ଜାଫର ଏକ୍ସପ୍ରେସ୍‌ ଟ୍ରେନ୍‌ରେ ବିସ୍ଫୋରଣ; ୨ ଯାତ୍ରୀ ମୃତ, ୩ ଆହତ

ପାକିସ୍ତାନର ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ବିସ୍ଫୋରଣ ଘଟିଛି। ପାକ୍‌ର ଏଆର୍‌ଓ୍ଵାଇ ନ୍ୟୁଜ୍‌ ମୁତାବକ, କ୍ୱେଟା ଅଭିମୁଖେ ଯାଉଥିବା ଜାଫର ଏକ୍ସପ୍ରେସ୍‌ରେ ବିସ୍ଫୋରଣ ଫଳରେ ୨ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୪ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। କ୍ୱୋଟା ଯାଉଥିବା ଜାଫର ଏକ୍ସପ୍ରେସ୍‌ ଯେତେବେଳେ ଚିଚାବତ୍‌ନୀ ରେଳ ଷ୍ଟେସନ ଦେଇ ଅତିକ୍ରମ କରୁଥିଲା, ଠିକ୍‌ ଏତିକି ବେଳେ ଏହି ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି ଟ୍ରେନ୍‌ ପେଶାଓ୍ଵରରୁ କ୍ୱେଟା ଅଭିମୁଖେ ଯାଉଥିଲା।

ସୂତ୍ର ଅନୁସାରେ, ଏହି ବିସ୍ଫୋରଣ ଜାଫର ଏକ୍ସପ୍ରେସ୍‌ର ବଗି ନମ୍ବର ୬ରେ ହୋଇଛି, ଯାହାକି ଇକୋନମି କ୍ଲାସ୍‌। ତେବେ ସୂଚନା ମୁତାବକ, ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। କିନ୍ତୁ ଆକ୍ରମଣ ପଛରେ କୌଣସି ଆତଙ୍କବାଦୀ ଗୋଷ୍ଠୀର ହାତ ଥିବା କଥାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ।

କହି ରଖୁଛୁ, ଜାଫର ଏକ୍ସପ୍ରେସ୍‌ରେ ଗତ ମାସରେ ହିଁ ଏମିତି ଏକ ବିସ୍ଫୋରଣ ହୋଇଥିଲା। ଏଥିରେ ୮ ଜଣ ଗୁରୁତର ଆହତ ହୋଇଥିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏକ୍ସପ୍ରେସ୍‌ ଟ୍ରେନ୍‌ର ଦୁଇଟି ଡବା ରେଳ ଧାରଣାରୁ ଓଲଟି ପଡ଼ିଥିଲା।

Spread the love