ପଞ୍ଜଶିର ଉପରେ ଏୟାରଷ୍ଟ୍ରାଇକ କଲା ପାକିସ୍ତାନ ଏୟାରଫୋର୍ସ, ଘାଟିକୁ ସମ୍ପୂର୍ଣ୍ଣ ଦଖଲ କରିଥିବା ନେଇ ତାଲିବାନର ଦାବି

ପଞ୍ଜଶିରକୁ ସଂପୂର୍ଣ୍ଣ ଦଖଲ କରିଥିବା ଦାବି କରୁଛି ତାଲିବାନ। ରେଜିଷ୍ଟାନ୍ସ ଫ୍ରଣ୍ଟ ସହ ଘମାଘୋଟ ଲଢ଼େଇ ପରେ ତାଲିବାନ ଏହାକୁ ନିଜ କବ୍‌ଜାକୁ ନେଇଛି। ରାଜଭବନ ଉପରେ ତାଲିବାନ ପତାକା ଉଡ଼ାଇଛି। ପଞ୍ଜଶିରକୁ ସଂପୂର୍ଣ୍ଣ ଦଖଲ କରିଥିବା ଦାବି କରିଛନ୍ତି ତାଲିବାନ ମୁଖ୍ୟ ମୁଖପାତ୍ର। ଅନ୍ୟପଟେ ପଞ୍ଜଶିରରେ ପାକିସ୍ତାନ ଆର୍ମ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି। ତାଲିବାନ ଆମ ସହ ଯୁଦ୍ଧ କରୁନି ବରଂ ପାକିସ୍ତାନ ସେନା ଓ ISI ନେତୃତ୍ୱ ନେଉଥିବା କହିଛନ୍ତି ମାସୁଦ। ତାଲିବାନକୁ ପାକିସ୍ତାନ ସହାୟତା କରୁଥିବା ସେ କହିଛନ୍ତି।

ଆଜି ପଞ୍ଜଶିର ଉପରେ ଏୟାରଷ୍ଟ୍ରାଇକ କରିଛି ପାକିସ୍ତାନ ଏୟାରଫୋର୍ସ। ଡ୍ରୋନ ସାହାଯ୍ୟରେ ପାକିସ୍ତାନ ବୋମା ବର୍ଷା କରିଛି। ଏଥିରେ ରେଜିଷ୍ଟାନ୍ସ ଫ୍ରଣ୍ଟର ମୁଖପାତ୍ର ଫହିମ ଦାସ୍ତିଙ୍କ ମୃତ୍ୟୁ ହୋଇଛି। ସେ ଜଣେ ଜଣାଶୁଣା ସାମ୍ବାଦିକ ମଧ୍ୟ ଥିଲେ। ଏହି ଆକ୍ରମଣରେ ମାସୁଦ ସେନାର ଆଉ ଜଣେ ଜେନେରାଲଙ୍କ ମଧ୍ୟ ମୃତ୍ୟୁ ହୋଇଛି। ପାକିସ୍ତାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ପଞ୍ଜଶିର ମୁଖ୍ୟ ଅହମଦ ମାସୁଦ ଅପିଲ କରିଛନ୍ତି। ମାସୁଦ ଏବେ ସୁରକ୍ଷିତ ଅଛନ୍ତି। କିନ୍ତୁ ସେ ଏବେ କେଉଁଠି ଅଛନ୍ତି ତାହା ଜଣାପଡ଼ିନାହିଁ।

ଅନ୍ୟପଟେ ଆଫଗାନିସ୍ତାନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ତାଜିକିସ୍ତାନକୁ ପଳାଇଥିବା ସୂଚନା ମିଳିଛି। ପଞ୍ଜଶିରରେ ଯୁଦ୍ଧ ବିରତି ପାଇଁ ପ୍ରସ୍ତାବ ଦେଇଥିଲା ମାସୁଦ ସେନା। ହେଲେ ଏହାକୁ ତାଲିବାନ ପ୍ରତ୍ୟାଖ୍ୟାନ କରିଛି।

Spread the love