ବୈଜୟନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ୱ, ହେଲେ ଏନସିସି କମିଟିର ଅଧ୍ୟକ୍ଷ

ବେଶ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ବଡ଼ ଦାୟିତ୍ୱ। ପ୍ରତିରକ୍ଷା ମନ୍ତ୍ରଣାଳୟ ବୈଜୟନ୍ତ ପଣ୍ଡାଙ୍କୁ ଜାତୀୟ କ୍ୟାଡେଟ୍ କର୍ପସ୍ (ଏନସିସି) କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପୂର୍ବତନ ସାଂସଦ ଶ୍ରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚ ସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛି। ଏନସିସିର ବିସ୍ତୃତ ସମୀକ୍ଷା ପାଇଁ ଏହି କମିଟି ଗଠନ କରାଯାଇଛି।
ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଏହି କମିଟିର ସଦସ୍ୟ ରହିଛନ୍ତି। ସେହିପରି ପୂର୍ବତନ ଅଲିମ୍ପିକ୍ସ ପଦକ ବିଜେତା ତଥା ସାଂସଦ ରାଜ୍ୟବର୍ଦ୍ଧନ ସିଂହ ରାଠୋର, ସାଂସଦ ବିଜୟ ସହସ୍ରବୁଦ୍ଧେ, ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା, ଅର୍ଥ ମନ୍ତ୍ରଣାଳୟର ପ୍ରିନ୍ସିପାଲ୍‌ ଇକୋନୋମୀ ଆଡଭାଇଜର୍ ସଞ୍ଜୀବ ସାନୟାଲ୍‌, ଜାମିଆ ମିଲିଆ ଇସଲାମିଆର ଭିସି ନଜମା ଅଖତର, ଏସଏନଡିଟି ମହିଳା ବିଶ୍ୱବିଦ୍ୟାଳୟର ପୂର୍ବତନ ଭିସି ବସୁଧା କାମାତ୍, ଭାରତୀୟ ଶିକ୍ଷା ମଣ୍ଡଳର ଜାତୀୟ ଆୟୋଜନ ସମ୍ପାଦକ ମୁକୁଲ କାନିତକର, ଅବସରପ୍ରାପ୍ତ ମେଜର୍ ଜେନେରାଲ୍ ଆଲୋକ ରାଜ୍, ଡିଆଇସିସିଆଇର ଚେୟାରମ୍ୟାନ୍ ମିଲିନ୍ଦ କାମ୍ବଲେ, ଏସଆଇଏସ ଇଣ୍ଡିଆ ଲିମିଟେଡର ଏମଡି ଋତୁରାଜ ସିହ୍ନା, Water.orgର ଚିଫ୍ ଅପରେଟିଂ ଅଫିସର୍ ବେଦିକା ଭଣ୍ଡାରକର, ଡାଟାବୁକର ସିଇଓ ଆନନ୍ଦ ଶାହ କମିଟିର ସଦସ୍ୟ ରହିଥିବା ବେଳେ ଡିଓଡିର ମୟଙ୍କ ତିୱାରୀ ସେକ୍ରେଟାରୀ ରହିଛନ୍ତି।

ନୂଆ ଦାୟିତ୍ୱ ମିଳିବା ପରେ ଶ୍ରୀ ପଣ୍ଡା ଟ୍ୱିଟ୍ କରି ଲେଖିଛନ୍ତି, ଯୁବ ଯୁବ ସଶକ୍ତୀକରଣ, ରାଷ୍ଟ୍ର ନିର୍ମାଣ ଏବଂ ରାଷ୍ଟ୍ରୀୟ ଏକତା ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ଏନସିସିରେ ସୁଧାର ଆଣିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ଆକାର ନେଉଛି। ସେ ଆହୁରି ଲେଖିଛନ୍ତି, ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତଥା ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ କାମ କରିବାର ସମ୍ମାନ ଦେଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପ୍ରତି ଗଭୀର କୃତଜ୍ଞ।

Spread the love