ପଖାଳ କଂସା
ଜୀବନର ଚଲାପଥରେ ନିଜକୁ ତିଳ ତିଳ କରି ଜାଳୁଥିବା ସୁବାସ ବିବ୍ରତ ହୋଇ ସାରିଥାଏ, ତାର ଛୋଟ ଚାକିରିଟି ପାଇଁ । ଏଇ ବରଷେ ହେବ ସେଲସ୍ ମ୍ୟାନେଜର ପୋଷ୍ଟରେ ଚାକିରି କରିଛି । ବହୁତ କାମର ଟେନସନ । ମାର୍କେଟରେ କମ୍ପିଟସନ୍ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ।
ବିଭିନ୍ନ କମ୍ପାନୀ ସବୁ ଅଫର ଦେଇ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଯୋଜନା କରୁଛନ୍ତି । ହେଲେ ତା ଡିଟରଜେଣ୍ଟ କମ୍ପାନୀରେ ସେମିତି କିଛି ଆଖି ଦୃଶିଆ ଅଭିବୃଦ୍ଧି ନାହିଁ । ଦେକାନୀମାନେ ବି ଦି ପଇସା ପାଇବା ପାଇଁ ଅନେକ ବାହାନା କରୁଛନ୍ତି ।
ସବୁ ବଡ ବଡ ଦୋକାନ ସାମ୍ନାରେ ଗୋଡ ଭାଙ୍ଗି ଠିଆ ହୋଇ ନିଜ ପ୍ରଡକ୍ଟ ବିଷୟରେ ବୁଝେଇ କହି କହି ଥକି ମୁଁ ଗଲିଣି । ଟାର୍ଗେଟେ ବି ଫୁଲଫିଲ୍ କରିପାରୁନି । କଣ କରିବି ? ହାତରେ ବି.କମ୍ ଡିଗ୍ରୀ ଧରି ବି ଦରମା ମାସକୁ ମାତ୍ର ଦଶ ହଜାର ପାଉଛି । ସାଙ୍ଗମାନେ କେତେ ବଡ ବଡ ଚାକିରି କରୁଛନ୍ତି । ରୟାଲ୍ ଲାଇଫ୍ କାଟୁଛନ୍ତି । ହେଲେ ମୁଁ, ଆଉ ମୋ ପୋଡା ଭାଗ୍ୟ, କେବେ ବଦଳିବ । ଆଉ କରି ପାରିବନି ଏ ଚାକିରି, ଭାବୁଛି ଛାଡି ଦେବି !
ବୋଉ….ଏ ବୋଉ ….! କୁଆଡେ ଗଲୁ,ମୋ ଅଫିସ ଟାଇମ୍ ଡେରି ହେଇଯାଉଛି, ଟିକେ ଶୀଘ୍ର ମୋ ଟିଫିନଟା ରେଡି କରି ଦେ ?
ହଁ ଦଉଛି ରହ । ମୁଗକୁ ବାଟିକି ଶିଳରେ ଆଣୁଥିଲି ପରା, ଏଇ ନେ କାମରେ ବ୍ୟସ୍ତ ନ ହୋଇ ଶିଘ୍ର ଖାଇଦେବୁ । ଦେଖିଲ, କେମିତି ଦେଖାଯାଉଛି ମୋ ପୁଅ ।
ହଉ ଦେଲୁ ଦେଲୁ ଟିଫିନ୍ । କଣ ଦେଇଛୁ ଆଜି, ଦହି ପଖାଳରେ ଛୁଙ୍କ ଦେଇ କରିଛି, ରବି ସାହୁ ଚୁନା ପିତୁରୁଡି ମାଛ ଯେଉଁ ଦେଇଥିଲା, ତାକୁ ସୋରିଷ ତେଲରେ ଭଲ କରି ଭାଜିକି ଦେଇଛି, ମୁଗ ବଟା ତୋର ବହୁତ ପସନ୍ଦ ନା, ରସୁଣ ଜିରା,ଆଉ କଞ୍ଚା ଲଙ୍କା ପକେଇ ବାଟିକି ଦେଇଛି, ପିଆଜ,ଲୁଣ ଲଙ୍କା କାଗଜରେ ରଖିଛି, କାଲି ରାତିର ବଡି ଚୁରା ରଖିଥିଲି, ସେଥିରୁ ବି ଟିକେ ଦେଇଛି ।
ଚାଖିବୁ ଯଦି ଭଲ ଲାଗେ ଖାଇବୁ, ନ ଲାଗିଲେ ଖାଇବୁନି ।
କଣ ତୁ କହୁଚୁ, କେତେ ଥର କହିଲିଣି ପଖାଳ ଦେ ନି ।
ଦି ପ୍ରହରରେ ରୁଟି ଦେ,ପଖାଳ ଖାଇକି ନିଦ ଲାଗୁଛି, ପଖାଳ ଖାଇ ଦେଖ ପେଟ କେମିତି ବାହାରିଲାଣି, କେମିତି କାମ କରିବି ତୁ କହିଲୁ । ହଉ ଆଜିକ ନେଇଯାଉଛି, କାଲି ଠୁ ଯଦି ରୁଟି ନ ଦେବୁ, ମୁଁ ଆଉ ଟିଫିନ୍ ନେବିନି । ହୋଟେଲରେ ଖାଇଦେବି ବୁଝିଲୁ । ତତେ ଆଉ ହଇରାଣ କରିବିନି । ହଉ ମୁଁ ଯାଉଛି ଲେଟ୍ ହେଲାଣି । ଡାଇରେକ୍ଟର ସାର୍ ଆଜି ଆସିବେ ।
ଶୁଭ, ତୋ ବାପାଙ୍କର ମେଡିସିନ୍ ଦୁଇଦିନ ହେବ ସାରିଗଲାଣି, ତୁ ମନେ କରି ଆସିଲା ବେଳେ ନେଇ ଆସିବୁ । କାଲି ତୁ ଗଲା ପରେ ତାଙ୍କର ଛାତିରେ ଭୀଷଣ ଯନ୍ତ୍ରଣା ହେଲା, ଶେଷରେ ଉପାୟ ନ ପାଇ ମୁଁ ସେ ଔଷଧ ଡବାକୁ ଧୋଇକି ଅଳ୍ପ ପାଣିରେ ପିଆଇ ଦେଲି । ମନ ତ ବୁଝିଲାନି, ଭାବିଲି ତୁ ଆସିଲା ବେଳେ ଆଣିଥିବୁ, ହେଲେ…….?
ହଉ ତୁ ଆଉ ଚିନ୍ତା କରନି,ଆଜି ନିଶ୍ଚୟ ଆଣିଦେବି ।
*************************************
ବାଟରେ ଗଲା ବେଳେ ଟେନସନରେ ଥାଏ ସୁବାସ । ଅଳ୍ପ ରୋଜଗାର,ଆଉ ପରିବାର ଦାୟିତ୍ୱରେ ସେ ପୁରା ବିବ୍ରତ । ଘର ଖର୍ଚ୍ଚ, ବାପାଙ୍କ ମେଡିସିନ୍, ରାସନ ସାମାନ୍, ବାଇକର
ଇ. ଏମ. ଆଇ, ଆଉ ଭଉଣୀ ବାହାଘର ବେଳେ ସୁଧ ପାଇଁ ଯେଉଁ ପଇସା ଧାର ଆଣିଛି, ସବୁ ଦେଲା ପରେ ମାତ୍ର ଟଙ୍କା ହଜାରେ ବଳିବା କଷ୍ଟ । ଅଫିସ ଦେଇଥିବା ଟାର୍ଗେଟକୁ ବହୁତ କଷ୍ଟରେ ମ୍ୟାନେଜ କରିବାକୁ ପଡୁଛି । ପ୍ରମୋସନ ପାଇଁ ଲେଖିକି ଦେଲିଣି ଦୁଇ ଦୁଇ ଥର । ହେଲେ କିଛି ରିପ୍ଲାଏ ଆସୁନିକି ଦରମା ବୃଦ୍ଧି ହେଉନି ।
ଦେଖା ଯାଉ କଣ ଆଉ କରିବି ?
ଆଜି ବିଭିନ୍ନ ଜୋନର ମ୍ୟାନେଜରମାନଙ୍କର ମିଟିଂ ଅଛି । ଯାହାର ଭଲ ମାର୍କେଟିଂ ହୋଇଥିବା ଆଉ ପ୍ରଡକ୍ଟ ବିକ୍ରି କରିବାର ଅଭିବୃଦ୍ଧି ହାର ଭଲ ରହିଥିବ, ଡାଇରେକ୍ଟର ସାର ତାକୁ ସବୁ ଜୋନର ହେଡ କରେଇବା ସହ ଦରମା ଆଉ ଅନ୍ୟାନ୍ୟ ସବୁ ସୁବିଧା ମଧ୍ୟ ପ୍ରଦାନ କରିବେ । ଅନ୍ୟମାନଙ୍କର କଥା ଜଣା ନାହିଁ, ହେଲେ ମୋର ଟାର୍ଗେଟ ପାଖା ପାଖି ଭଲ ରହି ଆସୁଛି, ଦେଖା ଯାଉ କଣ ହୋଉଛି । କର୍ମ ଯଦି ମୁଁ ଠିକ ରୂପେ କରିଥିବି, ତା ହେଲେ ମତେ ସଫଳତା ନିଶ୍ଚିତ ମିଳିବ ।
***********************************
ଅଫିସରେ ଦୀର୍ଘ ଚାରି ଘଣ୍ଟାର ଆଲୋଚନା ଆଉ ସେଲସ ଅଗ୍ରଗତି ଉପରେ କଥା ପଡିଥାଏ । ହେଲେ ମୁଁ ମନେ ମନେ ଚିନ୍ତିତ ଥାଏ ଭାବିକି, ଆଜି ଦିନଟା ଅଫିସରେ ବେକାର ଗଲା । ପ୍ରଡକ୍ଟ ସବୁ ମୋର ପଡି ରହିଲା । କାଲି ମାସ ଶେଷ ବୁଧବାର, ବିଭିନ୍ନ ସ୍ଥାନରେ ହାଟ ଲାଗେ । ଗାଁ ଲୋକେ ସବୁ ଆସନ୍ତି ଶସ୍ତା ଜିନିଷ କିଣି ନେବା ପାଇଁ । ଲୋକମାନେ ରୋଜଗାର ଅନୁସାରେ ଟଙ୍କାର ଖର୍ଚ୍ଚ ବି ହିସାବରେ କରିଥାନ୍ତି ।
ମୋର ଏ ମାସର ଟାର୍ଗେଟ ହାଟରେ କିଛିଟା ମେକପ୍ ହେଇ ଯାଇଥାନ୍ତା । କମ୍ପାନୀର ଡିଟରଜେଣ୍ଟ ବହୁତ ଭଲ । ସଫା ବି ତ ହୋଉଛି । ନିଜେ ମୁଁ ବ୍ୟବହାର କରେ ଘରେ, ତଥାପି ମାର୍କେଟରେ କଣ ପାଇଁ ଚାହିଦା ନାହିଁ ବୁଝା ପଡୁନି । ଭଲ କମ୍ପାନୀ ମୋହରେ ଲୋକେ ପାଗଳ । ସ୍ଵଦେଶୀ ଆଉ ଦାମ୍ ବି ଭଲ ରହିଛି, ହେଲେ ବି ଅଳ୍ପ କେତେ ଜଣ ବ୍ୟବହାର କରୁଛିନ୍ତି ।
କିଛି ସମୟର ଅନ୍ୟମନସ୍କ ରହିବାର ବୋଧ ହୁଏ ଡାଇରେକ୍ଟର ସାର ମତେ ଦେଖି ସାରିଥିଲେ । ଟେନସନର ଛାୟା ବି ମୁହଁରେ ଦେଖା ଯାଉଥାଇ ପାରେ । ସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ସରିଥାଏ । ଲଞ୍ଚ ସମୟ ହେବାରୁ ସମସ୍ତେ ବାହାରି ଗଲେ । ଲଞ୍ଚ ପରେ ଜୋନର ହେଡ ବଛାଯିବ, ସମସ୍ତେ ଆଶାବାଦୀ । ଦେଖାଯାଉ କଣ ହେଉଛି ।
*********************************************
ଲଞ୍ଚ ଟେବୁଲ ପାଖରେ ସମସ୍ତେ ଟିଫିନ୍ ଖୋଲି, ନିଜ ନିଜର ଖାଦ୍ୟକୁ ଟେଷ୍ଟି କହି ଖାଇ ଚାଲିଛନ୍ତି । କାହାର ମଟନ ପରଟା, ତ ଆଉ କାହାର ରୁଟି ଚିକେନ, ସମସ୍ତେ ପୁରା ଷ୍ଟାଟସ୍ ମେଣ୍ଟେନ୍ କରୁଥାନ୍ତି ଅଫିସରେ । କିନ୍ତୁ ମୁଁ ନିରବରେ ବସିକି ଆଜିର କ୍ଷତି କଥା ଭାବୁ ଥାଏ । ଜାଣିଛି ଟିଫିନ୍ ଖୋଲିଲେ କମେଣ୍ଟ ଶୁଣିବାକୁ ପଡିବ ଗତ ଥର ଭଳି ମଧ୍ୟ ।
ଠିକ ଏତିକି ବେଳେ ସତ୍ୟ କହିଲା କଣ ଟିଫିନ୍ ଖୋଲିବାକୁ ଇଛା ହଉନିକି ଆଜି ? ପଖାଳର ଟେଷ୍ଟ କେମିତି ଅଛି ?
ସତ୍ୟ ମତେ କେବେ ବି କମେମ୍ଟ ମାରିବାକୁ ପଛାଏନି । ମୋ ପଛରେ ପଡିଛି କେବେଠୁ । ଆଉ ପେଟର ଭୋକକୁ ସମ୍ଭାଳି ନ ପାରି, ଟିଫିନ୍ ଖୋଲିକି ଖାଇବାକୁ ଆରମ୍ଭ କରେ, ଡାଇରେକ୍ଟର ସାର୍ ଆସିଲେ ଲଞ୍ଚ କରିବା ପାଇଁ । ଆଉ ମୋ ସାମନାରେ ବସିଗଲେ ଟିଫିନ ଧରି । ସମସ୍ତେ କିଛି ବୁଝି ପାରିଲେନି । ସାର୍ ପଞ୍ଚତାରକା ହୋଟେଲରେ ନ ଖାଇ, ଆମମାନଙ୍କର ଗହଣରେ ଖାଉଛନ୍ତି, କେହି ବି ବିଶ୍ୱାସ କରି ପାରୁ ନାହାନ୍ତି ।
ଶୁଣିଥିଲୁ ସାର ବହୁତ ଭଲ ଆଉ ସରଳ ମଣିଷଟିଏ ।
ସମସ୍ତଙ୍କ ନଜର ଏବେ ସାରଙ୍କ ଟିଫିନ୍ ଉପରେ, ନିଶ୍ଚୟ ସାରଙ୍କ ମିଲ୍ ଏ କ୍ଲାସର ଖାଇବା ହୋଇଥିବ ।
କିନ୍ତୁ ସମସ୍ତେ ଗ୍ରହଣ କରି ପାରିଲିନି, ସାରଙ୍କର ପଖାଳ ଟିଫିନକୁ ଦେଖିଲା ପରେ । କାହାକୁ କିଛି କହିବା ଆଗରୁ, ଟିକେ ଖାଦ୍ୟ ଭଗବାନଙ୍କୁ ନୈବେଦ୍ୟ ଦେଇ,ଖାଇବା ଆରମ୍ଭ କଲେ ।
କଣ ଭାବିଲେ କେଜାଣି କହିଲେ, ସୁବାସ ତୁମ ଟିଫିନଟା ଟିକେ ବେଶି ବଡ ହେଇଯାଇଛି । ବୋଧହୁଏ ତୁମ ମାଆ ଦେଇଛନ୍ତି । ହଁ ସାର୍, ମାଆ ମତେ ବହୁତ ଭଲପାଏ, ସେଥିପାଇଁ ସେ ଟିଫିନରେ କିଛି ବି ଭରି କରି ଦିଏ । ମୁଁ ତୁମ ସହ ଟିଫିନ୍ ସେୟାର କରି ପାରିବିକି ସୁବାସ ?
–ହଁ ସାର୍
—ଧନ୍ୟବାଦ ।
—ଓଃ ମାଇଁ ଗଡ, ସତରେ ତୁମେ ଭାଗ୍ୟବାନ ସୁବାସ । ତୁମ ମାଆର ହାତ ପରସା ଖାଇ ପାରୁଛ । ହେଲେ ଛାଡ, ମୁଁ ତୁମ ଟିଫିନକୁ ଇଛା କରିଛି ଖାଇବା ପାଇଁ ?ଯଦି ତୁମର କିଛି ଆପତ୍ତି ନ ଥାଏ । ମୁଁ ବିଶ୍ୱାସ କରି ପାରୁ ନ ଥିଲି ମୋ ନିଜକୁ !ଭୋକରେ ଛଟପଟ ହୋଉଥାଏ ।
ଠିକ ଏ ସମୟରେ ସାର୍ କହିଲେ, ତୁମେ ମୋ ଟିଫିନ୍ ଖାଇ ଦିଅ । କିଛି ଆପତ୍ତି ନାହିଁ ମୋର ।
ସାରଙ୍କର ଟିଫିନ ଖୋଲିକି ଖାଇବା ଆରମ୍ଭ କରିଲି ।
କିଛି ସମୟ ପରେ ସାର ପଚାରିଲେ, ଏବେ ମୋର ଗୋଟେ ପ୍ରଶ୍ନର ଉତ୍ତର ଦିଅ ?
ତୁମ ପଖାଳ ଆଉ ମୋ ପଖାଳ ମଧ୍ୟରେ କଣ ସ୍ୱାଦ ଅଲଗା ଅଛି ନା ସମାନ ?
ଆପଣଙ୍କର ପଖାଳ ଭଲ ଅଛି ହେଲେ, ଟିକେ ସବଜିରେ ବେଶି ତେଲ ହେଇଯାଇଛି ।
ବାକି ସବୁ ଠିକ୍ ଅଛି । ମତେ ତ ତୃପ୍ତି ଲାଗୁଛି । ତୁମେ ହୁଏତ ଠିକ କହି ପାର । କିନ୍ତୁ ଏଠି ସ୍ୱାଦ ନୁହେଁ, ହାତ ପରସାର ଟେଷ୍ଟ ଅଲଗା ଅଛି । ଯେଉଁଠି ମାଆ ହାତ ପରସା ଥାଏ, ସେଠି ସେ ପୁଅ ଭଲ ମଣିଷ ହୁଏ । ମାଆର ଅନାବିଳ ପ୍ରେମ ଆଉ ସ୍ନେହ ହିଁ ପିଲାଟିକୁ ତାର ବଡ ମଣିଷ କରେ । କିନ୍ତୁ ମୁଁ ଆଜି ସେଥିରୁ ବଞ୍ଚିତ ସୁବାସ ।
ତୁମ ପଖାଳ କଂସାର ଟେଷ୍ଟ ମୁଁ ଦୀର୍ଘ ବାର ବର୍ଷ ପରେ ଖାଉଛି । ଲାଗୁଛି ମୋ ମାଆ ଯେମିତି କରିକି ଦେଇଛି ।
ମୁଁ ଖୁସି ତୁମର ସଚ୍ଚୋଟପଣିଆ ଆଉ କାମ ପାଇଁ ଆଗ୍ରହ ଦେଖି । ମନେ ରଖ ସ୍ୱଦେଶୀ ଜିନିଷକୁ ଲୋକେ ଆପଣେଇବାକୁ ସମୟ ନିଅନ୍ତି । କିନ୍ତୁ ବଡ କମ୍ପାନୀ ଆସିଲା ପରେ ଲୋକେ ଆଉ ସ୍ୱଦେଶୀ ସାମଗ୍ରୀକୁ କିଣିବା ପାଇଁ ଇଚ୍ଛୁକ ନାହାନ୍ତି ।
ଯେମିତି ତୁମେ ଭୋକକୁ ବୟସର ଆଉ ଷ୍ଟାଟସରେ ତଉଲୁଚ । ସେମିତିରେ ତୁମର ପେଟର ଭୋକକୁ ବାହାର ହୋଟେଲର ମସଲା ଯୁକ୍ତ ଖାଦ୍ୟ ସ୍ୱାଦ ଦେଇ ପାରେ, କିନ୍ତୁ ଆତ୍ମଗ୍ଲାନି ଖୋଜିଲେ ପାଇବ ନାହିଁ ସେଥିରୁ ।
ଜାଣିଛ ସୁବାସ , ଦିନ ଥିଲା ମାଆର କଥାକୁ ଅମାନ୍ୟ କରି, ମୁଁ ସହର ଅଭିମୁଖେ ସୁନେଲି ସ୍ୱପ୍ନକୁ ଆଖିରେ ଧରି, ଘର ଛାଡ଼ି ବାହାରି ଆସିଥିଲି । ନିଜର ଉଚ୍ଚ ଆଶା ଆଉ ଅଭିଳାସା ମତେ ଦିନେ ମାତୃତ୍ୱର ଭଲ ପାଇବାରୁ ବଞ୍ଚିତ କରିଥିଲା । ମାଆ କେବେ ହେଲେ ସନ୍ତାନକୁ କଷ୍ଟ ଦେବା ପାଇଁ ଚେଷ୍ଟା କରେ ନାହିଁ ।
ସେଥିପାଇଁ ମାଆ ସବୁବେଳେ ପିଲାର ମନକୁ ବୁଝି ପାରେ ସତ କିନ୍ତୁ ମୌଳିକ ଅଧିକାର ଆଉ ଅର୍ଥ ଅଭାବ ପାଇଁ, ତା ପିଲାର ଇଚ୍ଛାକୁ ପୁରଣ କରି ପାରେ ନାହିଁ । ଯଦି ପିଲା କେବେ ଆଗକୁ ବାଢ଼ିବା ପାଇଁ ଇଚ୍ଛା ପ୍ରକାଶ କରେ, ମାଆର ଅନିଚ୍ଛା ସତ୍ତ୍ୱେ, ପିଲାର ଭବିଷ୍ୟତ ପାଇଁ ମାଆ ବି ନିଜ ଇଚ୍ଛାକୁ ବଳି ଦେଇ ଦେଇଥାଏ ।
ଆଜି ମୁଁ ଏତେ ସମ୍ପତ୍ତି ଆଉ ଆଭିଜାତ୍ୟର ଅଧିକାରୀ ହୋଇ ବି ମାଆର ସ୍ନେହରୁ ବଞ୍ଚିତ ।
ମୋର ମନେ ଅଛି ସୁବାସ ଯେଉଁ ଦିନ ମୋର ଇଣ୍ଟରଭ୍ୟୁ ଥିଲା, ମୋ ପାଖରେ ଭଲ କପଡାଟିଏ ବି ନ ଥିଲା । ଧଳା ସାର୍ଟଟି ମାଆ ମୋ ଜନ୍ମ ଦିନରେ ଆଣିଥିଲେ, ତାକୁ ପିନ୍ଧି ପିନ୍ଧି ମୁଁ ଖରାପ କରି ଦେଇଥିଲି । ଇଣ୍ଟରଭ୍ୟୁ ପାଇଁ ମାଆ ତାକୁ ସଫା କରିଥିଲେ ବି, ଭଲ ଭାବରେ ଦାଗ ଛାଡ଼ି ନ ଥିଲା । ପାରିବାରିକ ବୋଝରେ ଅର୍ଥର ଅଭାବକୁ ସେ ଦିନ ମୁଁ ବୁଝିବାକୁ ହୁଏତ ଚେଷ୍ଟା କରି ପାରି ନ ଥିଲି । ଯୁବ ଅବସ୍ଥାରେ ରକ୍ତ ଗରମ ଥିଲା, ମାଆ ଉପରେ ବିରକ୍ତ ହୋଇ ରାଗିକି ଆସିଥିଲି ଘରୁ ।
ଇଣ୍ଟରଭ୍ୟୁରେ କୃତକାର୍ଯ୍ୟ ନ ହେଇପାରିବାରୁ, ମୋ ଡ୍ରେସ ହିଁ ଦାୟୀ ଭାବି, ମାଆକୁ ମନେ ମନେ ଅନେକ ଗାଳି କରିଥିଲି । ସେ ଦେଇଥିବା ପଖାଳ ଟିଫିନକୁ ବି ନ ଖାଇ ଫିଙ୍ଗି ଦେଇ ଥିଲି ।
ସେତବେଳେ ବଡ଼ ହୋଇ ଯାଇ ଥିଲେ ବି, ମମତାର ମୂଲ୍ୟ ମୁଁ କେମିତି ବୁଝି ପାରିଲିନି, ତାହା ଆଜି ବି ମୋ ପାଇଁ ପ୍ରଶ୍ନ ?
ଶିକ୍ଷିତ ହେବାମାନେ ନୁହେଁ ଯେ ଭଲ ପିନ୍ଧିବା, ଭଲ ଖାଇବା ଆଉ ଭଲରେ ରହିବା । ଶିକ୍ଷିତ ସେଇ ହୋଇ ଥାଏ, ଯିଏ ସମ୍ମାନ ଦେବା ସହ ବାପା ମାଆ ଙ୍କର ସମସ୍ତ ବୋଝ ହଲକା କରି ପାରେ ।
ଦିନ ଯାଇ ସନ୍ଧ୍ୟା ହେଲା । ମାଆ ଉପରେ ଥିବା ରାଗ ଟିକେ କମିବା ପରେ ଘର ଅଭିମୁଖେ ବାହାରିଲି । ସାନ୍ଧ୍ୟ ଗଡି ରାତି ହୋଇ ଯାଇ ଥାଏ, ଘରେ ପହଂଚି ଦେଖେ ଘର ସମ୍ମୁଖରେ ଅନେକ ଗହଳି । ଭିଡ଼ ଆଡେଇ ଦେଖେ ତ ବୋଉର ମର ଶରୀର ମତେ ଅପେକ୍ଷା କରିଛି । ଏମିତି କେମିତି ହେଲା ବୁଝିବାକୁ ଚେଷ୍ଟା କରିବାରୁ ଜାଣିଲି, ବୋଉ ହୃଦ ରୋଗରେ ମୃତ୍ୟୁ ବରଣ କରିଛି । ହେଲେ କଣ ପାଇଁ ବୋଉ ଏତେ ଚିନ୍ତିତ ଥିଲା । ମୋ କଥାକୁ ବେଶି ଭାବି ଦେଲାକି ? ପଡ଼ିଶା ଘର ଆଇ କହୁଥିଲେ ବସି, ହିନୀ କାପାଳିଟା, ପୁଅ ପାଇଁ କେତେ ଚିନ୍ତା କରୁଥିଲା । ତା” ଭବିଷ୍ୟତ ପାଇଁ ସେ କେତେ ସ୍ୱପ୍ନ ଦେଖି ନଥିଲା । ଆଜି ତୁ ଯେତେବେଳେ ଇଣ୍ଟରଭ୍ୟୁ ପାଇଁ ଗଲୁ, ତତେ ଦେଇଥିବା ପଇସା ସେ ମୋ ଠାରୁ କାଲି ରାତିରେ ତା ହାତର ବଳାକୁ ବନ୍ଧକ ଦେଇ ପାଞ୍ଚଶ ଟଙ୍କା ମୋ ଠାରୁ ଆଣି ଥିଲା ।
ବିଚାରି ତୋ ପାଇଁ ଗୋଟେ ଭଲ ସାର୍ଟ ଆଣି ପାରିଲା ନାହିଁକି ଭଲ ଡିଟରଜେଣ୍ଟ ଗୁଣ୍ଡରେ ତୋ ସାର୍ଟକୁ ସଫା କରି ପାରିଲା ନାହିଁ ବୋଲି ସେଇ ମନ ଦୁଃଖରେ ତୁ ଗଲା ପରେ ଅନେକ ଥର କାନ୍ଦିଛି । କହୁଥିଲା ମୋ ପୁଅ କୌଣସି ଗୁଣରେ ଉଣା ନୁହେଁ । ପାଠ ଭଲ ପଢ଼ିଛି ନିଶ୍ଚିତ ସେ ଇଣ୍ଟରଭ୍ୟୁରେ ସଫଳ ହେବ ।
ହେଲେ ତୋ ଠାରୁ ଫୋନରେ ଯେତେବେଳେ ଶୁଣିଚି, ତୁ ଇଣ୍ଟରଭ୍ୟୁରେ ଫେଲ ହେଇଚୁ, ସେ ନିଜକୁ ନିଜେ ଦୋଷୀ କରି ଦେଇଛି । ସକାଳୁ ମୁଠେ ସେ ଖାଇ ନ ଥିଲା, ତୋ ପାଇଁ ମୋ ପାଖରେ ବସି କେତେ ଠାକୁରଙ୍କୁ ଭୋଗ ମନାସିଛି । ତୁ ଇଣ୍ଟରଭ୍ୟୁ ପାସ କଲେ ଯାଇ ସେ ଖାଇବ, ତୁ ମନ ଦୁଃଖରେ ଥିବୁ ବୋଲି, ତୋ ମନ ରଖିବା ପାଇଁ ଦହି ବାଇଗଣ କରିଥିଲା । ନିଜେ ଅଖିଆ ଅପିଆ ରହି । ତୋ କଥା ଭାବି ଭାବି ସେମିତି ବସି ରହି ଶେଷରେ ଜୀବନକୁ ଛାଡି ଚାଲିଗଲା ବିଚାରି ।
ବୋଉ କହି ମୁଁ କୁଣ୍ଢେଇ ଧରି ଅନେକ କାନ୍ଦିଛି ସେ ଦିନ ସୁବାସ । ଶେଷ କୃତ୍ୟ ସମ୍ପନ୍ନ କରିକି ଆସି ଦେଖେ, ସେ ନ ଖାଇ ଘୋଡେଇ ରଖିଥିବା ପଖାଳ କଂସା ସେମିତି ରହିଛି ।
ଲୁହ ଭିଜା ଆଖିରେ ଶେଷ ଥର ତା ହାତ ରନ୍ଧା ପଖାଳକୁ ଯାହା ମୁଁ ଫିଙ୍ଗି ଦେଇଥିଲି ନ ଖାଇ ରାଗରେ, ଆଜି ତା ଅନୁପସ୍ଥିତିରେ ମତେ ବେସି ସୁସ୍ଵାଦୁ ଲାଗୁଥିଲା । କାନ୍ଦି କାନ୍ଦି ଖାଇ ଦେଇଥିଲି ତା ବଳକା ପଖାଳ ଭାତକୁ ।
ସେ ଦିନ ଠାରୁ ମାଆକୁ ହରେଇ, ମୁଁ ଜାଣିଥିଲି ମାଆର ଅସ୍ତିତ୍ୱ ଜୀବନରେ କେତେ । ସେଥିପାଇଁ ମୋ ମାଆର ସ୍ମୃତିରେ ମୁଁ ଆଜି ବି ପଖାଳ ଖାଇବାକୁ ଭଲ ପାଉଛି ଆଉ ମୋ ମାଆ ପରି ଆଉ କେହି ମାଆ ଯେମିତି ଡିଟରଜେଣ୍ଟ ପାଇଁ କେବେ ମନ ଦୁଃଖ ନ କରନ୍ତୁ । ସେଥିପାଇଁ ମୁଁ ଏ କମ୍ପାନୀ ଖୋଲିଛି ।
ଆଉ ମୋର ବିଶ୍ୱାସ ଦିନେ ନିଶ୍ଚିତ ମୋ ମାଆର ଭଲ ପାଇବାରେ ହିଁ, ଏ କମ୍ପାନୀ ଆଗକୁ ଅଗ୍ରଗତି କରିବ ।
ଏତକ କହିବା ଭିତରେ ସାରଙ୍କ ଆଖିର ଲୁହ ଦେଖି ପାରିଥିଲା ସୁଭାଷ । ଉପସ୍ଥିତ ସମସ୍ତ କାର୍ଯ୍ୟ କର୍ତ୍ତା ବି ଅତ୍ମବିଭୋର ହୋଇ ଯାଇଥିଲେ ।
ପଖାଳ ଖାଇ ସାରି ସାର ଚାଲିଗଲେ, କିଛି ନ କହି ।
ସୁବାସ ବି ଭାବୁଥିଲା, ବୋଉ ଉପରେ ଅନେକ ଥର ବିନା କାରଣରେ କେତେ ରାଗିଛି । ହେଲେ ଆଜି ପର ଠାରୁ ଆଉ କେବେ ବି ବୋଉ ଆଖିରେ ଲୁହ ଵୋହିବାକୁ ଦେବ ନାହିଁ ବୋଲି ପଣ କରିଥିଲା ।
ଲଞ୍ଚ ସମୟ ଶେଷ ହେଲା ପରେ ଅଫିସ ରୁମରେ ସାର ସୁବାସର କଠିନ ପରିଶ୍ରମ ଆଉ କମ୍ପାନୀ ପ୍ରତି ଥିବା ନିଷ୍ଠା ପାଇଁ ଜୋନ ହେଡ ଭାବେ ନିଯୁକ୍ତି କରିବା ସହ ପାରିଶ୍ରମିକ ରାଶି ବଢ଼େଇବା ଦେଇଥିଲେ ତା ସହ ନୂଆଁ ଘର ବନେଇବା ପାଇଁ ଅର୍ଥ ରାଶି ବି ଘୋଷଣା କରିଥିଲେ ।
ସୁବାସ ବହୁତ ଖୁସି ଥିଲା । ଅଶେଷ ଧନ୍ୟବାଦ ସାରଙ୍କୁ ଜଣାଇଲା ବେଳେ, ସାର ଆସି ପାଖରେ କେବେଳ ଗୋଟେ ପଦ କହିଥିଲେ ।
ମାଆ ହାତ ରାନ୍ଧକୁ କେବେ ଘୃଣା କରିବ ନାହିଁ ସୁଭାଷ । ଏ ସଫଳତା କେବଳ, ତୁମ ମାଆଙ୍କ ପାଇଁ ସମ୍ଭବ । ପଖାଳ ଖାଇ ତୁମେ ପାଇ ଥିବା ଉର୍ଜା ଆଉ ଶକ୍ତି ହିଁ ତୁମକୁ ଅଧିକ ସମୟ କାର୍ଯ୍ୟ କରିବାକୁ ବଳ ଦେଇଛି । ସେଥିପାଇଁ ମାଆର ମମତା ମହାନ । ଅତିରିକ୍ତ ଅର୍ଥ ରାଶି ସହ ମାନ ପତ୍ର ପ୍ରଦନ କରି ସାର ଚାଲିଗଲେ ଜୋନ ସମସ୍ତ ଦାୟିତ୍ଵକୁ ମତେ ଦେଇ । ମୁଁ ବି ଦୃଢ଼ ବିଶ୍ୱାସରେ ମାର୍କେଟରେ ଡିଟରଜେଣ୍ଟ ବିକ୍ରି ବୃଦ୍ଧି କରିବ ବୋଲି କଥା ଦେଇ ଘରକୁ ଖୁସିରେ ଫେରି ଆସିଲି । ଘରକୁ ଫେରିବା ବାଟରେ ବାପାଙ୍କ ପାଇଁ ଔଷଧ ଆଉ ବୋଉ ପାଇଁ ଭଲ ସମ୍ବଲପୁରୀ ଶାଢ଼ୀ କିଣିକି ଆଣି ଆସିଥିଲି । ପ୍ରମୋସନ ଆଉ ଘର ତିଆରି ଅର୍ଥ କଥା କହିବା ସହ ମାଆକୁ ଜାବୁଡି ଧରି କାନ୍ଦି ପକେଇଥିଲି ।
ତୁ ଆଉ ଛୋଟ ଛୁଆ ହୋଇ ଅଛୁକି ସୁବାସ ! ତୁ ଆଜି ନିଶ୍ଚିତ ପ୍ରମୋସନ ପାଇବୁ ବୋଲି, ମୁଁ ଗାଆଁ ଶିବ ମନ୍ଦିରରେ ମାନସିକ କରିଛି ଜଳ ଅଭିଷେକ କରିବା ପାଇଁ, ତୁ ଦରମା ପାଇଲେ ନିଶ୍ଚିତ କରିବୁ ବୋଲି ପାର୍ଥନା ମାଧ୍ୟମରେ ଭୋଳା ବାବାଙ୍କୁ ଜଣାଇ ଦେଇଛି ।
ହଁ ମୋ ବୋଉ, ଏଣିକି ତୁ ଯାହା କହିବୁ ମୁଁ ସବୁ କରିବି ।
ମତେ ବହୁତ ଭୋକ ଲାଗୁଚି, ଚାଲିଲୁ ପଖାଳ କଂସା ଏ ଖାଇବାକୁ ଦେବୁ ।
ତୁ ଗଲା ବେଳେ ରାଗିଥିଲୁ ବୋଲି, ମୁଁ ତୋ ପାଇଁ ହରି ସାହୁ ଦୋକାନରୁ ଅଟା ବାକିରେ ଆଣି ପରଟା କରିଛି, ଚାଲେ ଖାଇବୁ ।
ସାର କହିଥିବା କଥା ଗଲା ବେଳେ ମୋର ମନେ ପଡୁଥିଲା । ଦୁନିଆଁର କୌଣସି ମାଆ କେବେ ବି ନିଜର ସନ୍ତାନର ମନ ଉଣା ହେବାକୁ ଦିଏ ନାହିଁ ।
ବୁଝିଲୁ ବୋଉ ତୁ ଆଉ ପରଟା ମତେ କରି ଖାଇବାକୁ ଦେବା ଦରକାର ନାହିଁ । ତୋ ହାତ ରନ୍ଧା ପଖାଳ ମୋ ପାଇଁ ଅମୃତ ।
ହଉ ମୋ ବାବୁ, ମୁଁ ଦେବି । ଏବେ ଚାଲେ ଖାଇବୁ, ଖଟି ଖଟି କଳା ପଡି ଗଲାଣି ମୋ ଧନ ।
ହଁ ଚାଲ ଯିବା, ମାଆର ପଣତ ଧରି ସୁବାସ ବି ପଛେ ପଛେ ଘର ଭିତରକୁ ଚାଲିଗଲା ।