ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କଲେ ବିଜେପି କର୍ମୀ

ନୂଆପଡ଼ା: ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଲଗାତାର ୩ୟ ଦିନରେ ଅଣ୍ଡାମାଡ଼ ହୋଇଛି। ଆଜି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବା ପାଇଁ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ମାନିଗୁଡାରୁ କାର୍ଯ୍ୟକ୍ରମ ସାରି ତରବୋଡ଼ ଯିବା ସମୟରେ ବିଜେପି କର୍ମୀମାନେ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ସହିତ ଅଣ୍ଡାମାଡ଼ କରିଛନ୍ତି। ଏଥି ସହିତ ବିଜେପି କର୍ମୀମାନେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ କଳାପତାକା ଦେଖାଇଛନ୍ତି। ତରବୋଡରେ ସ୍ବାର୍ଟ କାର୍ଡ ବିତରଣ ପାଇଁ ମନ୍ତ୍ରୀ ଶ୍ରୀ ବେହେରା ଆଜି ଅପରାହ୍ନ ତରବୋଡ଼ର କଲୋନି ବଙ୍ଗଲାପଡ଼ାର କେନ୍ଦୁପତ୍ର ଫଡ଼ି ଦେଇ ଯିବା ବେଳେ ବିଜେପି କର୍ମୀମାନେ ଅଣ୍ଡାମାଡ଼ କରିଥିଲେ। କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିଜେପି କର୍ମୀମାନେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ବହିଷ୍କାର ଦାବି କରିଛନ୍ତି
ସୂଚନାଯୋଗ୍ୟ, ବିଜେପି ଓ କଂଗ୍ରେସ କର୍ମୀମାନେ ଗତକାଲି କଳାହାଣ୍ଡି ଜିଲ୍ଲାର ନର୍ଲାରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁଙ୍କର ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିଲେ। କଲମପୁରରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ବିଜେପି କର୍ମୀମାନେ ଅଣ୍ଡାମାଡ଼ କରିଥିଲେ। ସେହିପରି ରବିବାର ଦିନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା।

Spread the love