ପରିକ୍ରମା ପ୍ରକଳ୍ପ ପାଇଁ ୩ଦିନିଆ ଯଜ୍ଞ ଆରମ୍ଭ: ଡ଼ା କ୍ରିଷ୍ଣ କୁମାର

ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ପରିକ୍ରମା ମାର୍ଗ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଆଜିଠାରୁ ଆରମ୍ଭ ହେଲା ବୈଦିକ ଯଜ୍ଞ ।ଏଥିପାଇଁ ଗତକାଲି ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଆଚାର୍ଯ୍ୟ ବରଣ କରିଛନ୍ତି । ଏହାପରେ ରାତିରେ ଅଙ୍କୁରାରୋପଣ କରାଯାଇଛି । ଯଜ୍ଞସ୍ଥଳରେ ପାଞ୍ଚ ପ୍ରକାର ଶସ୍ୟ ପକାଯିବା ସହ ପଞ୍ଚ ମୁରୁଜରେ ମଣ୍ଡଳ କରାଯାଇଛି। ଶ୍ରୀମନ୍ଦିର ନିକଟରେ ଯଜ୍ଞ ଆୟୋଜନ କରାଯାଉଥିବାରୁ ଜଳ ଅଧିବାସ ଆବଶ୍ୟକ ନଥିବା ଜଣେ ମୁକ୍ତିମଣ୍ଡପ ପଣ୍ଡିତ ମତ ଦେଇଛନ୍ତି । ଆଜି ଯଜ୍ଞପାଇଁ ଅଗ୍ନି ସଂଯୋଗ କରାଯାଇଛି । ତିନିଦିନ ଧରି ଶ୍ରୀମନ୍ଦିର ଉତ୍ତରଦ୍ବାର ସମ୍ମୁଖରେ ଯଜ୍ଞ ଅନୁଷ୍ଠିତ ହେବ । ଆଗାମୀ ୨୪ ତାରିଖ ଗଜପତି ମହାରାଜା ସେଥିରେ ପୂର୍ଣାହୂତି ପ୍ରଦାନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀଗସ୍ତରେ ଆସି ଆନୁଷ୍ଠାନିକ ଭାବେ ଜିରିପ୍ରସ୍ତର ସ୍ଥାପନ କରିବେ । ତାହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି ।

ପରିକ୍ରମା ପ୍ରକଳ୍ପ ସମ୍ୱନ୍ଧରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ା କ୍ରିଷ୍ଣ କୁମାର କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ ହେବାକୁ ଯାଉଛି, ସମସ୍ତ କାର୍ଯ୍ୟକ୍ରମ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାତକୁ ନିଆଯାଇଛି । ଶ୍ରୀମନ୍ଦିର ର ଯଜ୍ଞ କରିବା ପରମ୍ପରା ଅନୁଯାୟୀ ଏହାକୁ ପରିଚାଳିତ କରାଯାଉଛି । କାଲି ଶ୍ରୀନଅର ରେ ଗଜପତି ମହାରାଜାଙ୍କ ଦ୍ୱାରା ଗୁଆଟେକା କାର୍ଯ୍ୟକ୍ରମ ପରେ ଏହି କାର୍ଯ୍ୟ ର ଶୁଭାରମ୍ଭ ହେବା ପରେ ଅଙ୍କୁରାରୋପଣ ହୋଇଥିଲା । ଆଜି ଅନ୍ୟ ସମସ୍ତ ନୀତିକାନ୍ତି ଚାଲିଛି । ଯଜ୍ଞ ୨.୩୦ ରେ ଆରମ୍ଭ ହେବ । ଶିଳାନ୍ୟାସ ହେବାକୁ ଥିବା ଶିଳା କୁ ପୂଜା କରାଯିବ । ୨୪ ତାରିଖରେ ୩ଟି ମୁଖ୍ୟ କାର୍ଯ୍ୟକ୍ରମ କରାଯିବ । ପ୍ରଥମଟି ହେଲା ଏହି କାର୍ଯ୍ୟକ୍ରମ ର ପ୍ରୋଜେକ୍ଟ ମଡେଲ ଅନାବରଣ । ଦ୍ୱିତୀୟ ଟି ହେଲା ପୁରୀ ଉର୍ଣ୍ଣତିକରଣ ପାଇଁ ଯେଉଁ ମଠ ଓ ଲୋକମାନେ ନିଜ ଜାଗା ପ୍ରଦାନ କରିଛନ୍ତି ସେମାନଙ୍କୁ ସମର୍ଦ୍ଧନା ପ୍ରଦାନ କରାଯିବ । ଏବଂ ୧୦ଟାରେ ଶିଳାନ୍ୟାସ କରାଯିବ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଥିବା ବ୍ୟକ୍ତି ମଧ୍ୟ ଚାହିଁଲେ ଶିଳା ଦାନ କରିବା ବ୍ୟବସ୍ଥା କରାଯାଇଥିବା ଶ୍ରୀ କ୍ରିଷ୍ଣ କୁମାର କହିଥିଲେ । ଶିଳାନ୍ୟାସ ସମୟ ବେଳକୁ ଯଜ୍ଞ ପ୍ରାୟ ଶେଷ ପର୍ଯ୍ୟାୟ ରେ ପହଞ୍ଚିଥିବ । ଶିଳାନ୍ୟାସ ପରେ ପୂର୍ଣ୍ଣାହୁତି, ପୁଷ୍ପାଞ୍ଜଳି ଏବଂ ଆଳତି ହେବ ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ଆଇନମନ୍ତ୍ରୀ ପ୍ରତାପ ଜେନା, ପୁରୀ ସାଂସଦ ଏବଂ ଅନ୍ୟ କେତେକ ବିଶିଷ୍ଟ ବ୍ୟକ୍ତି ସେଥିରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ କ୍ରିଷ୍ଣ କୁମାର, ଜିଲାପାଳ ସମର୍ଥ ବର୍ମା, ଆରକ୍ଷା ଅଧିକ୍ଷକ କନର ବିଶାଲ ସିଂ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ ପରେ ଆରମ୍ଭ ହେବ ଐତିହ୍ୟ କରିଡର ନିର୍ମାଣ ।

ଏଥିପାଇଁ ଜମି ଅଧିଗ୍ରହଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶ୍ରୀମନ୍ଦିର ମେଘନାଦ ପ୍ରାଚୀରଠାରୁ ୭୫ ମିଟର ଅଞ୍ଚଳରେ ଐତିହ୍ୟ କରିତର ତଥା ପରିକ୍ରମା ମାର୍ଗ ନିର୍ମାଣ କରାଯିବ । ସେଠାରେ ଭକ୍ତଙ୍କ ପାଇଁ ପ୍ରତୀକ୍ଷା ଗୃହ, ସାମାନ ରଖୁବା ଘର, ଅଭ୍ୟର୍ଥନା କକ୍ଷ, ଧାନକେନ୍ଦ୍ର, ସୁରକ୍ଷା ଅଞ୍ଚଳ, ସବୁଜ ବଳୟ ଭଜନ ମଣ୍ଡପ ଆଦି ନିର୍ମାଣ କରାଯିବା ପ୍ରସ୍ତାବ ରହିଛି ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ବିଭିନ୍ନ ପ୍ରକଳ୍ପ ପାଇଁ ଅଭଢା ଯୋଜନାରେ ଏଥୂପାଇଁ ପ୍ରାୟ ୮୫୦କୋଟି ଟଙ୍କା ଖର୍ଚ୍ଚ କରାଯିବ ।

Spread the love