୧: ରାଜ୍ୟ ସରକାର ମିଛ ବିକାଶର ଯେଉଁ ଗୋଲାପି ଚିତ୍ର ସବୁବେଳେ ଦେଖାନ୍ତି ତାହାର ଜ୍ୱଳନ୍ତ ପ୍ରମାଣ ହେଉଛି ପଦମପୁର । ଏଠାରେ ଚାଷୀ ଆଜି ଧାନ ବିକ୍ରି କରିପାରୁ ନାହିଁ, ଜଳସେଚନର ସୁବିଧା ନାହିଁ, ଲୋକମାନଙ୍କୁ ମନରେଗାରେ କାମ ମିଳୁନି ସେମାନେ ଦାଦନ ଯାଉଛନ୍ତି । ସେଥିପ୍ରତି ଶାସକ ଦଳର ଆଦୌ ଚିନ୍ତା ନାହିଁ କି ସେମାନେ ପଦମପୁରର ଲୋକମାନଙ୍କ ପାଇଁ କିଛି କରିନାହାନ୍ତି । ବିଜୁ ଜନତା ଦଳର ସରକାର କେବଳ ପଦମପୁର ଲୋକମାନଙ୍କୁ ଠକି ଚାଲିଛନ୍ତି । ସେହି ଠକମାନଙ୍କୁ ପଦମପୁରର ଭୋଟର ଉଚିତ୍ ଜବାବ ଦେବେ ବୋଲି ଆଜି ପାଇକମାଳ ବ୍ଲକର ମାଣ୍ଡୋସିଲ ମଣ୍ଡଳରେ ପ୍ରଚାର ବେଳେ କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

୨୨ ବର୍ଷ ବିତିଗଲା ଏହି ଅଂଚଳର ଜିଲ୍ଲା ଦାବିକୁ ସରକାର ପୁରଣ କରିଲେ ନାହିଁ । ଆଜି ପର୍ଯ୍ୟନ୍ତ ମରୁଡି ସହାୟତା ପଦମପୁରର ଚାଷୀମାନେ ପାଇପାରିଲେ ନାହିଁ । ପଦମପୁରରେ ହେବାକୁ ଥିବା ରେଳ ପ୍ରକଳ୍ପ ପାଇଁ ଜମି ଦେଲେ ନାହିଁ । ଆଜି କିନ୍ତୁ ଉପନିର୍ବାଚନ ପାଇଁ ବିଜୁ ଜନତା ଦଳର ୫୦ ବିଧାୟକ, ୧୦ ମନ୍ତ୍ରୀ ଆସିକି ଏଠାରେ ଡେରା ପକାଇ ଲୋକମାନଙ୍କୁ ପ୍ରଲୋଭନ କରୁଛନ୍ତି । ହେଲେ ପଦମପୁରର ଭୋଟରମାନେ ଠକମାନଙ୍କୁ ଚିହ୍ନି ସାରିଲେଣି । ସେମାନଙ୍କୁ ଏହି ଉପନିର୍ବାଚନରେ ସେମାନେ ଉଚିତ୍ ଜବାବ ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଆଜି ଶ୍ରୀ ମହାନ୍ତିଙ୍କ ସହିତ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ବିଧାୟକ ନାଉରି ନାୟକ ସାମିଲ ଥିଲେ ।

Spread the love