ବିଜେପି ରକ୍ତରେ ହିଂସା ପ୍ରବାହିତ ହେଉଛି, ଏହା ଓଡ଼ିଶାବାସୀ ଭଲ ଭାବରେ ଜାଣିଛନ୍ତି : ପର୍ଶୁରାମ ଧଡା

ବିଜେଡିକୁ ହିନ୍ଦୁ ବିରୋଧୀ କହି ବିଜେପି ଟାର୍ଗେଟ କରିବା ପରେ ଏହାର ଜବାବ ରଖିଛି ଦଳ । ବିଜେଡି ବିଧାୟକ ପର୍ଶୁରାମ ଧଡା କହିଛନ୍ତି, ବିଜେଡି ହିନ୍ଦୁ ବିରୋଧୀ ବୋଲି ପ୍ରଥମ ଥର ମୁଁ ଶୁଣୁଛି । ବିଜେଡିରେ ହିନ୍ଦୁ ଅଛନ୍ତି ଆଉ ବିଜେପିରେ ବି ଅଛନ୍ତି । ଧର୍ମକୁ ନେଇ ରାଜନୀତି କରିବା ଠିକ ନୁହେଁ । ବିଜେଡି ସରକାର ହିଂସାକାରୀଙ୍କୁ ପ୍ରଶୟ ଦେଉଛି ବୋଲି ବିଜେପି ଯାହା କହୁଛି ତାହା ସମ୍ପୂର୍ଣ୍ଣ ଭୁଲ । ବାସ୍ତବରେ ବିଜେପି ରକ୍ତରେ ହିଂସା ପ୍ରବାହିତ ହେଉଛି । ଦେଶରେ ଯେଉଁ ଯେଉଁ ସ୍ଥାନରେ ଦଙ୍ଗା ହୋଇଛି ତାହା ସବୁ ବିଜେପି ଦ୍ୱାରା ହିଁ ହୋଇଛି । ବିଜେଡି ନାଁରେ କେବଳ ମିଥ୍ୟା ଆରୋପ କରୁଛି ବିଜେପି । ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ କଥା ।

ବିଜେଡି କେବେ ବି ହିଂସା କୁ ପ୍ରଶୟ ଦେଇନି। ଇତିହାସ ଦେଖିଲେ ଜାଣିପାରିବେ, ରାଜ୍ୟରେ କେତେ ଦଙ୍ଗା ହୋଇଛି ଏବଂ କେତେ ଦୃଢ଼ତାର ସହ ମୁଖ୍ୟମନ୍ତ୍ରୀ ତାକୁ ପ୍ରତିହତ କରିଛନ୍ତି । ବିଜେପି କେବଳ ରାଜନୈତିକ ଆକ୍ରୋଶ ରଖି ଏଭଳି ମନ୍ତବ୍ୟ ଦେଉଛି । ଏକଥା ଓଡ଼ିଶାବାସୀ ବେଶ ଭଲ ଭାବରେ ଜାଣିଛନ୍ତି ।
ଏହାପୂର୍ବରୁ ବିଜେଡିକୁ ନେଇ ବିଜେପି ନେତା ସମୀର ମହାନ୍ତି କହିଥିଲେ, ବିଜେଡି ସବୁବେଳେ ହିନ୍ଦୁ ବିରୋଧୀ ମାନସିକତା ପ୍ରତିପୋଷଣ କରିଛି । ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ କରିବା ପାଇଁ ଯୋଜନା କରିଥିଲେ, ରତ୍ନ ଭଣ୍ଡାର ଲୁଟିବା ଆଉ ଚାବି ହଜିବା କହିବା, ରତ୍ନ ଭଣ୍ଡାର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନ ନେବା, ରଘୁବୀର ଦାସଙ୍କ କମିଶନ ରିପୋର୍ଟ ସାର୍ବଜନୀନ ନ ହେବା, ଗୋଟେ ଘରୋଇ କମ୍ପାନୀକୁ ଜଗନ୍ନାଥଙ୍କ ଜମି ଦେବା ପାଇଁ ମସୁଧା କରି ସୁପ୍ରିମକୋର୍ଟରୁ ଭର୍ସନା ଶୁଣିବା ଜଗନ୍ନାଥଙ୍କ ପ୍ରତି ଏପରି ପ୍ରତି ପୋଷଣ ସରକାରଙ୍କ ହିନ୍ଦୁ ବିରୋଧୀ ମାନସିକତା ନୁହେଁ ତ ଆଉ କଣ ? ଲକ୍ଷ୍ଣଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ରିପୋର୍ଟ ନ ଆସିବା କଣ ସରକାରଙ୍କ ହିନ୍ଦୁ ବିରୋଧୀ ମନୋଭାବ ନୁହେଁ କି ? ରାଜ୍ୟ ସରକାର ଉଚ୍ଚାରଣ ଓ ଆଚରଣରେ ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି ।

Spread the love