୯୦ ଦିନ ଭିତରେ ହେବ ସାଧାରଣ ନିର୍ବାଚନ

ଇସଲାମାବାଦ ୦୩/୦୪: ଭଙ୍ଗ ହେଲା ପାକିସ୍ତାନର ସଂସଦ । ଏନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୁପାରିଶକୁ ମଂଜୁର କରିଛନ୍ତି ରାଷ୍ଟ୍ରପତି । ଏହା ପୂର୍ବରୁ ଅନାସ୍ଥା ହୋଇଥିଲା ଖାରଜ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯାଇଛି। ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ପାକିସ୍ତାନ ନ୍ୟାସନାଲ ଆସେମ୍ବଲୀର ଡେପୁଟୀ ସ୍ପିକର ଖାରଜ କରିଦେଇଛନ୍ତି।

ଏହାକୁ ବିଦେଶୀ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରି ଡେପୁଟୀ ସ୍ପିକର ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି। ଏହାପରେ ଇମ୍ରାନ ରାଷ୍ଟ୍ରପତି ଆରିଫ ଅଲ୍ଲୀଙ୍କୁ ଭେଟି ନ୍ୟାସନାଲ ଆସେମ୍ବଲୀକୁ ଭଙ୍ଗ କରିବା ପାଇଁ ସୁପାରିଶ କରିଛନ୍ତି। ଏହାପରେ ୯୦ ଦିନ ମଧ୍ୟରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବ ବୋଲି ପାକ୍ ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି। ଇମ୍ରାନଙ୍କ ପ୍ଲାନ୍ ବି ଆଗରେ ବିରୋଧୀ ଚିତ୍ ପଟ୍ଟାଙ୍ଗ ମାରିଛନ୍ତି। ଆଉ ଇମ୍ରାନ ସରକାରକୁ ବଞ୍ଚାଇଛନ୍ତି ତାଙ୍କର ମନ୍ତ୍ରୀ ଫୱାଦ ଚୌଧୁରୀ।

ଫୱାଦ ଚୌଧୁରୀ ନ୍ୟାସନାଲ ଆସେମ୍ବଲୀରେ ସମ୍ବୋଧନ କରି କହିଥିଲେ ଯେ ଅବିଶ୍ବାସ ପ୍ରସ୍ତାବ ଏକ ଲୋକତାନ୍ତ୍ରିକ ଅଧିକାର। ପାକିସ୍ତାନ ସମ୍ବିଧାନର ଧାରା ୯୫ ଅନୁସାରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ଯେ କିନ୍ତୁ ଏକ ବିଦେଶୀ ସରକାର ଦ୍ବାରା ଦେଶରେ କ୍ଷମତା ପରିବର୍ତ୍ତନ ପାଇଁ ଷଡ଼ଯନ୍ତ୍ର ହେଉଛି। ଆଉ ଏଥିପାଇଁ ସ୍ବତନ୍ତ୍ର ଅପରେସନ୍ ଚାଲିଥିଲା। ଏହାପରେ ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ନ୍ୟାସନାଲ ଆସେମ୍ବଲୀର ଡେପୁଟୀ ସ୍ପିକର ଖାରଜ କରିଦେଇଛନ୍ତି। ଏହାସହିତ ପାକିସ୍ତାନ ନ୍ୟାସନାଲ ଆସେମ୍ବଲୀକୁ ଏପ୍ରିଲ ୨୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

Spread the love