ଚିଲଡ୍ରେନ୍‌ କୋର୍ଟକୁ ଗଲା ପରୀ ହତ୍ୟା ମାମଲା

ନୟାଗଡ଼ ବହୁ ଚର୍ଚ୍ଚିତ ଯଦୁପୁର ପରୀ ହତ୍ୟା ମାମଲା ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ଚିଲଡ୍ରେନ୍‌ କୋର୍ଟକୁ ଗଲା। ଅଭିଯୁକ୍ତ ୧୬ ବର୍ଷରୁ ଅଧିକ ଓ ୧୮ ବର୍ଷରୁ କମ୍‌ ହୋଇଥିବାରୁ ମାମଲା ସ୍ଥାନାନ୍ତର କରାଯାଇଛି। ଏଣିକି ଜୁଭେନାଇଲ ଜଷ୍ଟିସ ବୋର୍ଡ (JJB) ବଦଳରେ ନୟାଗଡ଼ ଚିଲଡ୍ରେନ୍‌ କୋର୍ଟରେ ମାମଲାର ହେବ ଶୁଣାଣି। ସେପଟେ ନୟାଗଡ଼ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରେ ଚତୁର୍ଥ ଥର ପାଇଁ ହାଜର ହୋଇଛି ଅଭିଯୁକ୍ତ। ଆଜି ତାଙ୍କୁ ଅନୁଗୋଳ ବାଳ ସୁଧାର ଗୃହରୁ କଡ଼ା ସୁରକ୍ଷା ବଳୟ ଭିତରେ ହାଜର କରିଛନ୍ତି ଜେଲ କର୍ତ୍ତୃପକ୍ଷ। ଏସ୍‌ଆଇଟି ପକ୍ଷରୁ ଅଭିଯୁକ୍ତ ନାବାଳକର ଏଲ୍‌ଭିଏ ଲୋୟର ଭଏସ୍‌ ଅନାଲିସିସ ଟେଷ୍ଟ ପାଇଁ ଆବେଦନ ହୋଇଥିଲା। ହେଲେ ମାମଲା ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରୁ ଚିଲଡ୍ରେନ୍‌ କୋର୍ଟକୁ ସ୍ଥାନାନ୍ତରିତ ହୋଇଥିବା ଏସ୍‌ଆଇଟି ଆବେଦନ ଉପରେ ଶୁଣାଣି ହୋଇନି।
୫ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିର ହାତ ଥିବା ‘ପରୀ’ର ବାପା-ମାଆ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ‘ପରୀ’ର ବାପା-ମାଆଙ୍କୁ ନାନା ହଇରାଣ କରାଯାଉଥିଲା।
ପୁଲିସ ପ୍ରଶାସନଠାରୁ ନିରାଶ ହେବା ପରେ ‘ପରୀ’ର ବାପା-ମାଆ ଭୁବନେଶ୍ୱର ଚାଲି ଆସିଥିଲେ। ସେମାନେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଧମକ ଦେଇଥିଲେ। ତମ୍ୱି ତୋଫାନ୍‌ ପରେ ରାଜ୍ୟ ସରକାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏସ୍‌ଆଇଟି ଏହି ମାମଲାର ତଦନ୍ତ କରି ଜଣେ ନାବାଳକକୁ ଗିରଫ କରିଥିଲା। ଏବେ ନାବାଳକ ଅନୁଗୋଳ ବାଳ ସୁଧାର ଗୃହରେ ରହିଛି।

Spread the love