ପେପରଲେସ୍ ହେବ ଆରଟିଓ

ଭୁବନେଶ୍ୱର: ଏଣିକି ମୋବାଇଲ ରେ ଲର୍ଣ୍ଣର୍ସ ଲାଇସେନ୍ସ ମିଳିବ। ସେଥିପାଇଁ ଆବେଦନକାରୀଙ୍କୁ ନିଜ ମୋବାଇଲରେ ‘ଉମଙ୍ଗ ଆପ୍’ ଡାଉନଲୋଡ୍ କରିବାକୁ ହେବ। ତେଣୁ ଓଡ଼ିଶା  ଦେଶର ପ୍ରଥମ ରାଜ୍ୟ ହେବାର ଗୌରବ ଲାଭ କରିଛି। ସେହିପରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ପେପରଲେସ୍ ହେବ। ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ତାହା କାର୍ଯ୍ୟ କରିବ।

ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିବହନ ସେବା ସମ୍ପର୍କିତ ୯ ଅନଲାଇନ୍ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏଣିକି ଅନଲାଇନରେ ସବୁ କାଗଜପତ୍ର କାର୍ଯ୍ୟ କରାଯିବ। ଲୋକେ ଆଉ ବିଭିନ୍ନ କାର୍ଯ୍ୟ ପାଇଁ ଆରଟିଓ ଅଫିସ୍ ଦୌଡ଼ିବାକୁ ପଡ଼ିବ ନାହିଁ। ଗାଡ଼ି ପଞ୍ଜୀକରଣ ଠାରୁ ଆରମ୍ଭ କରି ୯ ପ୍ରକାରର ସେବା ଏହି ଅନଲାଇନ ଜରିଆରେ ଆବେଦନକାରୀଙ୍କୁ ଯୋଗାଇ ଦିଆଯିବ। ବିଶେଷକରି ଅନ୍ତର୍ଜାତୀୟ ଡ୍ରାଇଭିଂ ପରମିଟ୍, ପରିବହନ ଅନୁମତି, ସ୍ୱତନ୍ତ୍ର ବସ୍ ପରମିଟ୍, ମାଲିକାନା ସ୍ଥାନାନ୍ତରଣ ଏବଂ ପୁନଃ-ପଞ୍ଜିକରଣ ଆଦି କାର୍ଯ୍ୟ ଏଥିରେ ଅନ୍ତର୍ଭୁକ୍ତ। ମୁଖ୍ୟମନ୍ତ୍ରୀ କହଥିଲେ, ପୂର୍ବରୁ ଆବେଦନକାରୀ ନାନା ସମସ୍ୟାରେ ସମ୍ମୁଖୀନ ହେଉଥିଲେ। ପରିବହନ କାର୍ଯ୍ୟାଳୟ ଆଗରେ ଆଉ ଲମ୍ବା ଧାଡ଼ି ଲାଗିବ ନାହିଁ, ତାହା ଅତୀତ ପାଲଟିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛନ୍ତି। କୋୖଣସି ଆବେଦନକାରୀ ଇଚ୍ଛା ଅନୁସାରେ ଆରଟିଓ ଅଫିସ୍ ଚୟନ କରିପାରିବେ। ଆରଟିଓ ଅଫିସକୁ ପେପରଲେସ୍ ଓ କଣ୍ଟାକ୍ଟଲେସ୍ କରାଯାଇଛି। ୫- ଟି କାର୍ଯ୍ୟକ୍ରମ ଅଧିନରେ ରହିବ ଏବଂ ଏହା ଜରିଆରେ ସରକାର ବ୍ୟକ୍ତିକୈନ୍ଦ୍ରିକ ସେବା ଅନଲାଇନରେ ଯୋଗାଇ ଦେବେ। ଏହି କାର୍ଯ୍ୟର ଶୁଭାରମ୍ଭ ହୋଇଛି।
ଶ୍ରୀ ପଟ୍ଟନାୟକ କହିଥିଲେ, କୌଣସି ସ୍ଥାନରୁ ଗାଡ଼ି କିଣିବାରେ ସମସ୍ୟା ନାହିଁ। ଅନ୍ଲାଇନରେ କୌଣସି ଆରଟିଓରେ ମାଲିକ ଗାଡ଼ି ପଞ୍ଜିକରଣ କରିପାରିବେ। ସଂପୃକ୍ତ ଡିଲର ଅନଲାଇନରେ ଆବେଦନ କରିବା ସହିତ କାଗଜପତ୍ରସବୁକୁ ସ୍କାନ୍ କରି ଅପଲୋଡ୍ କରିବେ। ଟିକସ୍ ଭରିବା ପରେ ସ୍ୱୟଂ ଗାଡ଼ି ପଞ୍ଜିକରଣ ନମ୍ବର ଆସିବ। ଏଥିପାଇଁ ଆରଟିଓ ଅଫିସ୍ ଯିବାକୁ ପଡ଼ିବ ନାହିଁ କି କୌଣସି ‘ହାର୍ଡ କପି’ ଦେବାକୁ ପଡ଼ିବ ନାହିଁ। ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ‘ଉମଙ୍ଗ ଆପ୍’ରେ ଲର୍ଣ୍ଣର ଲାଇସେନ୍ସ ଉପଲବ୍ଧ କରାଇଛି ଏବଂ ନ୍ୟାସନାଲ ଇ-ଗଭର୍ଣ୍ଣାନ୍ସ ପ୍ଲାଟଫର୍ମ ଦସ୍ତଖତ ଓ ସ୍ୱୟଂ ନମ୍ବର ବାହାର କରୁଛି । ଏଥିଯୋଗୁଁ ପ୍ରତିବର୍ଷ ହାରାହାରି ୧ କୋଟି ପୃଷ୍ଠା ‘ସେଭ୍’ କରାଯାଇ ପାରିବ। ଫଳରେ ବାର୍ଷିକ ୧ ହଜାର ଗଛ କଟାରୁ ରକ୍ଷା ଯାଇଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ।

ଏହି  ଉତ୍ସବରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ବିଭାଗୀୟ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ।

Spread the love