୧୯୪୯ ସେପ୍ଟେମ୍ବର ୧୮- ୨୦୨୩ ସେପ୍ଟେମ୍ବର ୧୮ ତାରିଖ… ଦୀର୍ଘ ୭୪ ବର୍ଷ ପରେ ପୁଣି ହେବ ଦେଶର ନାମକୁ ନେଇ ତର୍କ… ଜାଣନ୍ତୁ ଏହା ପଛର ଇତିହାସ

ଆମ ଦେଶର ନାଁ ଇଣ୍ଡିଆ ନା ଭାରତ ରହିବ ଆଜିର ସ୍ୱତନ୍ତ୍ର ଅଧିବେଶରେ ଏହା ଉପରେ ତର୍କ ହେବାର ସୂଚନା ରହିଛି । ଏହି ପ୍ରସଙ୍ଗକୁ ନେଇ ଇତିହାସ ବି ରହିଛି । ଦୀର୍ଘ ୭୪ ବର୍ଷ ପୂର୍ବରୁ ଏପରି କିଛି ସଂସଦରେ ଘଟିଥିଲା ଯାହାର ଆଜି ପୁନରାବୃତ୍ତି ହୋଇପାରେ । ହେଲେ ଏହାର ପରିଣାମ କ’ଣ ହେବ ତା ଉପରେ ସମସ୍ତଙ୍କ ନଜର ।

୧୯୪୯ ସେପ୍ଟେମ୍ବର ୧୮ ତାରିଖରେ ସମ୍ବିଧାନ ସଭାରେ ଦେଶର ନାଁକୁ ନେଇ ତର୍କ ହୋଇଥିଲା । ପ୍ରସଙ୍ଗ ଥିଲା ‘ଦେଶର ନାଁ କ’ଣ ହେବ? ଭାରତ କି ଇଣ୍ଡିଆ? ୟା ଭିତରେ ୭୪ ବର୍ଷ ବିତିଯାଇଛି ଆଜି ବି ସେଇ ଦିନ ତାରିଖ, ୨୦୨୩ ସେପ୍ଟେମ୍ବର ୧୮ ତାରିଖ । ଆଜି ପୁଣି ସେହି ଘଟଣାର ପୁନରାବୃତ୍ତି ଘଟିପାରେ । ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଦେଶର ନାମକୁ ନେଇ ତର୍କ ହେବ । ଏନେଇ ସରକାର ପ୍ରସ୍ତାବ ଉପସ୍ଥାପନ ମଧ୍ୟ କରିବାର ସମ୍ଭାବନା ରହିଛି ।

ତେବେ ୭୪ ବର୍ଷ ପୂର୍ବର ସେ ଘଟଣା କ’ଣ ଥିଲା? ୭୪ ବର୍ଷ ପୂର୍ବରୁ ଆଜିର ଦିନରେ ଅଧ୍ୟକ୍ଷ ବି. ଆର ଆମ୍ବେଦରକଙ୍କ ଅଧ୍ୟକ୍ଷତାରେ ଦେଶର ନାମକୁ ଭାରତ ନା ଇଣ୍ଡିଆ ରଖାଯିବ ତା’ ଉପରେ ବିଲ ଆଗତ ହୋଇଥିଲା । ସବୁ ଦେଶର ଗୋଟିଏ ମାତ୍ର ନାଁ ଥିବାବେଳେ ଆମ ଦେଶର ଦୁଇଟି ନାମ କାହିଁକି ରହିବ ବୋଲି ଯୁକ୍ତି ହୋଇଥିଲା । କିନ୍ତୁ ଭୋଟିଂ ସମୟରେ ଏହି ପ୍ରସ୍ତାବ ବିରୋଧରେ ୫୧ଟି ଭୋଟ ପଡିଥିବାବେଳେ ସପକ୍ଷରେ ମାତ୍ର ୩୮ଟି ଭୋଟ ପଡିଥିଲା । ଫଳରେ ଏହି ପ୍ରସ୍ତାବ ଖାରଜ ହୋଇଯାଇଥିଲା ।

ସେ ସମୟରେ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକର ମୁଖ୍ୟ ଏଚବି କାମଥ କହିଥିଲେ ଯେ, ଜନ୍ମ ପରେ ଶିଶୁର ନାମକରଣ ହୁଏ । ଖୁବ ଶୀଘ୍ର ଇଣ୍ଡିଆର ବି ଜନ୍ମ ହେବ ଏବଂ ନାମକରଣ ମଧ୍ୟ ହେବ । ଦେଶର ନାମକୁ ନେଇ ଏକାଧିକ ପ୍ରସ୍ତାବିତ ନାମ ଆସିଥିଲା ଯେଉଁଥିରେ ଥିଲା, ହିନ୍ଦୁସ୍ତାନ, ହିନ୍ଦ, ଭାରତବର୍ଷ, ଭାରତ ଓ ଭାରତଭୂମି ପ୍ରମୁଖ ।

Spread the love