ଦେଶକୁ ସିନା ଫେରିଆସିଲେ, ଏବେ କେଉଁଠି ରହିବେ ଅଞ୍ଜୁ? ବାପାଙ୍କ ପାଇଁ ମୃତ ତ ସ୍ବାମୀ ପାଇଁ ଆଲୋଡ଼ା

ନୂଆଦିଲ୍ଲୀ: ୬ ମାସ ତଳେ ନିଜ ପ୍ରେମିକ ନସରୁଲ୍ଲାଙ୍କ ପାଇଁ ସ୍ବାମୀ ଓ ପିଲାଙ୍କୁ ପର କରି ଭାରତ ଛାଡ଼ି ପାକିସ୍ତାନ ଚାଲି ଯାଇଥିବା ଅଞ୍ଜୁ ବୁଧବାର ନିଜ ଦେଶକୁ ଫେରିଛନ୍ତି। ପ୍ରଥମେ ସେ ୱାଘା ସୀମାରେ ପହଞ୍ଚିଥିଲେ। ସେଠାରେ ଆଇବି ଓ ପୁଲିସ୍‌ ତାଙ୍କୁ ପଚରାଉଚରା କରିଥିଲା। ଏହାପରେ ଅମୃତସରରୁ ଦିଲ୍ଳୀ ବିମାନବନ୍ଦରରେ ପହଞ୍ଚିଥିଲେ ଅଞ୍ଜୁ। ମାତ୍ର ଏବେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ଅଞ୍ଜୁ କୁଆଡ଼େ ଯିବେ? କାରଣ ପୂର୍ବରୁ ଉଭୟ ତାଙ୍କ ବାପା ଓ ସ୍ବାମୀ ତ‌ାଙ୍କୁ ଗ୍ରହଣ କରିବାକୁ ମନା କରି ସାରିଛନ୍ତି। ଅଞ୍ଜୁଙ୍କ ସ୍ବାମୀ ଅରବିନ୍ଦ୍‌ ଅଞ୍ଜୁଙ୍କ ନାମ ଶୁଣିବା ପରେ ଖୁବ୍ ଚିଡ଼ିଗଲେ ଓ କହିଲେ, ‘‘ମୋର ଅଞ୍ଜୁ ସହ କୌଣସି ପ୍ରକାରର ମତ୍‌ଲବ୍‌ ନାହିଁ । ମୋ ତାଙ୍କ ବିଷୟରେ କିଛି ବି ଜଣାନାହିଁ। ସେ ଭାରତ ଆସନ୍ତୁ କି ନଆସନ୍ତୁ, ମୋ କିଛି ଯାଏଆସେ ନାହିଁ।’’ ସେହିପରି ଅଞ୍ଜୁଙ୍କ ବାପା ଗୟାପ୍ରସାଦ ବି କହିଛନ୍ତି ଯେ ତାଙ୍କ ପାଇଁ ତାଙ୍କ ଝିଅ ଅଞ୍ଜୁ ମରିସାରିଛି। ଏଭଳି ପରିସ୍ଥିତିରେ ଅଞ୍ଜୁଙ୍କ ପାଖରେ ରହିବାକୁ କୌଣସି ଠିକଣା ନାହିଁ। ଦେଖିବାକୁ ବାକି ରହିଲା ଯେ ଅଞ୍ଜୁ ଆଗକୁ କରିବେ କ’ଣ?

ଉଲ୍ଲେଖଯୋଗ୍ୟ, ରାଜସ୍ଥାନ ଝିଅ, ପାକିସ୍ତାନୀ ବୋହୂ ଅଞ୍ଜୁଙ୍କ ପ୍ରେମ କାହାଣୀ ବିଷୟରେ ଗଣମାଧ୍ୟମରେ ଢ଼େର ଚର୍ଚ୍ଚା ହୋଇଥିଲା । ସିଏ ତାଙ୍କ ପ୍ରେମ ପାଇଁ ଭାରତରେ ନିଜ ସ୍ବାମୀ ଓ ପିଲାଙ୍କୁ ଛାଡ଼ି ଚଳିତ ବର୍ଷ ପାକିସ୍ତାନ ଚାଲି ଯାଇଥିଲେ। ୨୦୧୯ ମସିହାରେ ସୋସିଆଲ ମିଡିଆ ମାଧ୍ୟମରେ ନସରୁଲ୍ଲାଙ୍କୁ ଜାଣିବା ପରେ ତାଙ୍କ ପ୍ରେମରେ ପଡ଼ିଥିଲେ ଅଞ୍ଜୁ। ତା’ପରେ ପ୍ରେମ ସମ୍ପର୍କ ନିବିଡ଼ ହେବାରୁ ଅଞ୍ଜୁ, ସ୍ୱାମୀ ଏବଂ ଦୁଇ ପିଲାଙ୍କୁ ଛାଡ଼ି ଭିସା ନେଇ ପାକିସ୍ତାନ ପଳାଇଥିଲେ।

Spread the love