ପବିତ୍ର ଦେବସ୍ନାନ ପୂର୍ଣ୍ଣିମା : ଆଜି ରାତି ଗୋଟାଏରୁ ଶ୍ରୀଜିଉଙ୍କ ପହଣ୍ଡି, ଧାଡ଼ି ପହଣ୍ଡିରେ ସ୍ନାନମଣ୍ଡପ ବିଜେ
ପୁରୀ: ଦିନକପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନ ସିଂହାସନରୁ ସ୍ନାନବେଦିକୁ ବିଜେ କରିବେ ଶ୍ରୀଜିଉ। ସ୍ନାନବେଦିରୁ ଗଜ ବେଶରେ ବିଶ୍ବର କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେବେ। କୋଭିଡ୍ କଟକଣା ପାଇଁ ବିନା ଭକ୍ତରେ ଚଳିତବର୍ଷର ନୀତିକାନ୍ତି ଅନୁଷ୍ଠିତ ହେବ। ଦଇତାପତି ସେବକମାନେ ଆସନ୍ତାକାଲି ରାତିରେ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗି କରିବା ପରେ ରାତି ୧ରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବ। ଶ୍ରୀଜିଉମାନେ ଧାଡ଼ି ପହଣ୍ଡିରେ ସ୍ନାନମଣ୍ଡପକୁ ବିଜେ କରିବେ। ଏଥିପାଇଁ ବାହୁଟକଣ୍ଟ ଓ ଚାରବନ୍ଧା କାମ ଶେଷ ହୋଇଛି। ୨୪ ତାରିଖ ସକାଳୁ ସ୍ନାନବେଦିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହେବ। ଅପରାହ୍ଣ ୪ଟାରୁ ଗଜବେଶ ଓଲାଗି ପରେ ଅପରାହ୍ଣ ୫ଟାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ପରେ ୧୫ ଦିନିଆ ଅଣସର ନୀତି ଆରମ୍ଭ ହେବ।
ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଅନୁଯାୟୀ, ମଙ୍ଗଳବାର ରାତି ଗୋଟାଏରେ ମଙ୍ଗଳାର୍ପଣ ନୀତି ପରେ ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ରାତି ୧ରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବ। ଭୋର ୪ଟା ସୁଦ୍ଧା ପହଣ୍ଡି ଶେଷ ପରେ ଭୋର ସାଢ଼େ ୪ଟାରେ ମଙ୍ଗଳ ଆଳତି, ୪ଟା ୪୦ରେ ମଇଲମ, ୫ଟାରେ ତଡ଼ପଲାଗି, ସାଢ଼େ ୫ଟାରେ ଅଧରପୋଛା, ୬ଟାରେ ଅବକାଶ ନୀତି ଅନୁଷ୍ଠିତ ହେବ। ସକାଳ ସାଢ଼େ ୬ଟାରେ ରୋଷହୋମ, ୬ଟା ୪୫ରେ ସୂର୍ଯ୍ୟପୂଜା, ୭ଟାରେ ବେଶ ଶେଷ ଓ ଦ୍ବାରପାଳ ପୂଜା ପରେ ଜଳ ବିଜେ ନୀତି ଆରମ୍ଭ ହେବ। ସକାଳ ସାଢ଼େ ୭ଟାରୁ ଜଳ ବିଜେ, ପୂଜା ଓ ସ୍ନାନ ନୀତି ଆରମ୍ଭ ହେବ। ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ପୂଜା, ସ୍ନାନାଦି ନୀତି ସମ୍ପନ୍ନ ପରେ ପୂର୍ବାହ୍ଣ ୧୦ଟାରେ ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ ।
ସାଢ଼େ ୧୦ଟାରେ ଛେରା ପହଁରା ନୀତି ଅନୁଷ୍ଠିତ ହେବ। ପୂର୍ବାହ୍ଣ ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ମହାପ୍ରଭୁ ଗଜ ବେଶ(ହାତୀ ବେଶ)ରେ ଦର୍ଶନ ଦେବେ। ମଧ୍ୟାହ୍ନ ୧୨ଟାରେ ମହନ୍ତ ଶାଢ଼ୀବନ୍ଧା ନୀତି ସମ୍ପନ୍ନ ହେବ। ଅପରାହ୍ଣ ୧ଟାରୁ ୩ଟା ଭିତରେ ଘଣ୍ଟା ଛତା ସକାଳଧୂପ ନୀତି ଅନୁଷ୍ଠିତ ହେବ। ପ୍ରତିବର୍ଷ ଅପରାହ୍ଣ ୩ଟାରୁ ମହାପ୍ରଭୁଙ୍କ ଗଜବେଶର ସାହାଣମେଲା ଦର୍ଶନ ହୋଇଥାଏ। ଚଳିତବର୍ଷ ଏହି ଦର୍ଶନ ବନ୍ଦ ରଖାଯାଇଛି। ଅପରାହ୍ଣ ୪ଟାରେ ଗଜ ବେଶ ଓଲାଗି ପରେ ସାଢ଼େ ୪ଟାରୁ ପୁଷ୍ପାଞ୍ଜଳି ଓ ଡୋରଲାଗି ଆରମ୍ଭ ହେବ। ଅପରାହ୍ଣ ୫ଟାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ଅପରାହ୍ଣ ୫ଟାରୁ ୮ଟା ଭିତରେ ବାହୁଡ଼ା ପହଣ୍ଡି(ଗୋଟି ପହଣ୍ଡି) ଶେଷ ପରେ ରାତି ସାଢ଼େ ୮ଟାରେ ସୁନା ଚିତା ଓ ରାହୁରେଖା ମଇଲମ ହେବ। ଦଇତାପତି ସେବକମାନେ ଠାକୁରଙ୍କଠାରୁ ଏହା ଓଲାଗି କରି ଭଣ୍ଡାର ମେକାପଙ୍କ ନିକଟରେ ଦାଖଲ କରିବେ।
ଶ୍ରୀଜିଉ ଅଣସର ପିଣ୍ଡିରେ ବିଜେପରେ ଜୟବିଜୟ ଦ୍ବାର ନିକଟରେ ଅଣସର ତାଟି ପଡ଼ିବ। ରାତି ୯ଟାରୁ ୧୨ଟା ଭିତରେ ପଟିଦିଅଁ ବା ଦଶ ଅବତାର ବିଜେ ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ଗୋଟାଏରେ ମହାସ୍ନାନ ନୀତି ହୋଇ ପୁନର୍ବାର ରାତି ସାଢ଼େ ୧ଟାରେ ମଇଲମ ଓ ବେଶ ନୀତି ଅନୁଷ୍ଠିତ ହେବ। ରାତି ୨ଟାରୁ ୩ଟା ଭିତରେ ମଧ୍ୟାହ୍ନଧୂପ, ସାଢ଼େ ୩ଟାରେ ଦକ୍ଷିଣୀ ଘର ଭୋଗ, ଜୟବିଜୟ ଦ୍ବାର ବନ୍ଦ ଓ ବେହେରଣ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ।ବେହେରଣ ଦ୍ବାରଦେଇ ଦଇତାପତି ସେବକମାନେ ଗର୍ଭଗୃହକୁ ପ୍ରବେଶ କରିବେ। ଭୋର ୪ଟାରେ ଅଣସର ନୀତି ଅନୁଷ୍ଠିତ ହେବ। ଭୋର ୪ଟା ୫୦ରେ ପଣାଭୋଗ ପରେ ବେହେରଣ ଦ୍ବାର ବନ୍ଦ ହୋଇ ଜୟବିଜୟ ଦ୍ବାର ଫିଟିବ। ଏହି ଦିନଠାରୁ ଶ୍ରୀମନ୍ଦିରରେ ଘଣ୍ଟଘଣ୍ଟା ଆଦି ନିଷେଧ କରାଯିବ। ଅଣସର ପିଣ୍ଡିରେ ଶ୍ରୀଜିଉ ବିଜେକରିବା ସମୟରେ ପଟିଦିଅଁଙ୍କଠାରେ ଭୋଗ ଲାଗିହେବ।