ଆମେରିକାକୁ ନେଇ ପାକିସ୍ତାନ ଛାନିଆ! ଜାଣନ୍ତୁ ଗଣମାଧ୍ୟମ ସାକ୍ଷାତକାରରେ କ’ଣ କହିଲେ ଇମ୍ରାନ୍

ଇସ୍ଲାମାବାଦ : ଋଷିୟ ଟେଲିଭିଜନ ‘ଆରଟି’ରେ ପ୍ରସାରିତ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଏକ ସାକ୍ଷାତକାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ଆଫଗାନିସ୍ତାନରେ ଆମେରିକାକୁ ସହଯୋଗ କରିବା ଏବେ ଆମ ଲାଗି ମହଙ୍ଗା ସାବ୍ୟସ୍ତ ହେଉଥିବା ଇମ୍ରାନ କହିଛନ୍ତି। ଆଫଗାନିସ୍ତାନରୁ ଅପମାନଜନକ ବିଦାୟ ଲାଗି ଆମେରିକୀୟ ସାଂସଦ ଏବେ ପାକିସ୍ତାନ ଉପରକୁ ଅଙ୍ଗୁଳି ଉଠାଇବା ସହ ଦୋମୁହାଁ ନୀତି ଲାଗି କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।

ଚଳିତସପ୍ତାହ ପ୍ରାରମ୍ଭରେ ଆମେରିକା ସେକ୍ରେଟାରୀ ଅଫ ଷ୍ଟେଟ ଏଣ୍ଟନୀ ଜେ.ବ୍ଲିଙ୍କନ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର, ଲୋକଙ୍କ ଉଦ୍ଧାର ଓ ଭବିଷ୍ୟତରେ ତାଲିବାନଙ୍କ ମୁକାବିଲା ନେଇ ସଂସଦରେ ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ। ଏଥିରେ ସାଂସଦମାନେ ଦଳମତରୁ ଊର୍ଦ୍ଧ୍ୱକୁ ଯାଇ ବିଧ୍ୱଂସକ ଭୂମିକା ଲାଗି ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିବା ଏବେ ପାକିସ୍ତାନ ଲାଗି ଚିନ୍ତାର କାରଣ ପାଲଟିଛି। 

ଏଥିରେ ଆମେରିକା ସିନେଟଙ୍କ ବିଦେଶ ସମ୍ପର୍କ କମିଟିର ଦୁଇ ଶୀର୍ଷ ସଦସ୍ୟ ନ୍ୟୁଜର୍ସି ଡେମୋକ୍ରାଟ ବବ ମେନେଣ୍ଡେଜ୍ ଓ ଇଡାହୋ ରିପବ୍ଲିକାନ ଜେମ୍ସ ରିସ୍କ ଭାଷଣ ପ୍ରାମ୍ଭରେ ସେନା ପ୍ରତ୍ୟାବର୍ତ୍ତନକୁ ଆମେରିକାର ପରାଜୟ ସହ ତୁଳନା କରିଥିବା ବେଳେ ଦୋହରା ଭୂମିକା ଲାଗି ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ବାସ୍ତବିକ ଦୁର୍ଭାଗ୍ୟଜନକ ବୋଲି ଇମ୍ରାନ କହିଛନ୍ତି।

ଜଣେ ପାକିସ୍ତାନୀ ଭାବେ ଆମେରିକୀୟ ସାଂସଦଙ୍କ ମନ୍ତବ୍ୟରେ ସେ ବ୍ୟଥିତ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଆମେରିକା ୯/୧୧ ଆତଙ୍କବାଦୀ ଆକ୍ରମଣ କାଳରେ ପାକିସ୍ତାନ ଗୁରୁତର ସଂକଟର ସମ୍ମୁଖୀନ ହୋଇଥିଲା। ସେନା ଜେନେରାଲ ଦେଶରେ ବିଦ୍ରୋହ କରି ନିର୍ବାଚିତ ସରକାରଙ୍କୁ ଗାଦିଚ୍ୟୁତ କରିଥିଲେ। ଜେନେରାଲ ପରଭେଜ ମୁଶର୍ରଫ ଦେଶରେ ଏକଛତ୍ରବାଦ ସ୍ଥାପନା କରିଥିବା ବେଳେ ଆମେରିକାର ସହଯୋଗ ଚାହୁଁଥିଲେ।

ଆମେରିକା ସହଯୋଗ ଦୂରର କଥା ଆଫଗାନିସ୍ତାନରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଲାଗି ପାକିସ୍ତାନର ପ୍ରତିବଦ୍ଧତା ଚାହିଁଥିଲା । ସେତେବେଳର ବାଧ୍ୟବାଧକତାରେ ଯେଉଁ ସହଯୋଗ କରାଯାଇଥିଲା ତାହା ଏବେ  ପାକିସ୍ତାନ ଲାଗି ଭାରି ପଡୁଥିବା ଇମ୍ରାନ କହିଛନ୍ତି। ଇମ୍ରାନ କହିଛନ୍ତି ଯେ ଆମର ଏହି ସହଯୋଗ ଆଫଗାନିସ୍ତାନରେ ଆମେରିକାର ସୈନ୍ୟ କାର୍ଯ୍ୟାନୁଷ୍ଠାନ ମୁଜାହିଦ୍ଦିନ ଶକ୍ତିକୁ ଛିନଛତ୍ର କରିଦେଇଥିଲା।  ଯାହାକୁ ଦୁଇ ଦଶକ ପୂର୍ବେ ଆଫାନିସ୍ତାନରେ ପାକିସ୍ତାନ ଇଣ୍ଟେଲିଜେନ୍ସୀ ଯୁକ୍ତରାଷ୍ଚ୍ରର ସୋଭିଏତ ବିରୋଧୀ ଅଭିଯାନରେ ଗଢି ତୋଳିଥିଲା।

ଆମେ ସେମାନଙ୍କୁ ବିଦେଶୀ ଶକ୍ତିଙ୍କ ବିରୋଧରେ ପ୍ରଶିକ୍ଷିତ କରିଥିଲୁ ଯାହା ଏକ ପବିତ୍ର  ଧର୍ମଯୁଦ୍ଧ ‘ଜିହାଦ’ ଥିଲା । ହେଲେ ଯେତେବେଳେ ସେମାନେ ଆମେରିକା ସେନାର ଟାର୍ଗେଟ ହେଲେ ଆମେବି ଆତଙ୍କବାଦୀ କହିଲୁ। ଫଳ ହେଲା ମୁଜାହିଦ୍ଦିନ ବି ଆମକୁ ଓଲଟା ବୁଝିଲେ। ଏବେ ଆମେରିକା ସଂସଦରେ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯିବା ଆମଲାଗି ବାସ୍ତବିକ ଦୁର୍ଭାଗ୍ୟଜନକ ବୋଲି ଇମ୍ରାନ କହିଛନ୍ତି। 

Spread the love